Koida: କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ ଦୁର୍ଘଟଣା, ସୁସ୍ଥ ହୋଇ କାର୍ଯ୍ୟକ୍ଷେତ୍ରକୁ ଫେରିଲେ ସମସ୍ତ ଆହତ ଶ୍ରମିକ
"କୋଇଡା: କୋଇଡା ଖଣି ମଣ୍ଡଳ ଅଧୀନ ରୁଙ୍ଗଟା ମାଇନ୍ସ ଲିମିଟେଡ୍ର କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ରେ ସେପ୍ଟେମ୍ବର ୧୨ ତାରିଖ ସକାଳେ ଘଟିଥିବା ବିସ୍ଫୋରଣ ଘଟଣାକୁ ନେଇ ପ୍ରଶାସନିକ ତଦନ୍ତ ଶେଷ ହୋଇଛି।
ନିର୍ଦ୍ଦେଶ କ୍ରମେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଅଧିକାରୀମାନେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ତଦନ୍ତ କରି ରିପୋର୍ଟ ଜିଲ୍ଲାପାଳ ଓ କୋର୍ଟକୁ ପଠାଇଥିବା ଜଣାପଡ଼ିଛି।
ସେପ୍ଟେମ୍ବର ୧୨ ତାରିଖ ସକାଳ ପ୍ରାୟ ୯ ଟା ୫୦ରେ ଏସ୍ଏମ୍ଏସ୍ ସ୍ଲାଗ୍ ପିଟ୍ ନିକଟରେ ହଠାତ୍ ବିସ୍ଫୋରଣ ଘଟିଥିଲା।
ଘଟଣା ସମୟରେ କ୍ରେନ୍ ଦ୍ୱାରା ଚଳାଚଳ କରୁଥିବା ଲାଡେଲ୍ ବକେଟ୍ଟି କ୍ରେନ୍ ମୋଡ଼ିଯିବାରୁ ତଳେ ସ୍ଥଳଭାଗ ଛୁଇଁଥିଲା ଏବଂ ଏଥିରେ ଥିବା ତରଳ ଲୁହା ତଳେ ଜମିଥିବା ପାଣି ଅଂଶ ସଂସ୍ପର୍ଶରେ ଆସିବା ପରେ ତୀବ୍ର ପ୍ରତିକ୍ରିୟା( ବିସ୍ଫୋରଣ) ଘଟିଥିବା ପ୍ରାଥମିକ ତଥ୍ୟରୁ ଜଣାପଡ଼ିଥିଲା।
ଏହାର ପ୍ରଭାବରେ ଧୂଆଁ ଓ ଗରମ ତରଳ ପଦାର୍ଥର ଛିଟିକା ଚାରିଆଡ଼େ ପଡ଼ିଥିଲା।
ନିକଟରେ କାର୍ଯ୍ୟରତ ଥିବା ୬ ଜଣ ଶ୍ରମିକ ଆହତ ହୋଇଥିଲେ।
ସେମାନଙ୍କୁ ତୁରନ୍ତ ପ୍ଲାଣ୍ଟ୍ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା।
ଭୟରେ ଦୌଡିବା କାରଣରୁ ୪ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣଙ୍କ ହାତ ଓ ମୁଣ୍ଡରେ ପୋଡ଼ା ଆଘାତ ଲାଗିଥିବା ସୂଚନା ମିଳିଥିଲା।
ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଦୁର୍ଘଟଣାସ୍ଥଳକୁ ସିଲ୍ କରାଯାଇଥିଲା।
ଏପଟେ ଘଟଣାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ସହ ମୃତାହତଙ୍କ ସଂଖ୍ୟାକୁ ନେଇ ବିଭିନ୍ନ ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା।
ଏପରିକି ୪୦ରୁ ୫୦ ଏବଂ ୧୦୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଭଳି ଦାବି ମଧ୍ୟ ଚାଲିଥିଲା।
ଖବର ପାଇ କୋଇଡା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ।
ତେବେ ଘଟଣାସ୍ଥଳରେ ଆହତ ଶ୍ରମିକଙ୍କ ବ୍ୟତୀତ ଅନ୍ୟ କୌଣସି ମୃତାହତଙ୍କ ସୂଚନା ମିଳିନଥିଲା ବୋଲି ପ୍ରକାଶ କରିଥିଲେ ।
Advertisment ଘଟଣା ସମ୍ପର୍କରେ ପ୍ଲାଣ୍ଟ୍ କର୍ତ୍ତୃପକ୍ଷ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟକୁ ଅବଗତ କରିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।
ସେପ୍ଟେମ୍ବର ୧୩ ତାରିଖରେ ରାଉରକେଲାସ୍ଥିତ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶୁଭେନ୍ଦୁ ରାଉତଙ୍କ ସମେତ କୋଇଡା ଓ ଗୁରୁଣ୍ଡିଆ ଶ୍ରମ ବିଭାଗର ଅଧିକାରୀମାନେ ପ୍ଲାଣ୍ଟ୍ରେ ପହଞ୍ଚିଥିଲେ।
ଅଧିକାରୀମାନେ ପ୍ରାୟ ୧୧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ଯନ୍ତ୍ରପାତିର ସ୍ଥିତି, ଦୁର୍ଘଟଣାର ପରିସ୍ଥିତି, ସୁରକ୍ଷା ବ୍ୟବସ୍ଥା ଏବଂ ଘଟଣା ସମୟରେ ଉପସ୍ଥିତ ଶ୍ରମିକମାନଙ୍କ ଓ ଆହତଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ।
ଆହତ ଶ୍ରମିକଙ୍କ ସମେତ ଅନ୍ୟ ଶ୍ରମିକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା।
ତଦନ୍ତ ପରେ ଅଧିକାରୀମାନେ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଆହତ ହୋଇଥିବା ସମସ୍ତ ୬ ଜଣ ଶ୍ରମିକ ଚିକିତ୍ସା ପରେ ସୁସ୍ଥ ହୋଇ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରିଥିବା ଜଣାପଡ଼ିଛି।
ଘଟଣାକୁ ନେଇ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଅପ୍ରମାଣିତ ତଥ୍ୟକୁ ବିଶ୍ୱାସ ନକରିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିବା ସୂଚନା ମିଳିଛି।
ଏ ନେଇ ବିଭାଗୀୟ ପ୍ରତିକ୍ରିୟା: ଇଂ ଶୁଭେନ୍ଦୁ ରାଉତ ( ଅତିରିକ୍ତ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ, ରାଉରକେଲା): ୧୩ ସେପ୍ଟେମ୍ବର ଆମେ ତଦନ୍ତ ପାଇଁ ଯାଇ ସମସ୍ତ ଦିଗରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲୁ ଏବଂ ଆହତ ଓ ଅନ୍ୟ ଶ୍ରମିକଙ୍କ ବୟାନ ରେକର୍ଡ କରାଯାଇ ରିପୋର୍ଟ ପଠାଇଛୁ ।
ଘଟଣା ରେ କେହିବି ମୃତାହତ ହୋଇ ନାହାନ୍ତି ଏବଂ ଦୁର୍ଘଟଣା ରେ ଯେଉଁମାନେ ଆହତ ହେଲେ ସେମାନେ ସାମାନ୍ୟ ଆହତ ଥିଲେ ଓ ଚିକିତ୍ସା ପରେ କାର୍ଯ୍ୟକ୍ଷେତ୍ରକୁ ଯୋଗଦେଲେଣି ।
ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ସୁରକ୍ଷା ଦୃଷ୍ଟିରୁ ଉନ୍ନତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଫରନେନ୍ସ ନୁହେଁ ଲାଡେଲ୍ ପଡିଥିଲା ଓ ଏହା ତଳେ କି ଆଖପାଖରେ କେହି ଶ୍ରମିକ ରୁହନ୍ତି ନାହିଁ ।
ଲାଡେଲ୍ ଓ ଜଳୀୟ ସଂସ୍ପର୍ଶରେ ବିସ୍ଫୋରଣ ହେବା ସ୍ୱାଭାବିକ ।
ମୃତାହତ ଗୁଜବ ସମ୍ପୁର୍ଣ୍ଣ ମିଛ ।
ପଦ୍ମାବତୀ ମାରାଣ୍ଡି ( ଜିଲ୍ଲା ଶ୍ରମ ଅଧିକାରୀ, ରାଉରକେଲା ) : ନିର୍ଦ୍ଦେଶ କ୍ରମେ ସମସ୍ତ ଦିଗରୁ ତଦନ୍ତ ହୋଇଥିଲା , ସାମାନ୍ୟ ଆହତ ଶ୍ରମିକ ସୁସ୍ଥ ହୋଇ ପୁନଃ କାର୍ଯ୍ୟରତ, ମୃତାହତ ହୋଇ ନାହାନ୍ତି ।
ରାମଚନ୍ଦ୍ର ବିଶ୍ୱାଳ ( ଉପଖଣ୍ଡ ପୁଲିସ୍ ଅଧିକାରୀ, ବଣାଇଁ) : ଘଟଣା ର ତଦନ୍ତ ପାଇଁ ଥାନା ଅଧିକାରୀ ସମେତ ଟିମ୍ ଯାଇଥିଲେ ।
ଦୁର୍ଘଟଣା ରେ କେହି ଗଭୀର ଆହତ ହୋଇ ନ ଥିଲେ ।
ମିଛ ଗୁଜବ ପ୍ରଚାର ପ୍ରସାର ଠାରୁ ଦୁରରେ ରହିବାକୁ ଅନୁରୋଧ ।
Deep Depression: ଗଜପତିରେ ଗଭୀର ଅବପାତ ପ୍ରଭାବ: ସନ୍ଧ୍ୟାରୁ ଲାଗିରହିଛି ବର୍ଷା; ଆଗକୁ ବଢ଼ିପାରେ ତୀବ୍ରତା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।