Islamabad Roads Blocked With Containers: ଇମ୍ରାନଙ୍କ ମୁକ୍ତି ପାଇଁ ମାର୍ଚ୍ଚ, ଇସଲାମାବାଦକୁ ଘେରିଲା କଣ୍ଟେନର
ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକଙ୍କ ପ୍ରସ୍ତାବିତ ସେପ୍ଟେମ୍ବର ୨୭ ମାର୍ଚ୍ଚକୁ ନେଇ ରାଜଧାନୀ ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇମ୍ରାନଙ୍କ ମୁକ୍ତି ଦାବିରେ ପାକିସ୍ତାନ ତେହରିକ୍-ଇ-ଇନସାଫ୍ (PTI) ପକ୍ଷରୁ ଏହି ମାର୍ଚ୍ଚ ଡାକରା ଦିଆଯାଇଛି।
ଇସଲାମାବାଦକୁ ଯାଇଥିବା ଅନେକ ରାସ୍ତାକୁ ବନ୍ଦ କରାଯାଇଥିବା ବେଳେ ବହୁ ସଂଖ୍ୟକ କଣ୍ଟେନର ରଖାଯାଇଛି। ଆଟକ୍ ବ୍ରିଜ୍ରେ ଲୁହା କଣ୍ଟା ଲଗାଯାଇଥିବା ନେଇ ମଧ୍ୟ ରିପୋର୍ଟ ଆସିଛି। ସହରରେ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ ହସ୍ପିଟାଲଗୁଡ଼ିକୁ ମଧ୍ୟ ସତର୍କ ରଖାଯାଇଛି।
ଏପଟେ ଇମ୍ରାନ ଖାନଙ୍କ ତିନି ଭଉଣୀଙ୍କୁ ଗିରଫ କରାଯାଇଥିବା ନେଇ ଖବର ଆସିଛି। ସେମାନଙ୍କୁ ସାର୍ବଜନୀନ ଶୃଙ୍ଖଳା ପାଇଁ ବିପଦ ଦର୍ଶାଇ ଅଟକ ରଖାଯାଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ଇମ୍ରାନଙ୍କ ଓକିଲଙ୍କ ଦାବି ଅନୁସାରେ, ପୋଲିସ ଗିରଫ ବେଳେ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଅଟକ ରଖିଥିଲା। ପରେ ଶିଶୁମାନଙ୍କୁ ଛାଡ଼ି ଦିଆଯାଇଥିଲା।
ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବି ୨୦୨୩ରୁ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି। ଦୁର୍ନୀତି ସମ୍ବନ୍ଧୀୟ ମାମଲାରେ ଦଣ୍ଡିତ ହେବା ପରେ ସେମାନେ ଜେଲରେ ଅଛନ୍ତି। ଏହାକୁ ନେଇ PTI ସମର୍ଥକ ଓ ପୋଲିସ ମଧ୍ୟରେ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ସଂଘର୍ଷ ହୋଇଛି। ସେପ୍ଟେମ୍ବର ୨୭ ମାର୍ଚ୍ଚକୁ ନେଇ ଏବେ ପାକିସ୍ତାନର ରାଜନୈତିକ ପରିସ୍ଥିତି ସରଗରମ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।