Deep Depression Triggers Flood Fears: ଗଭୀର ଅବପାତରେ ବନ୍ୟା ଆଶଙ୍କା, ଫୁଲୁଛି ଓଡ଼ିଶାର ବିଭିନ୍ନ ନଦୀ

Sep 25, 2026 - 20:04
Deep Depression Triggers Flood Fears: ଗଭୀର ଅବପାତରେ ବନ୍ୟା ଆଶଙ୍କା, ଫୁଲୁଛି ଓଡ଼ିଶାର ବିଭିନ୍ନ ନଦୀ

ବାତ୍ୟା ସିନା ହେଲାନି, କିନ୍ତୁ ଗଭୀର ଅବପାତ ବୁଡ଼ାଇଦେଲା ଗାଁ ଗଣ୍ଡାକୁ, ଭସାଇଦେଲା ଚାଷ ବାସ ସହ ଘରଦ୍ବାର, ରାସ୍ତାଘାଟକୁ। ଚାରିଆଡ଼େ ଏବେ ଜଳବନ୍ଦୀର ଚିତ୍ର। ନା ଘରୁ ବାହାରି ହେଉଛି ନା ବାହାରୁ ଘରକୁ ଫେରି ହେଉଛି। ଦକ୍ଷିଣରୁ ପଶ୍ଚିମ, ଉତ୍ତରରୁ ପୂର୍ବ। ସବୁଠି ଘାଣ୍ଟି ପକାଇଛି ଅବପାତ ବର୍ଷା। ଗଭୀର ଅବପାତର ୨ ଦିନିଆ ନନଷ୍ଟପ୍ ବର୍ଷା ମାଡ଼ରେ ଉବୁଟୁବୁ ଉଦଳା ବ୍ଲକ ଦୁଗୁଧା ପଞ୍ଚାୟତର ଗାଁ ଗଣ୍ଡା। କୋରାପୁଟ ଜୟପୁରରେ ଯେ ପର୍ଯ୍ୟନ୍ତ ଆପଣଙ୍କ ଆଖି ପାଉଛି, ସେ ପର୍ଯ୍ୟନ୍ତ ଲହଡ଼ି ଭାଙ୍ଗୁଛି ପାଣି। ତାହାରି ଭିତରେ ବୁଡ଼ିଯାଇଛି ରାସ୍ତାଘାଟ ସହ କ୍ଷେତବାଡ଼ି। ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ପ୍ରକଳ୍ପ ଓ ମୁରାନ ଡ୍ୟାମର ଗେଟ୍ ଫିଟିବା ପରେ କୋଟପାଡ଼ ବ୍ଲକରେ ଗମ୍ଭୀର ବନ୍ୟା ସ୍ଥିତି ଉପୁଜିଛି। ଜୟପୁର-ବରଗାଁ-କୁନ୍ଦୁରା ରାସ୍ତାରେ ପାଣି ଚାଲୁଥିବାରୁ ବିଚ୍ଛିନ୍ନ ହୋଇଯାଇଛି ଗମନା ଗମନ। ସେହିପରି ବେହାଲ ହୋଇପଡ଼ିଛି ଜୟପୁର ସହରର ଅବସ୍ଥା। ସମାନ ଅବସ୍ଥା ନବରଙ୍ଗପୁର ଜିଲ୍ଲାରେ। ଝରିଗାଁ ବ୍ଲକରେ ତୁହାକୁ ତୁହା ବର୍ଷା ଯୋଗୁ ଘରେ ବାହାରେ ସବୁଠି ପାଣି ଜମିଛି।

କଳାହାଣ୍ଡି କଲମପୁର ବ୍ଲକ ବିରିପୁର ଅଞ୍ଚଳରେ ବହୁଚର୍ଚ୍ଚିତ ହାତୀନଦୀର ଜଳ ବନ୍ଦୀ କରିଦେଇଛି ଗାଁ ଲୋକଙ୍କୁ। ନଈ କୁଳିଆଙ୍କ ମନରେ ଏବେ ଛନକା ପଶିଛି। ଗଭୀର ଅବପାତର ରାଡାରରେ ଥିବା ଗଂଜାମର ଅବସ୍ଥା ତ ଆହୁରି ଦୟନୀୟ। ଫୁଲିଛି ଋଷିକୂଲ୍ୟା ନଦୀ। ପୁରୁଷୋତ୍ତମପୁର ନିକଟରେ ଛୁଇଁଲାଣି ବିପଦ ସଙ୍କେତ ପାଖାପାଖି। ଆଉ ବଢ଼ି ପାଣି ଏବେ ଭୟ ବଢ଼ାଇଛି ଆଖ ପାଖ ଗାଁ ଲୋକଙ୍କୁ। ସେପଟେ ଆସିକା ବ୍ରାହ୍ମଣଛାଇରେ ଘାଇ ଯୋଗୁ ବାଘୁଆ ନଦୀର ପାଣି ମାଡ଼ି ଯାଇଛି। ତେଣୁ ଧନଜୀବନ ରକ୍ଷା ପାଇଁ ରାତି ଅନିଦ୍ରା ହୋଇ ଜଗିରହୁଛନ୍ତି ଲୋକେ। 

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଭଳି ପୂର୍ବ ଓଡ଼ିଶାର ଗାଁ ଗଣ୍ଡାକୁ ବିଗାଡ଼ି ଦେଇଛି ଗଭୀର ଅବପାତ। ଯାଜପୁର ଦଶରଥପୁରରେ କାଣିନଦୀର ବନ୍ୟା ପାଣି ମାଡ଼ରେ ଧସିଯାଇଛି ମରାମତି ଘାଇ। ଫଳରେ ୩ଟି ପଞ୍ଚାୟତରେ ପଶିଚାଲିଛି ବନ୍ୟା ଜଳ। ସେପଟେ ବାଲେଶ୍ବର ଜିଲ୍ଲାରେ ବି ଫୁଲୁଛି ସୁବର୍ଣ୍ଣରେଖା। ଯେଉଁଠି ଚତୁର୍ଥ ଥର ବନ୍ୟା ଆଶଙ୍କା ଉପୁଜିଛି। ସୁବର୍ଣ୍ଣରେଖା ଭଳି ମୟୁରଭଞ୍ଜରେ ପ୍ରବଳ ବର୍ଷା ଫଳରେ ଜଳେଶ୍ବର ଅଞ୍ଚଳରେ ଜଳକା ନଦୀର ଜଳସ୍ତର ବଢ଼ିବାରେ ଳାଗିଛି। ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଜମି ପୁଣି ଥରେ ଜଳମଗ୍ନ ହେବାର ଆଶଙ୍କା ଘାରିଛି। ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲାର ଅବସ୍ଥା ବି ନକହିବା ଭଲ। କାରଣ ସହର ହେଉ କି ଗାଁ ଗଣ୍ଡା, ବୈତରଣୀ ଓ ସାଳନ୍ଦୀ ନଦୀର ପାଣି ମାଡ଼ି ଉବୁଟୁବୁ କଲାଣି। 

ଏକଥା ସତ ଯେ, ଆଉ ନାହିଁ ଗଭୀର ଅବପାତ। କ୍ରମେ ଦୁର୍ବଳ ହେବା ସହ ଲଘୁଚାପ ଆଡ଼କୁ ମୁହାଁଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅବପାତ ବରଗଡ଼ ଦେଇ ଛତିଶଗଡ଼ ମୁହାଁଇଛି। ଫଳରେ ଝାରସୁଗୁଡ଼ା, ସମ୍ୱଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। କାଲି ଆଡ଼କୁ ପାଗର ମିଜାଜ୍ ବଦଳିବ। ତେଣୁ ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।