Indian Hockey Dazzle in Asian Games: ଉଜବେକିସ୍ତାନ ବିପକ୍ଷରେ ଭାରତର ୧୯-୦ ବିଜୟ, ୮ ଗୋଲ୍ କଲେ ଦୀପିକା
ଏସିଆନ୍ ଗେମ୍ସ ମହିଳା ହକିରେ ଭାରତର ଦମଦାର ଆରମ୍ଭ। ଉଜବେକିସ୍ତାନକୁ ୧୯-୦ ଗୋଲ୍ରେ ହରାଇ ପୁଲ୍-ବିର ପ୍ରଥମ ମ୍ୟାଚ୍ରେ ବଡ଼ ବିଜୟ ହାସଲ କରିଛି ଭାରତ। ଏହି ମ୍ୟାଚ୍ରେ ଭାରତ ପାଇଁ ଏକାକୀ ୮ଟି ଗୋଲ୍ କରି ଇତିହାସ ରଚିଛନ୍ତି ଦୀପିକା ସେହରାୱତ। ଏସିଆନ୍ ଗେମ୍ସ ମହିଳା ହକିର ଗୋଟିଏ ମ୍ୟାଚ୍ରେ ଜଣେ ଖେଳାଳିଙ୍କ ସର୍ବାଧିକ ଗୋଲ୍ କରିବାର ରେକର୍ଡ ଏବେ ଦୀପିକାଙ୍କ ନାଁରେ।
ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ଖେଳାଳିଙ୍କ ଆକ୍ରମଣ ଆଗରେ ଉଜବେକିସ୍ତାନର ରକ୍ଷଣଭାଗ ଛିନ୍ନଛତ୍ର ହୋଇଯାଇଥିଲା। ପ୍ରଥମ କ୍ୱାର୍ଟରରେ ଲାଲରେମସିଆମି ଦୁଇଟି ଗୋଲ୍ କରିଥିବା ବେଳେ ଇଶିକା, ବଲଜିତ କୌର ଓ ନେହା ମଧ୍ୟ ଗୋଲ୍ ସ୍କୋର୍ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୮-୦ରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ଗୋଲ୍ ବର୍ଷା ଥମିନଥିଲା। ଦୀପିକା ନିଜ ଖାତାରେ ଆଉ ୭ଟି ଗୋଲ୍ ଯୋଡ଼ି ମୋଟ ୮ଟି ଗୋଲ୍ କରିଥିଲେ। ଇଶିକା ୩ଟି, ନବନୀତ କୌର ୨ଟି ଏବଂ ଲାଲରେମସିଆମି, ବଲଜିତ କୌର, ନେହା, ଲାଲଥାନଲୁଆଙ୍ଗି ଓ ସାକ୍ଷୀ ରାଣା ମଧ୍ୟ ଗୋଲ୍ କରିଥିଲେ।
ଏହି ମ୍ୟାଚ୍ ଭାରତୀୟ ଗୋଲକିପର ସବିତା ପୁନିଆଙ୍କ ପାଇଁ ମଧ୍ୟ ସ୍ମରଣୀୟ ରହିଛି। ୩୨୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସେ ଭାରତୀୟ ମହିଳା ହକିରେ ଭନ୍ଦନା କାଟାରିଆଙ୍କ ସହ ସର୍ବାଧିକ କ୍ୟାପ୍ ହାସଲ କରିଥିବା ଖେଳାଳି ହୋଇଛନ୍ତି। ଉଜବେକିସ୍ତାନ ଭାରତୀୟ ଗୋଲ୍ପୋଷ୍ଟ ଉପରେ ବିଶେଷ ଚାପ ସୃଷ୍ଟି କରିନପାରିବାରୁ ସବିତାଙ୍କୁ ଅଧିକ ପରୀକ୍ଷା ଦେବାକୁ ପଡ଼ିନଥିଲା।
ମହିଳା ଦଳ ଭଳି ପୁରୁଷ ହକି ଦଳ ମଧ୍ୟ ଏସିଆନ୍ ଗେମ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପୁଲ୍-ଏର ପ୍ରଥମ ମ୍ୟାଚ୍ରେ ଭାରତ ଇଣ୍ଡୋନେସିଆକୁ ୧୩-୧ ଗୋଲ୍ରେ ପରାସ୍ତ କରିଛି। ଦିଲପ୍ରୀତ ସିଂହ ୪ଟି ଗୋଲ୍ କରିଥିବା ବେଳେ ଶିଳାନନ୍ଦ ଲାକ୍ରା ଓ ସୁଖଜିତ ସିଂହ ୨ଟି ଲେଖାଏଁ ଗୋଲ୍ କରିଥିଲେ। ଅଭିଷେକ ନାଇନ, ମନଦୀପ ସିଂହ, ରାଜିନ୍ଦର ସିଂହ, ଯୁଗରାଜ ସିଂହ ଓ ଅଧିନାୟକ ହରମନପ୍ରୀତ ସିଂହ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।
ଆସନ୍ତାକାଲି ମହିଳା ହକିରେ ଭାରତ ଇଣ୍ଡୋନେସିଆକୁ ଭେଟିବ। ପୁରୁଷ ଦଳ ମଧ୍ୟ ଏସିଆନ୍ ଗେମ୍ସରେ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ନିଜ ଅଭିଯାନ ଜାରି ରଖିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।