Land lease scam ପାଣିକୋଇଲିରେ ଜମି ଲିଜ୍ କେଳେଙ୍କାରୀ: ତଞ୍ଚକତା କରି ଦିଆଯାଇଛି ୭୩ ଏକର ଜମି
କୋରେଇ: ପାଣିକୋଇଲି ଅଞ୍ଚଳରେ ଏକ ବୃହତ୍ ବିଦ୍ୟୁତ୍ ଗ୍ରିଡ ସବଷ୍ଟେସନ ପ୍ରତିଷ୍ଠା ପାଇଁ ଓପିଟିସିଏଲ୍କୁ ଜମି ଦିଆଯାଉନାହିଁ। ଅଥଚ ଅଧିକାରୀମାନେ ବିନା ଯାଞ୍ଚରେ ଏକ ଘରୋଇ ଶିଳ୍ପ ସଂସ୍ଥାକୁ ୭୩ ଏକର ଜମି ଲିଜ୍ ଦେଇଛନ୍ତି। ବିନା ଅନୁସନ୍ଧାନରେ ତତ୍କାଳୀନ ଅଧିକାରୀମାନେ ଏହି ଜମି ଲିଜ୍ ପ୍ରଦାନ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଚିଠି ଲେଖି ଆପତ୍ତି ଉଠାଇବା ସହ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଇଡ୍କୋ ପରିଚାଳନା ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ଓ ଓପିଟିସିଏଲ୍ର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇ ଦୁଇଦିନ ଭିତରେ ଏହାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Khimji Jewellers: ଖିମଜୀ ଜୁଏଲର୍ସର ‘ରୌନକ ହୈ ତୁମସେ’ ଅଫର
ଉପମୁଖ୍ୟମନ୍ତ୍ରୀଙ୍କ ଆପତ୍ତି ପରେ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ଦୁଇଦିନ ଭିତରେ ଉତ୍ତର ରଖିବାକୁ ଇଡ୍କୋ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
କୃପାଳୁ ଧାନ ମିଲ୍କୁ ଜମି ଦେଲେ, ବିଦ୍ୟୁତ୍ ଗ୍ରିଡ ପାଇଁ କୁନ୍ଥକୁନ୍ଥ
ଉପମୁଖ୍ୟମନ୍ତ୍ରୀ ତାଙ୍କ ନୋଟ୍ ସିଟ୍ରେ ଉଲ୍ଲେଖ କରିଛନ୍ତି ଯେ ବ୍ୟାସନଗର ତହସିଲ ଅନ୍ତର୍ଗତ ପାଣିକୋଇଲି ଅଞ୍ଚଳର ପଥରପଦା ରାଜସ୍ବ ସର୍କଲ, ପାଣିକୋଇଲି ଓ ଧନପୁର ସର୍କଲରୁ କୃପାଳୁ ରାଇସ୍ ମିଲ ଏବଂ ତାଙ୍କର ଅନ୍ୟ ଏକ ଶିଳ୍ପ ପାଇଁ ଦିଆଯାଇଥିବା ଜମି ପ୍ରଦାନରେ ତଞ୍ଚକତା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କି, କୃପାଳୁ ରାଇସ୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ସିବିଜି (ବାୟୋ ଗ୍ୟାସ୍ ପ୍ଲାଣ୍ଟ) ଓ ଫର୍ମେଟେଡ୍ ଅର୍ଗାନିକ୍ ପ୍ଲାଣ୍ଟ୍ ପାଇଁ ପଥରପଦା ମୌଜା ଏବଂ ତାଜପୁର ମୌଜାରେ ଜମି ଦିଆଯାଇଛି। ତେବେ ଗୋଟିଏ କାରଖାନା ପାଇଁ ଗୋଟିଏ ମୌଜା ବା ସମାନ ସ୍ଥାନରୁ ଜମି ନଦେଇ ଏହାକୁ ପୃଥକ୍ ଭାବେ ଦିଆଯାଇଛି, ଯାହା ହେବା କଥା ନୁହେଁ। ତତ୍କାଳୀନ ସରକାରୀ ଅଧିକାରୀମାନେ ଏହାର ଠିକ୍ ଅନୁସନ୍ଧାନ ନକରି, ପ୍ରକଳ୍ପର ବୈଷୟିକ ଆବଶ୍ୟକତାକୁ ଦୃଷ୍ଟି ନଦେଇ ଏଭଳି ଜମି ଲିଜ୍ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଚାରଣ ଲିମିଟେଡ(ଓପିଟିସିଏଲ୍) ପକ୍ଷରୁ ପାଣିକୋଇଲିଠାରେ ଗ୍ରିଡ ସବଷ୍ଟେସନ ପାଇଁ ଜମି ପ୍ରଦାନ କରିବାକୁ ଉଚିତ ମନେ କରିନାହାନ୍ତି। ପାଣିକୋଇଲିରେ ୧୩.୫୦ ଏକର ଜମିରେ ୨୨୦/୧୩୨/୩୩ କେଭି ବିଦ୍ୟୁତ୍ ଗ୍ରିଡ ସବଷ୍ଟେସନ ପ୍ରତିଷ୍ଠା ପାଇଁ ଇଡ୍କୋକୁ ଜମି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା।
DMF ପାଣ୍ଠିରେ ୧୩୪ ବୁଥରେ ବିଦ୍ୟୁତ ସଂଯୋଗ, ମିଳୁନି ବିନିଯୋଗ ପ୍ରମାଣପତ୍ର
ତେବେ ପ୍ରସ୍ତାବିତ ଜମି ଇଡ୍କୋ ନାମରେ ରହିଛି ଓ ଏହା ଲିଜ୍ ଦିଆଯାଇସାରିଛି। ଯାହା ଏବେ ଦଖଲରେ ରହିଛି। ଗୋଟିଏ ପଟେ ଗ୍ରିଡ୍ ପ୍ରତିଷ୍ଠା ହେଲେ ଯାଜପୁର, ଭଦ୍ରକ ଜିଲ୍ଲାର ଶିଳ୍ପସଂସ୍ଥା ଓ ସାଧାରଣ ଲୋକ ଉପକୃତ ହେବାକୁ ଥିବାବେଳେ ତଞ୍ଚକତା କରି ଶିଳ୍ପସଂସ୍ଥାକୁ ପୃଥକ୍ ମୌଜାରୁ ଜମି ଦିଆଯାଇଛି। ତଥ୍ୟ ମୁତାବକ ଏହି ଜମିକୁ ଇଡ୍କୋ ପକ୍ଷରୁ ପଥରପଦା ରାଜସ୍ବ ସର୍କଲର ପଥରପଦା ମୌଜାରେ ୧୭.୮୬୯ ଏକର, ତାଜପୁର ମୌଜାରେ ୨୧.୪୩୯ ଏକର, ମହମ୍ମଦ ଜମାଲପୁର ମୌଜାରେ ୩.୮୨୬ ଏକର, ଦାମୋଦରପୁର ମୌଜାରେ ୧.୯୪ ଏକର, ପାଣିକୋଇଲି ରାଜସ୍ବ ସର୍କଲର ଅଳତିରି ମୌଜାରେ ୦.୧୨ ଏକର, ଧନେଶ୍ବର ଆରଆଇ ସର୍କଲର ଆଲିଆ ମୌଜାରେ ୨୫.୮୯୮ ଏକର ଓ ଧନପୁର ମୌଜାରେ ୨.୫୭୪ ଏକର ଏମିତି ମୋଟ ୭୩.୬୬୬ ଏକର ଜମି ପ୍ରଦାନ କରାଯାଇଛି। ସେଥିରୁ କୃପାଳୁ ରାଇସ୍ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍କୁ ୩୧.୦୯୩ ଏକର, ହରେକୃଷ୍ଣ ପ୍ରସେସିଂ ଆଣ୍ଡ ଏକ୍ସପର୍ଟସକୁ ୨୧.୪୮୪ ଏକର ଓ ଅନିରୁଦ୍ଧ ଦାଶଙ୍କୁ ୨୧.୦୮୫ ଏକର ଜମି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ପଚାରିବାରୁ ଚିଠି ବିଷୟରେ ସେ ଅବଗତ ନଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଆଜି ବ୍ୟସ୍ତ ଥିବାରୁ ଆସନ୍ତାକାଲି ଏହାର ତଦାରଖ କରିବେ ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।