IPL 2027 Mini-Auction: ତିନି ବର୍ଷ ପରେ ଭାରତକୁ ଫେରିବ ଆଇପିଏଲ୍ ନିଲାମ, ଏହି ସହରରେ ହେବା ସମ୍ଭାବନା

Oct 17, 2026 - 21:57
IPL 2027 Mini-Auction: ତିନି ବର୍ଷ ପରେ ଭାରତକୁ ଫେରିବ ଆଇପିଏଲ୍ ନିଲାମ, ଏହି ସହରରେ ହେବା ସମ୍ଭାବନା

ଆଇପିଏଲ୍ ୨୦୨୭ ପୂର୍ବରୁ ଖେଳାଳି ନିଲାମକୁ ନେଇ ବଡ଼ ଅପଡେଟ୍। ଡିସେମ୍ବର ୧୬ ତାରିଖରେ ଗୋଆରେ ହୋଇପାରେ ଆଇପିଏଲ୍‌ର ମିନି ଅକ୍ସନ୍। ତେବେ ଏନେଇ ଚୂଡ଼ାନ୍ତ ତାରିଖ ଘୋଷଣା ହୋଇନାହିଁ।

ବିସିସିଆଇ ସଚିବ ଦେବଜିତ ସାଇକିଆ ପୂର୍ବରୁ ଡିସେମ୍ବରରେ ଗୋଆରେ ନିଲାମ ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ। ୨୦୨୩ରେ ଦୁବାଇ, ୨୦୨୪ରେ ସାଉଦି ଆରବର ଜେଦ୍ଦା ଏବଂ ୨୦୨୫ରେ ଆବୁଧାବିରେ ନିଲାମ ହୋଇଥିଲା। ଲଗାତାର ତିନିଟି ସଂସ୍କରଣ ପରେ ଏଥର ନିଲାମ ଭାରତକୁ ଫେରିବା ସମ୍ଭାବନା ରହିଛି।

ଏଥର ମେଗା ଅକ୍ସନ୍ ବଦଳରେ ଛୋଟ ଧରଣର ମିନି ଅକ୍ସନ୍ ହେବାକୁ ଥିବାରୁ ଦଳଗୁଡ଼ିକର ରଣନୀତି ଉପରେ ରହିବ ସମସ୍ତଙ୍କ ନଜର। ନଭେମ୍ବର ୧୫ ସୁଦ୍ଧା ଫ୍ରାଞ୍ଚାଇଜିଗୁଡ଼ିକୁ ନିଜ ନିଜର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ପଡ଼ିବ।

ଅନ୍ୟପଟେ, ଡିସେମ୍ବର ୧୬ରେ ବେଙ୍ଗାଲୁରୁରେ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ଧାର୍ଯ୍ୟ ହୋଇଛି। ତେଣୁ ନିଲାମ ଓ ମ୍ୟାଚ୍‌ର ତାରିଖ ମଧ୍ୟରେ ସମନ୍ୱୟ କିପରି ରହିବ, ତାହା ଦେଖିବାକୁ ବାକି ରହିଲା।

ସେହିପରି ଆଇପିଏଲ୍‌ରେ ଇମ୍ପାକ୍ଟ ପ୍ଲେୟର ନିୟମକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଏହି ନିୟମ ଅନୁସାରେ ମ୍ୟାଚ୍‌ର ଯେକୌଣସି ପର୍ଯ୍ୟାୟରେ ଦଳ ଜଣେ ବଦଳ ଖେଳାଳିଙ୍କୁ ଖେଳାଇପାରିବ। କିନ୍ତୁ ଶୁଭମନ ଗିଲ୍, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଏହି ନିୟମକୁ ନେଇ ଆପତ୍ତି ଉଠାଇଛନ୍ତି। ଏହାଦ୍ୱାରା ପ୍ରକୃତ ଅଲ୍‌ରାଉଣ୍ଡରଙ୍କ ଭୂମିକା କମିଯାଉଥିବା ଯୁକ୍ତି ରହିଛି।

ନିୟମର ଭବିଷ୍ୟତ ନେଇ ବିସିସିଆଇ ବିଭିନ୍ନ ପକ୍ଷଙ୍କ ମତାମତ ନେଉଛି। ତେଣୁ ଆଇପିଏଲ୍ ୨୦୨୭ ନିଲାମ ସହ ଇମ୍ପାକ୍ଟ ପ୍ଲେୟର ନିୟମରେ କିଛି ପରିବର୍ତ୍ତନ ହେବ କି ନାହିଁ, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।