Indian Rupee Nears Record Low Despite RBI Efforts: RBIର ସବୁ ପ୍ରୟାସ କାହିଁକି ବିଫଳ ? ରେକର୍ଡ ତଳକୁ ଖସୁଛି ଭାରତୀୟ ଟଙ୍କା
ଭାରତୀୟ ଟଙ୍କା ମୂଲ୍ୟ ପୁଣିଥରେ ରେକର୍ଡ ତଳକୁ ଖସିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୯୬ ଟଙ୍କା ୬୮ ପଇସାରୁ ୯୭ ଟଙ୍କା ମଧ୍ୟରେ ରହିଛି। ମେ ୨୦୨୬ରେ ଟଙ୍କା ୯୬ ଟଙ୍କା ୯୭ ପଇସାର ସର୍ବକାଳୀନ ରେକର୍ଡ ତଳକୁ ଯାଇଥିଲା।
ଟଙ୍କାକୁ ସମ୍ଭାଳିବା ପାଇଁ ଆରବିଆଇ ବଜାରରେ ଡଲାର ବିକ୍ରି କରିବା ସହ ସୁଧହାର ବୃଦ୍ଧି ଓ ଡଲାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ହେଲେ ଅଶୋଧିତ ତୈଳ ଦର ବୃଦ୍ଧି, ଆମେରିକାର ବଢୁଥିବା ବଣ୍ଡ ରିଟର୍ନ ଏବଂ ବିଦେଶୀ ନିବେଶକଙ୍କ ଟଙ୍କା ପ୍ରତ୍ୟାହାର ଯୋଗୁଁ ଟଙ୍କା ଉପରେ ଚାପ ଜାରି ରହିଛି।
ଏହାର ପ୍ରଭାବ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ପଡ଼ିଛି। ଅକ୍ଟୋବର ୨ରେ ଶେଷ ହୋଇଥିବା ସପ୍ତାହରେ ଭାରତର ଫରେକ୍ସ ରିଜର୍ଭ ୭୩୪ ବିଲିୟନ୍ ଡଲାରକୁ ଖସିଛି। ସେପ୍ଟେମ୍ବର ୪ରେ ଏହା ୭୮୫ ବିଲିୟନ୍ ଡଲାର ଥିଲା। ଅର୍ଥାତ୍ ଚାରି ସପ୍ତାହରେ ପ୍ରାୟ ୫୧ ବିଲିୟନ୍ ଡଲାର କମିଛି।
ବିଦେଶୀ ନିବେଶକମାନେ ଚଳିତ ବର୍ଷ ଭାରତୀୟ ସେୟାର ବଜାରରୁ ପ୍ରାୟ ୩୦ ବିଲିୟନ୍ ଡଲାର ପ୍ରତ୍ୟାହାର କରିଛନ୍ତି। ଏହା ମଧ୍ୟ ଟଙ୍କା ଉପରେ ଚାପ ବଢ଼ାଇଛି।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପର୍ଯ୍ୟାପ୍ତ ରହିଛି ଏବଂ ପ୍ରାୟ ୧୧ ମାସର ଆମଦାନୀ ଖର୍ଚ୍ଚ ପାଇଁ ଏହା ଯଥେଷ୍ଟ। କିନ୍ତୁ ଟଙ୍କା ୯୭ ଟଙ୍କା ପ୍ରତି ଡଲାର ସ୍ତର ଭାଙ୍ଗିଲେ ଏହା ୯୮ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ଖସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।