Iron Ore-Laden Truck Engulfed in Flames: ଚଳନ୍ତା ଟ୍ରକରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
ଚଳନ୍ତା ଟ୍ରକରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍। ତେବେ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରକ୍ ଚାଳକ। କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ଅନ୍ତର୍ଗତ ହେସାବେଡ଼ା ଛକ ନିକଟରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍ କାଳିମାଟି ପଟୁ ଯୋଡ଼ା ଅଭିମୁଖେ ଯାଉଥିଲା। ତେବେ ହେସାବେଡ଼ା ଛକ ନିକଟରେ ହଠାତ୍ ଟ୍ରକରୁ ପ୍ରବଳ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଏହା ଦେଖି ଚାଳକ ଜଣକ ତୁରନ୍ତ ଟ୍ରକକୁ ଅଟକାଇ ତଳକୁ ଓହ୍ଲାଇ ପଡ଼ିଥିଲେ। ଫଳରେ ସେ ନିଆଁର ଆଁରୁ ରକ୍ଷା ପାଇଯାଇଥିଲେ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ଟ୍ରକଟି ନିଆଁରେ ଜଳିଯାଇଥିଲା। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।