‘It’s Done, Broooo!’ ଖାର୍ଗେଙ୍କ ବୟାନ ପରେ ଭାଜପାର କଟାକ୍ଷ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

Oct 26, 2026 - 20:18
‘It’s Done, Broooo!’ ଖାର୍ଗେଙ୍କ ବୟାନ ପରେ ଭାଜପାର କଟାକ୍ଷ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବିବାଦୀୟ ମନ୍ତବ୍ୟ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି କଟାକ୍ଷ କରିଛି । ଭାଜପା ପକ୍ଷରୁ ଜାରି କରାଯାଇଥିବା ଫଟୋରେ ପ୍ରଧାନମନ୍ତ୍ରୀ ନାଲି ରଙ୍ଗର ଚଷମା ପିନ୍ଧିଥିବା ଦେଖାଯାଇଛି । ଏହା ସହ ‘ମୋଦି କୁଆଡ଼େ ଯିବେନି ବ୍ରୋ’ ବୋଲି ଲେଖାଯାଇଛି।

ଭାଜପା ନିଜ ପୋଷ୍ଟରେ ଖାର୍ଗେଙ୍କୁ ସମ୍ବୋଧନ କରି ଲେଖିଛି ଯେ, ମୋଦି କେଉଁଆଡ଼େ ଯିବେନି। ତାଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଲୋକେ ଭୋଟ୍‌ ଦେଇଛନ୍ତି। ଲୋକଙ୍କ ସମର୍ଥନ ତାଙ୍କ ସହ ରହିଛି ବୋଲି ଭାଜପା ଦାବି କରିଛି।

ରବିବାର ବିହାରର ରାଜଧାନୀ ପାଟନାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରୁଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ । ଏହି ସମୟରେ ଉପସ୍ଥିତ ଜଣେ ବ୍ୟକ୍ତି ‘ମୋଦି ନହିଁ ଯାଏଗା’ ବୋଲି କହିଥିଲେ। ଏହାର ଜବାବରେ ଖାର୍ଗେ ‘ମୋଦି କା ତୋ ବାପ୍‌ ଭି ଯାଏଗା’ ବୋଲି କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଖାର୍ଗେଙ୍କ ଏହି ମନ୍ତବ୍ୟ ପରେ ଭାଜପା ନେତାମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ଦଳ ପକ୍ଷରୁ ଏହାକୁ ଅଶୋଭନୀୟ ଭାଷା ବୋଲି କୁହାଯିବା ସହ ଖାର୍ଗେଙ୍କୁ କ୍ଷମା ମାଗିବାକୁ ଦାବି କରାଯାଇଛି । ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଥିବା ରିପୋର୍ଟରେ କୁହାଯାଇଛି। ଭାଜପା ଏମପି ନିଶିକାନ୍ତ ଦୁବେ ମଧ୍ୟ କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ କରିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।