IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

Oct 26, 2026 - 21:22
IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର ଆସିଷ୍ଟାଣ୍ଟ କୋଚ୍‌ ଭାବେ ଦାୟିତ୍ୱ ମିଳିଛି । ସେ ମୁଖ୍ୟ କୋଚ୍‌ ଜାହିର ଖାନ୍‌ଙ୍କ ସହ ମିଶି ଦଳର କୋଚିଂ ଷ୍ଟାଫ୍‌ରେ କାମ କରିବେ ବୋଲି ଖବରରେ ଉଲ୍ଲେଖ ରହିଛି ।

ଗାରେଥ୍‌ ବ୍ୟାଟି ଇଂଲଣ୍ଡର କାଉଣ୍ଟି ଦଳ ସରେର ମୁଖ୍ୟ କୋଚ୍‌ ଭାବେ କାମ କରିଥିଲେ। ତାଙ୍କ କୋଚିଂ ସମୟରେ ସରେ ୨୦୨୨ରୁ ୨୦୨୪ ମଧ୍ୟରେ ଲଗାତାର ତିନିଥର କାଉଣ୍ଟି ଚାମ୍ପିୟନଶିପ୍‌ ଟାଇଟଲ୍‌ ଜିତିଥିଲା। ସରେ କ୍ଲବ୍‌ ପକ୍ଷରୁ ମଧ୍ୟ ସେ ଦଳ ଛାଡ଼ି ଆଇପିଏଲ୍‌ରେ ଚେନ୍ନାଇ ସହ ଯୋଗଦେବାକୁ ଯାଉଥିବା ସୂଚନା ଦିଆଯାଇଛି ।

ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଆଗାମୀ ସିଜନ୍‌ରେ ଷଷ୍ଠ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଚେନ୍ନାଇ ଓ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ୫ ଥର ଲେଖାଏ ଆଇପିଏଲ୍‌ ଟାଇଟଲ୍‌ ଜିତିଛନ୍ତି । ଚେନ୍ନାଇ ଶେଷ ଥର ପାଇଁ ୨୦୨୩ରେ ଚାମ୍ପିୟନ୍‌ ହୋଇଥିଲା। କୋଚିଂ ଷ୍ଟାଫ୍‌ରେ ଏହି ପରିବର୍ତ୍ତନ ପରେ ଆଗାମୀ ସିଜନ୍‌ରେ ଦଳର ପ୍ରଦର୍ଶନ କିପରି ରହିବ, ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ।

ଗାରେଥ୍‌ ବ୍ୟାଟି ୨୦୦୨ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ୨୦୧୬ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ସେ ଇଂଲଣ୍ଡ ପକ୍ଷରୁ ୯ଟି ଟେଷ୍ଟ, ୧୦ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।