Karma Puja Preparations Turn Tragic: ନଦୀକୁ ବାଲି ଆଣିବାକୁ ଯାଇଥିଲେ, ଆଉ ଫେରିଲେନି ୩ କୁନି ଝିଅ

Sep 16, 2026 - 12:58
Karma Puja Preparations Turn Tragic: ନଦୀକୁ ବାଲି ଆଣିବାକୁ ଯାଇଥିଲେ, ଆଉ ଫେରିଲେନି ୩ କୁନି ଝିଅ

ନଦୀରେ ବୁଡ଼ି ୩ ନାବାଳିକା ମୃତ । ବାଲି ଆଣିବାକୁ ଯାଇ ନଦୀରେ ବୁଡ଼ି ୩ ନାବାଳିକାଙ୍କର ମୃତ୍ୟୁ ଘଟିଛି । କରମା ପୂଜା ପାଇଁ ନଦୀକୁ ବାଲି ଆଣିବାକୁ ଯାଇଥିବା ବେଳେ ବୁଡ଼ିଗଲେ । ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ସଲଙ୍ଗାବାହାଲରେ ଅଭାବନୀୟ ଘଟଣା । ବୀରମିତ୍ରପୁର ମେଡିକାଲ୍ ରେ ମୃତ ଘୋଷଣା କଲେ ଡାକ୍ତର । 

ସୁନ୍ଦରଗଡ଼ ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ରାଏବୋଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ଗ୍ରାମରେ କରମା ପୂଜା ପ୍ରସ୍ତୁତି ଚାଲିଥିବା ବେଳେ ଏହି ଘଟଣା ଘଟିଛି। ଶଙ୍ଖ ନଦୀକୁ ବାଲି ଆଣିବାକୁ ଯାଇଥିବା ବେଳେ ନଦୀ ପାଣିରେ ବୁଡ଼ି ଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗାଁର ପରମ୍ପରା ଓ ରୀତିନୀତି ଅନୁସାରେ କରମା ପୂଜା ପାଇଁ ଶଙ୍ଖ ନଦୀରୁ ବାଲି ଆଣିବାକୁ ଗ୍ରାମବାସୀ ଓ ପିଲାମାନେ ଯାଇଥିଲେ। ପୂଜା ସାମଗ୍ରୀ ଓ ବାଲି ନେବା ପରେ ଅଧିକାଂଶ ଲୋକ ଘରକୁ ଫେରି ଆସିଥିଲେ, ମାତ୍ର ୬ ରୁ ୮ ବର୍ଷ ବୟସର ତିନିଜଣ ଛୋଟ ଝିଅ ନଦୀ ପାଖରେ ରହିଯାଇଥିଲେ। ଏହି ସମୟରେ ହଠାତ୍ ତିନିଜଣଯାକ ନଦୀର ସୁଅରେ ଫସିଯାଇ ବୁଡ଼ିଯାଇଥିଲେ।

ପିଲାମାନେ ଗାଁକୁ ନଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା ଏବଂ ପରେ ତିନିଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ 
ବୀରମିତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଡାକ୍ତରଖାନାରେ ପ୍ରାଥମିକ ଯାଞ୍ଚ ପରେ ଡାକ୍ତର ତିନି ଶିଶୁକନ୍ୟାଙ୍କୁ ମୃତ ଘୋଷଣା 
କରିଥିଲେ।

ଏହି ସମୟରେ ସମଗ୍ର ଅଞ୍ଚଳରେ ଗଣେଶ ପୂଜା, ନୂଆଖାଇ ଓ କର୍ମା ପୂଜାର ପର୍ବ ଆନନ୍ଦ-ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ଏହି ଦୁଃଖଦ ଘଟଣା ପରେ ସଲଙ୍ଗାବାହାଲ ଗାଁରେ ହସଖୁସି ପରିବର୍ତ୍ତେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟିପଡୁଛି ଗାଁ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।