Investment: ମୁମ୍ବାଇରୁ ୫୪ ହଜାର କୋଟି ନିବେଶ ପ୍ରସ୍ତାବ: ୯ ଏମ୍ଓୟୁ ସ୍ବାକ୍ଷର, ୪ ନିବେଶ ଆଗ୍ରହପତ୍ର ହାସଲ
ଭୁବନେଶ୍ବର: ମୁମ୍ବାଇର ବମ୍ବେ ଏକଜିବିସନ୍ ସେଣ୍ଟରରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଡିଆ କେମ୍-୨୦୨୬ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୁଇ ଦିନରେ ଓଡ଼ିଶା ପାଇଁ ପ୍ରାୟ ୫୪ ହଜାର କୋଟି (୫୩,୮୯୩.୫୧ କୋଟି) ଟଙ୍କାର ନିବେଶ ପ୍ରସ୍ତାବ ଆଣିଛନ୍ତି। ସରକାର ଦାବି କରିଛନ୍ତି ଯେ ଏହାଦ୍ବାରା ରାଜ୍ୟରେ ୨୦,୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀ ଆଜି ରାତିରେ ଭୁବନେଶ୍ୱର ଫେରି ଗଣମାଧ୍ୟମକୁ କହିଛନ୍ତି ଯେ ଆସନ୍ତା ବର୍ଷ ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରିବା ପାଇଁ ସେ କେନ୍ଦ୍ର ସରକାର ଓ ଫିକି ସହିତ ଆଲୋଚନା କରିଥିଲେ। ଏଥିପାଇଁ ଉଭୟ ସୁବଜ ସଙ୍କେତ ଦେଇଛନ୍ତି। ଏଣୁ ୨୦୨୭ ଅକ୍ଟୋବର ମାସରେ ଓଡ଼ିଶା କେମ- ୨୦୨୭ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ଗସ୍ତ କାଳରେ ବ୍ୟବସାୟ କ୍ଷେତ୍ରର ନେତୃବୃନ୍ଦଙ୍କ ସହିତ ୨୫ଟି ୱାନ୍-ଟୁ-ୱାନ୍ ବୈଠକ ହୋଇଛି। ଓଡ଼ିଶାରେ ନିବେଶ ପାଇଁ ଏହି କମ୍ପାନିଗୁଡ଼ିକର ଖୁବ୍ ଆଗ୍ରହ ରହିଛି। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡାଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ଧାତବଭିତ୍ତିକ ଅର୍ଥନୀତିରୁ ରସାୟନଭିତ୍ତିକ ଅର୍ଥନୀତିକୁ ପ୍ରସାରିତ ହେବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାକୁ ସାକାର କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହୋଇଛି।
୯ ଏମ୍ଓୟୁ ସ୍ବାକ୍ଷର, ୪ ନିବେଶ ଆଗ୍ରହପତ୍ର ହାସଲ
୨୫ଟି ୱାନ୍-ଟୁ-ୱାନ୍ ବୈଠକ
ଏନ୍ଏଲ୍ସି ନିବେଶ କରିବ ୩୬,୭୬୪ କୋଟି
ପୋସ୍କୋ, ଜେଏସ୍ଡବ୍ଲ୍ୟୁ, ଏଲ୍ଆଣ୍ଡଟି ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଆସନ୍ତା ବର୍ଷ ଅକ୍ଟୋବରରେ ‘ଓଡ଼ିଶା କେମ୍’-୨୦୨୭
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୋସ୍କୋ ଇଣ୍ଡିଆ ମୁଖ୍ୟ ଏସ୍ଏଲ୍ ଚୁନ୍ ଏବଂ ପୋସ୍କୋ ମୁମ୍ବାଇ କାର୍ଯ୍ୟାଳୟର ଏମ୍ଡି ଜେସି କିମ୍ଙ୍କ ସମେତ ଜେଏସ୍ଡବ୍ଲ୍ୟୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ସହ ଓଡ଼ିଶାରେ ନୂଆ ନିବେଶ ସୁଯୋଗ ନେଇ ଆଲୋଚନା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଏଲ୍ ଆଣ୍ଡ୍ ଟି ସିଏମ୍ଡି ଏସ୍ଏନ୍ ସୁବ୍ରମଣ୍ୟନ୍ ଏବଂ ଏଲ୍ ଆଣ୍ଡ୍ ଟି ଗ୍ରୁପର ସିଇଓ ଓ ଅନ୍ୟ ସଦସ୍ୟମାନଙ୍କ ସହିତ ଆଲୋଚନା କରି ୮୧୦୦ କୋଟି ଟଙ୍କାର ନିବେଶ ନେଇ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ୍ ସହ ୩୫୦ କୋଟି ଟଙ୍କାର ଏକ ଏମଓୟୁ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ଦସ୍ତଖତ କରାଯାଇଛି। ଶିବରାଜ ସ୍ପିନିଂ ମିଲ୍ସ ସହ ବୟନ ଓ ପୋଷାକ କ୍ଷେତ୍ରରେ ୨୦୦ କୋଟି ଟଙ୍କା, ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ସହ ରସାୟନ କ୍ଷେତ୍ରରେ ୫୦୦ କୋଟି ଟଙ୍କାର, ଆଲିଶା ଟରେଣ୍ଟ କ୍ଲୋଜର୍ସ ସହ ୫୩୦ କୋଟି ଟଙ୍କାର, ପାରାଦୀପ ଫସଫେଟ୍ସ ଲିମିଟେଡ ସହ ୪୭୫୦ କୋଟି ଟଙ୍କାର ଏବଂ ବୟନ ଓ ପୋଷାକ କ୍ଷେତ୍ରରେ ବଡିକେୟାର ସହ ୨୫୦ କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର ହୋଇଛି। ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନିଗୁଡ଼ିକ ମଧ୍ୟରେ ଏଲୋରା ପିଇବି (୫୦୦ କୋଟି), ଜେଏସଡବ୍ଲ୍ୟୁ ଡୁଲକ୍ସ(୮୫୦ କୋଟି), ଏଗ୍ରୋ ପ୍ରୋସେସିଂ କମ୍ପାନି (୧୦୦୦ କୋଟି) ଏବଂ ଅପର ଇଣ୍ଡଷ୍ଟ୍ରିଜ୍ (୧୦୦ କୋଟି) ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।