Indian Government Bonds Fall: ଖସିଲା ଭାରତୀୟ ସରକାରୀ ବଣ୍ଡ ଦର, ଆମେରିକାରୁ ଏପରି ପଡିଲା ପ୍ରଭାବ

Sep 25, 2026 - 18:45
Indian Government Bonds Fall: ଖସିଲା ଭାରତୀୟ ସରକାରୀ ବଣ୍ଡ ଦର, ଆମେରିକାରୁ ଏପରି ପଡିଲା ପ୍ରଭାବ

ଭାରତୀୟ ସରକାରୀ ବଣ୍ଡ ବଜାରରେ ବଡ଼ ପରିବର୍ତ୍ତନ । ଆମେରିକାରେ ସୁଧ ହାର ବଢ଼ିବା ଏବଂ ଅଶୋଧିତ ତେଲ ଦର ଉପରେ ଚାପ ଯୋଗୁଁ ଗୁରୁବାର ସରକାରୀ ବଣ୍ଡ ଦର ଖସିଛି । ଏହା ସହ ଆସନ୍ତା ମୁଦ୍ରାନୀତି ବୈଠକରେ ଆର୍‌ବିଆଇ ସୁଧ ହାର ବଢ଼ାଇପାରେ ବୋଲି ବଜାରରେ ଆଶା ବଢ଼ିଛି । 

୨୦୩୬ ମସିହାରେ ମାଚୁରିଟି ହେବାକୁ ଥିବା ୬.୯୪ ପ୍ରତିଶତ ସରକାରୀ ବଣ୍ଡର ବାର୍ଷିକ ରିଟର୍ନ ଗୁରୁବାର ସକାଳ ୧୦ଟା ୧୫ ସୁଦ୍ଧା ୭.୦୯୧୪ ପ୍ରତିଶତରେ ପହଞ୍ଚିଛି । ବୁଧବାର ଏହା ୭.୦୪୪୭ ପ୍ରତିଶତ ଥିଲା । ଦିନ ଆରମ୍ଭରେ ଏହା ୭.୦୯୯୪ ପ୍ରତିଶତକୁ ମଧ୍ୟ ଛୁଇଁଥିଲା ।

ଅନ୍ୟପଟେ ଆମେରିକାର ସରକାରୀ ବଣ୍ଡ ବାର୍ଷିକ ରିଟର୍ନ ୨୦୦୭ ମସିହା ଜୁଲାଇ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆମେରିକାର ଅର୍ଥନୀତି ସମ୍ପର୍କିତ ଏକ ଭଲ ରିପୋର୍ଟ ପରେ ମୁଦ୍ରାସ୍ଫୀତି ଅଧିକ ସମୟ ରହିପାରେ ବୋଲି ଆଶଙ୍କା ବଢ଼ିଛି ।

ଏପଟେ ଅଶୋଧିତ ତେଲ ଦର ମଧ୍ୟ ଚିନ୍ତା ବଢ଼ାଇଛି । ଭାରତ ନିଜର ପ୍ରାୟ ୯୦ ପ୍ରତିଶତ ଅଶୋଧିତ ତେଲ ଆମଦାନୀ କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ିଲେ ଦେଶରେ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ରହିଥାଏ ।

ଅଗଷ୍ଟରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୨ ପ୍ରତିଶତ ରହିଥିଲା । ଏହା ସହ ଆମେରିକାର ଫେଡେରାଲ୍ ରିଜର୍ଭ ଗତ ସପ୍ତାହରେ ସୁଧ ହାର ୦.୨୫ ପ୍ରତିଶତ ବଢ଼ାଇଛି । ଏହି ସବୁ କାରଣରୁ ଭାରତରେ ମଧ୍ୟ ସୁଧ ହାର ବଢ଼ିବା ନେଇ ବଜାରର ଆଶା ମଜବୁତ ହୋଇଛି ।

ଆର୍‌ବିଆଇର ମୁଦ୍ରାନୀତି କମିଟିର ପରବର୍ତ୍ତୀ ନିଷ୍ପତ୍ତି ଅକ୍ଟୋବର ୭ରେ ଆସିବ । ବଜାରର ଅଧିକାଂଶ ଅଂଶଗ୍ରହଣକାରୀ ଏଥିରେ ରେପୋ ରେଟ୍ ବଢ଼ିପାରେ ବୋଲି ଆଶା କରୁଛନ୍ତି । ରେପୋ ରେଟ୍ ବଢ଼ିଲେ ବ୍ୟାଙ୍କ ଋଣ ଉପରେ ସୁଧ ମଧ୍ୟ ବଢ଼ିପାରେ ।

ସେହିପରି ଭାରତର ଅଲ୍ପକାଳୀନ ସୁଧ ହାରରେ ମଧ୍ୟ ବୃଦ୍ଧି ଦେଖାଯାଇଛି । ଏକ ବର୍ଷର ହାର ୬.୧୬ ପ୍ରତିଶତ, ଦୁଇ ବର୍ଷର ହାର ୬.୩୮ ପ୍ରତିଶତ ଏବଂ ପାଞ୍ଚ ବର୍ଷର ହାର ୬.୬୪ ପ୍ରତିଶତରେ ପହଞ୍ଚିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।