Kotia Border Dispute Escalates: ନିର୍ବାଚନ ପୂର୍ବରୁ କୋଟିଆରେ ଉତ୍ତେଜନା, ଆନ୍ଧ୍ର-ଓଡ଼ିଶା ପୋଲିସ ମୁହାଁମୁହିଁ
ଓଡ଼ିଶା ଭିତରେ ଧସେଇ ପଶିବାକୁ ସବୁ ସୀମା ଟପିଲା ଆନ୍ଧ୍ର ପ୍ରଦେଶ।
ପୋଲିସ୍ ପଠାଇ କୋଟିଆରେ ପଶିବାକୁ, କୋଟିଆକୁ ହାତେଇବାକୁ କଳ ବଳ କୌଶଳ ଲଗାଇଛି ଆନ୍ଧ୍ର।
ସମସ୍ତଙ୍କ ଆଗରେ ସମସ୍ତଙ୍କୁ ଧମକାଇ।
କୋଟିଆରେ ବୁଝାମଣା ମାଧ୍ୟମରେ ଜଣେ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଏବଂ ଓଡ଼ିଶା ପଟେ ବୁଥ୍ ନହେବା ନିଷ୍ପତ୍ତି ପରେ ରକ୍ତ ଚାଉଳ ଚୋବାଇଛି।
ଓଡ଼ିଶାର ଅଧିକାରୀଙ୍କ ସହ ଆନ୍ଧ୍ର ପୋଲିସର ଯୁକ୍ତିତର୍କ।
ଖାଲି ଯୁକ୍ତି ତ ନୁହେଁ ସିଧା ଯେମିତି ଧମକ ଦେଇ କୋଟିଆକୁ ହାତେଇବାକୁ ନାଲି ଆଖି ଦେଖାଇଛନ୍ତି।
Advertisment ଆଉ ଦିନକ ପରେ ଆନ୍ଧ୍ରର ପଞ୍ଚାୟତ ଓ ମଣ୍ଡଳ ନିର୍ବାଚନ।
କୋଟିଆକୁ କୋଟିଆର ଭୋଟରଙ୍କୁ ହାତେଇବାକୁ ସବୁ ପ୍ରକାର ଫନ୍ଦି ଫିକର କରି ଆନ୍ଧ୍ର ପଦାରେ ପଡ଼ିଛି।
କୋଟିଆ ଲୋକେ ନିର୍ବାଚନ କରାଇ ଦେବେନି ବୋଲି କହିଥିଲେ।
ତାସହ ସର୍ବ ଦଳୀୟ ବୈଠକରେ ଓଡ଼ିଶା ସରକାରଙ୍କ ସବୁ ନିୟମକୁ ମାନିବାକୁ ହଁ ଭରିଥିଲେ।
ବାସ୍ ଏଇ ଗୋଟିଏ ନିଷ୍ପତ୍ତି ପରେ ବାଉଳା ଚାଉଳା ଆନ୍ଧ୍ର ପ୍ରଦେଶ।
ଗତକାଲି ଚାଉଳ ପଠାଇ ନିଜ ପଟକୁ କରିବାକୁ ଆନ୍ଧ୍ର ଚେଷ୍ଟା କରିଥିଲା।
ହେଲେ ସୀମାରେ ଓଡ଼ିଶା ପୋଲିସ୍ ସେ ସବୁକୁ ଫେରାଇ ଦେଇଥିଲା।
ସେଠୁ ବିଦା ହେବା ପରେ ଆଜି ଦଳ ବଳ ଧରି ଅର୍ଥାତ କିଛି ଲୋକଙ୍କୁ ମତାଇ ଆନ୍ଧ୍ର ପୋଲିସ୍ ଜୋରଜବରଦସ୍ତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି।
ଓଡ଼ିଶା ପୋଲିସ୍ ଅଟକାଇବା ପରେ ବି ଏହାକୁ ଖାତିର କରିନଥିଲେ ଆନ୍ଧ୍ର ପୋଲିସର ଅଧିକାରୀ।
କୋରାପୁଟ ଉପଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ କଥାକୁ ବାଏଁ ବାଏଁ ଉଡ଼ାଇ ସିଧା ଭିତରକୁ ପଶିଛି।
ଏସବୁ ଭିତରେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, କୋଟିଆରେ ଆନ୍ଧ୍ରର କୌଣସି ବି ବୁଥ୍ କରାଇ ଦିଆଯିବନି।
ବାତ୍ୟା ବେଳେ କୋଟିଆରେ ଓଡ଼ିଶାର ଅଧିକାରୀ ଥିଲେ।
ଏବେ ବି ଅଛନ୍ତି।
କୋଟିଆ ଲୋକେ ଓଡ଼ିଶା ପଟେ ଅଛନ୍ତି, ଯେତେ ଷଡ଼ଯନ୍ତ୍ର କଲେ ବି କୋଟିଆ ଓଡ଼ିଶାରୁ ଯିବନି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଗ୍ରାଉଣ୍ଡରୁ ସୁପ୍ରିମକୋର୍ଟ ଯାଏଁ ଏଇ ଲଢ଼େଇ ଜାରି ରହିବ ବୋଲି ସେ ଦୋହରାଇଛନ୍ତି।
Advertisment କୋଟିଆ ବିବାଦ କିଛି ନୂଆ ନୁହେଁ।
କାହିଁ କେଉଁ ଦଶନ୍ଧିରୁ ଏଇ ଗାଁ ସବୁକୁ ନେବାକୁ ଲାଲ ଗଡ଼ାଇ ବସିଛି ଆନ୍ଧ୍ର ପ୍ରଦେଶ।
କେତେବେଳେ ହେଲଥ୍ କ୍ୟାମ୍ପ ତ ପୁଣି ଏବେ ନିର୍ବାଚନ ବାହାନାରେ ବାରମ୍ବାର ଅନୁପ୍ରବେଶ କରୁଛି।
ସବୁଠୁ ବଡ଼ କଥା ହେଲା ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ସତ୍ତ୍ୱେ ଆନ୍ଧ୍ର ଏଭଳି ଖୋଲାଖୋଲି ଉଲ୍ଲଂଘନ କରୁଛି।
ହେଲେ କୋଟିଆ ଲୋକେ କାହିଁକି ଆନ୍ଧ୍ରର ଭୋଟର୍ କାର୍ଡ ରଖିଛନ୍ତି, କାହିଁକି ସେପଟେ ଯିବାକୁ ଇଚ୍ଛା କରୁଛନ୍ତି।
ପ୍ରମୁଖ କାରଣ ହେଲା, (୧) ଆନ୍ଧ୍ରର ଲୋଭନୀୟ ଜନହିତକାରୀ ଯୋଜନା।
ଓଡ଼ିଶାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ହଜାରେ ଟଙ୍କା ଥିବା ବେଳେ ଏବେ ୪ ହଜାର ଟଙ୍କା ପାଉଛନ୍ତି ଆନ୍ଧ୍ରବାସୀ।
ତାସହ ଏକାଧିକ ସରକାରୀ ଯୋଜନାର ଏମାନେ ଲାଭାର୍ଥୀ।
ଦ୍ବିତୀୟ ପ୍ରମୁଖ କାରଣ ହେଉଛି, (୨) ଓଡ଼ିଆ ଓ ତେଲୁଗୁ ଭାଷା।
ଏଥର ବି ପଞ୍ଚାୟତ ନିର୍ବାଚନରେ ଭାଷାର ପ୍ରଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
୨୦୨୧ରୁ ବି ସମାନ ଢଙ୍ଗରେ କୋଟିଆକୁ ଆନ୍ଧ୍ରର ଅଧିକାରୀ ଅନୁପ୍ରବେଶ କରିବା ସହ ଯୁକ୍ତିତର୍କ କରିଥିଲେ।
ଓଡ଼ିଶାରେ ସରକାର ବଦଳିଛି, ଆନ୍ଧ୍ରରେ ବି ନୂଆ ସରକାର।
ହେଲେ କୋଟିଆ ସମସ୍ୟା ଯେମିତି କି ସେମିତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।