ITBP Recruitment 2026: ITBPରେ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି, ଆଜିଠୁ ଆବେଦନ; ଦରମା ୬୯ ହଜାର, ଜାଣନ୍ତୁ ଯୋଗ୍ୟତା

Oct 03, 2026 - 18:03
ITBP Recruitment 2026: ITBPରେ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି, ଆଜିଠୁ ଆବେଦନ; ଦରମା ୬୯ ହଜାର, ଜାଣନ୍ତୁ ଯୋଗ୍ୟତା

ଚାକିରି ଆଶାୟୀ ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଭଲ ଖବର। ଭାରତ-ତିବ୍ବତ ସୀମା ପୋଲିସ ବଳ ବା ITBP ପକ୍ଷରୁ ସ୍ପୋର୍ଟ୍ସ କୋଟା ଅଧୀନରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏହି ପଦବୀ ପାଇଁ ପୁରୁଷ ଓ ମହିଳା ଉଭୟ ପ୍ରାର୍ଥୀ ଆବେଦନ କରିପାରିବେ।

ନିର୍ଦ୍ଧାରିତ ସୂଚୀ ଅନୁସାରେ ୩ ଅକ୍ଟୋବର ୨୦୨୬ରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୧ ନଭେମ୍ବର ୨୦୨୬ ରାତି ୧୧ଟା ୫୯ ମିନିଟ୍ ରହିଛି। ଶେଷ ମୁହୂର୍ତ୍ତର ଅପେକ୍ଷା ନକରି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସମୟ ମଧ୍ୟରେ ଆବେଦନ ସାରିବାକୁ କୁହାଯାଇଛି।

କେତେ ପଦବୀ ଖାଲି?

ମୋଟ ୧୨୬ଟି ପଦବୀ ମଧ୍ୟରୁ ପୁରୁଷଙ୍କ ପାଇଁ ୭୨ଟି ଏବଂ ମହିଳାଙ୍କ ପାଇଁ ୫୪ଟି ପଦବୀ ରହିଛି। ଏହି ନିଯୁକ୍ତି ଗ୍ରୁପ୍-‘C’ ନନ୍-ଗେଜେଟେଡ୍ ଓ ନନ୍-ମିନିଷ୍ଟେରିଆଲ୍ ବର୍ଗରେ ହେବ।

କେତେ ମିଳିବ ଦରମା?

ଚୟନିତ ପ୍ରାର୍ଥୀଙ୍କୁ ପେ ଲେଭଲ୍-୩ ଅନୁଯାୟୀ ଦରମା ମିଳିବ। ମାସିକ ବେତନ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ମଧ୍ୟରେ ରହିବ।

କେଉଁ କ୍ରୀଡ଼ାରେ ରହିଛି ସୁଯୋଗ?

ITBP ପକ୍ଷରୁ ମୋଟ ୨୮ଟି କ୍ରୀଡ଼ା ବିଭାଗରେ ପଦବୀ ରଖାଯାଇଛି। ଏଥିରେ ଆଥଲେଟିକ୍ସ, ଜଳକ୍ରୀଡ଼ା, ତୀରନ୍ଦାଜୀ, ବ୍ୟାଡମିଣ୍ଟନ, ବାସ୍କେଟବଲ୍, ବକ୍ସିଂ, ଘୋଡ଼ାଚଢ଼ା, ଫୁଟବଲ୍, ଜିମ୍ନାଷ୍ଟିକ୍ସ, ହ୍ୟାଣ୍ଡବଲ୍, ଆଇସ୍ ହକି, ହକି, ଜୁଡୋ, ଖୋ-ଖୋ, ପେଞ୍ଚକ ସିଲାଟ୍, ପାୱାରଲିଫ୍ଟିଂ, ସ୍କିଂ, ଶୁଟିଂ, ଟେବୁଲ୍ ଟେନିସ୍, ତାଇକ୍ୱାଣ୍ଡୋ, ଭଲିବଲ୍, ଭାରୋତ୍ତୋଳନ, କୁସ୍ତି, କାନୋଇଂ, କାୟାକିଂ, ରୋଇଂ, MTB ସାଇକ୍ଲିଂ ଓ କରାଟେ ରହିଛି।

ସବୁଠାରୁ ଅଧିକ ଜୁଡୋରେ ୧୨ଟି, ବକ୍ସିଂରେ ୯ଟି, ସ୍କିଂ ଓ ଶୁଟିଂରେ ୮ଟି ଲେଖାଏଁ ପଦବୀ ରହିଛି।

କିଏ କରିପାରିବେ ଆବେଦନ?

ଏହି ନିଯୁକ୍ତି ମୁଖ୍ୟତଃ ମେଧାବୀ କ୍ରୀଡ଼ାବିତ୍‌ଙ୍କ ପାଇଁ। ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ପୁରୁଷ ଓ ମହିଳା ଭାରତୀୟ ନାଗରିକ ଆବେଦନ କରିପାରିବେ। ନିର୍ଦ୍ଧାରିତ ସର୍ତ୍ତ ପୂରଣ କଲେ ନେପାଳ ଓ ଭୁଟାନର ନାଗରିକ ମଧ୍ୟ ଆବେଦନ କରିପାରିବେ। ତେବେ କେବଳ ଆବେଦନ କଲେ ହେବନାହିଁ। ପ୍ରାର୍ଥୀଙ୍କ କ୍ରୀଡ଼ା ସଫଳତା, ପ୍ରମାଣପତ୍ର ଓ ନିର୍ଦ୍ଧାରିତ ସ୍ପୋର୍ଟ୍ସ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ।

ବୟସ ସୀମା କେତେ?

  • କନଷ୍ଟେବଳ (ଜେନେରାଲ ଡ୍ୟୁଟି) ସ୍ପୋର୍ଟ୍ସ କୋଟା ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
  • ମେଧାବୀ କ୍ରୀଡ଼ାବିତ୍‌ମାନଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ୫ ବର୍ଷ ବୟସ ଛାଡ଼ ମିଳିପାରେ। ଏସ୍‌ସି ଓ ଏସ୍‌ଟି ବର୍ଗର ମେଧାବୀ କ୍ରୀଡ଼ାବିତ୍‌ମାନଙ୍କୁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ବୟସ ଛାଡ଼ ମିଳିବ।

ଆବେଦନ ଫି’ କେତେ?

  • ସାଧାରଣ, OBC ଓ EWS ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫି’ ଦେବାକୁ ପଡ଼ିବ।
  • ମହିଳା ପ୍ରାର୍ଥୀ, SC, ST ଓ ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ କୌଣସି ଆବେଦନ ଫି’ ନାହିଁ।

କିପରି କରିବେ ଆବେଦନ?

  • ପ୍ରାର୍ଥୀଙ୍କୁ ITBPର ଅଫିସିଆଲ୍ ରିକ୍ରୁଟମେଣ୍ଟ ୱେବସାଇଟ୍‌କୁ ଯାଇ ସ୍ପୋର୍ଟ୍ସ କୋଟା ଅଧୀନରେ କନଷ୍ଟେବଳ (GD) ନିଯୁକ୍ତି ବିଜ୍ଞପ୍ତି ଖୋଲିବାକୁ ପଡ଼ିବ। ପ୍ରଥମେ ଯୋଗ୍ୟତା ଓ କ୍ରୀଡ଼ା ପ୍ରମାଣପତ୍ର ସମ୍ପର୍କିତ ସବୁ ସର୍ତ୍ତ ଭଲଭାବେ ପଢ଼ିବା ଜରୁରୀ।
  • ଏହାପରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ବ୍ୟକ୍ତିଗତ, ଶିକ୍ଷାଗତ ଓ କ୍ରୀଡ଼ା ସମ୍ପର୍କିତ ତଥ୍ୟ ଭରିବାକୁ ପଡ଼ିବ। ଆବଶ୍ୟକ ଡକ୍ୟୁମେଣ୍ଟ ଓ କ୍ରୀଡ଼ା ପ୍ରମାଣପତ୍ର ଅପଲୋଡ୍ କରି ଯେଉଁମାନଙ୍କ ପାଇଁ ଫି’ ଲାଗୁଛି ସେମାନେ ଫି’ ଜମା କରିବେ।
  • ସମସ୍ତ ତଥ୍ୟ ଯାଞ୍ଚ କରି ୧ ନଭେମ୍ବର ୨୦୨୬ ରାତି ୧୧ଟା ୫୯ ମିନିଟ୍ ପୂର୍ବରୁ ଆବେଦନ ଦାଖଲ କରିବାକୁ ପଡ଼ିବ। ଆବେଦନ ଦାଖଲ ହେବା ପରେ ଫର୍ମର ଏକ କପି ଡାଉନଲୋଡ୍ କରି ରଖିବା ଭଲ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।