Jagannath Temple Heritage Gets Stronger Trademark Shield: ଶ୍ରୀଜଗନ୍ନାଥ ମନ୍ଦିରର ଆଉ ୩ ପରିଚୟକୁ ଟ୍ରେଡମାର୍କ ସୁରକ୍ଷା

Sep 08, 2026 - 18:22
Jagannath Temple Heritage Gets Stronger Trademark Shield: ଶ୍ରୀଜଗନ୍ନାଥ ମନ୍ଦିରର ଆଉ ୩ ପରିଚୟକୁ ଟ୍ରେଡମାର୍କ ସୁରକ୍ଷା

‘ଶ୍ରୀମନ୍ଦିର’, ‘ରତ୍ନଭଣ୍ଡାର’ ଓ ‘ଶ୍ରୀ ନହର’ ଟ୍ରେଡ୍‌ମାର୍କ ପ୍ରକାଶନ ପାଇଁ ଗ୍ରହଣ

ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ଆଉ ତିନିଟି ଐତିହାସିକ ଓ ସ୍ୱତନ୍ତ୍ର ପରିଚୟକୁ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ଦେବା ଦିଗରେ ବଡ଼ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ (SJTA)। ‘ଶ୍ରୀମନ୍ଦିର’, ‘ରତ୍ନଭଣ୍ଡାର’ ଓ ‘ଶ୍ରୀ ନହର’ ନାମରେ ଦାଖଲ ହୋଇଥିବା ଟ୍ରେଡମାର୍କ ଆବେଦନକୁ ଟ୍ରେଡ୍‌ମାର୍କ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶନ ପାଇଁ ଗ୍ରହଣ କରାଯାଇଛି।

‘ଶ୍ରୀମନ୍ଦିର’ ପାଇଁ କ୍ଲାସ୍ ୧୯ ଓ ୪୫, ‘ରତ୍ନଭଣ୍ଡାର’ ପାଇଁ କ୍ଲାସ୍ ୧୪ ଓ ୪୫ ଏବଂ ‘ଶ୍ରୀ ନହର’ ପାଇଁ କ୍ଲାସ୍ ୧୯ରେ ଟ୍ରେଡମାର୍କ ସୁରକ୍ଷା ପ୍ରକ୍ରିୟା ଆଗକୁ ବଢ଼ିଛି।
ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ‘ଆନନ୍ଦ ବଜାର’, ‘ପତିତପାବନ’ ଏବଂ ‘ନୀଳଚକ୍ର’ ଲୋଗୋକୁ ଟ୍ରେଡମାର୍କ ସୁରକ୍ଷା ମିଳିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଓ ‘କୋଇଲି ବୈକୁଣ୍ଠ’ ସମେତ ୫ଟି ଆବେଦନ ପ୍ରକାଶନ ପାଇଁ ଗ୍ରହଣ କରାଯାଇଥିଲା।

ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ଅନନ୍ୟ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ଶ୍ରୀମନ୍ଦିର ସହ ସମ୍ପୃକ୍ତ ନାମ ଓ ପରିଚୟର ଅନଧିକୃତ କିମ୍ବା ଅନୁଚିତ ବାଣିଜ୍ୟିକ ବ୍ୟବହାରକୁ ରୋକିବାରେ ଟ୍ରେଡମାର୍କ ସୁରକ୍ଷା ସହାୟକ ହେବ। 

ସୂଚନା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୨୯ଟି ଟ୍ରେଡମାର୍କ ଆବେଦନ ଦାଖଲ କରାଯାଇଛି। ଅବଶିଷ୍ଟ ଆବେଦନଗୁଡ଼ିକର ପ୍ରକ୍ରିୟା ମଧ୍ୟ ଜାରି ରହିବ ବୋଲି SJTA ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ଓ ସ୍ୱତନ୍ତ୍ର ଐତିହ୍ୟ ସହ ଜଡ଼ିତ ପରିଚୟଗୁଡ଼ିକର ଉପଯୁକ୍ତ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।