Land: ନଦୀପଠା ନିଜ ନଁାରେ କରି ନେଇଥିଲେ: ଜିଏକୁ ଫେରିବ ୧୦୦ କୋଟିର ଜମି

Sep 18, 2026 - 06:03
Land: ନଦୀପଠା ନିଜ ନଁାରେ କରି ନେଇଥିଲେ: ଜିଏକୁ ଫେରିବ ୧୦୦ କୋଟିର ଜମି

"କଟକ: ଭୁବନେଶ୍ବରର ନହରକଣ୍ଟାଠାରେ କୁଆଖାଇ ନଦୀପଠାରେ ବେଆଇନ ଭାବେ ଦଖଲରେ ଥିବା ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫ ଏକର ଜମି ଏବେ ସାଧାରଣ ପ୍ରଶାସନ (ଜିଏ) ବିଭାଗ ନାମକୁ ଫେରିବାକୁ ଯାଉଛି।

୪୫ ବର୍ଷ ଧରି ଏହି ବିବାଦ ଲାଗି ରହିଥିଲା ବେଳେ ଏହାର ସମାଧାନ ହେବା ପାଇଁ ୬ ବର୍ଷ ସମୟ ଲାଗିଗଲା।

ସମସ୍ତ ରେକର୍ଡ ଓ ପ୍ରମାଣକୁ ବିଚାର କରି ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ଉକ୍ତ ନଦୀପଠା ଜମିର ବ୍ୟକ୍ତିଗତ ରେକର୍ଡକୁ ବାତିଲ କରିଛନ୍ତି।

ଏଥିସହ ଭୁବନେଶ୍ୱର ତହସିଲଦାରଙ୍କୁ ସାବକ ଓ ହାଲ୍‌ ରେକର୍ଡ, ମାନଚିତ୍ର ଏବଂ ବର୍ତ୍ତମାନର ସ୍ଥିତି ଯାଞ୍ଚ କରି ଆଇନ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ନାମରେ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ଦାସ ମାମଲା ପରିଚାଳନା କରୁଥିଲେ।Advertisment AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌ ବିବରଣୀ ଅନୁଯାୟୀ, ଭୁବନେଶ୍ବର ତହସିଲ୍‌ର ନହରକଣ୍ଟା ମୌଜାରେ ସାବକ ରେକର୍ଡ ଅନୁଯାୟୀ ଉକ୍ତ ଜମିଟି ଅନାବାଦି ଥିଲା ବେଳେ କିସମ ନଦୀ ରହିଥିଲା।

ହେଲେ ହାଲ୍‌ ରେକର୍ଡରେ ତାହାକୁ ତଞ୍ଚକତା କରାଯାଇ ବ୍ୟକ୍ତିଗତ ନାମରେ ଜମି କରି ଦିଆଯାଇଥିଲା ବେଳେ କିସମ ବାଜେଫସଲକୁ ପରିବର୍ତ୍ତନ କରାଇ ଦିଆଯାଇଥିଲା।

ପୂର୍ବରୁ ଜମିଦାରୀ ବ୍ୟବସ୍ଥାରେ ଉକ୍ତ ଜମିକୁ ହାତଲେଖା ପଟ୍ଟା ମାଧ୍ୟମରେ ସତ୍ତ୍ବାଧିକାରୀ ନାମ ବଦଳାଇ ଦିଆଯାଇଥିଲା।

ହେଲେ ଏତେ ପରିମାଣର ଜମି କିସମ ପରିବର୍ତ୍ତନ କରି ବ୍ୟକ୍ତିଗତ ନାମକୁ ଯାଇଥିବାରୁ ରାଜସ୍ବ ପର୍ଷଦ ଏହାକୁ ଗୁରୁତ୍ବର ସହ ନେଇଥିଲେ।

ବ୍ୟକ୍ତିଗତ ମାଲିକାନା ଦାବି କରି ୧୯୪୪ ମସିହାର ଲିଜ୍‌ ଦଲିଲ ଓ ପରବର୍ତ୍ତୀ ବିକ୍ରୟ ଦଲିଲ ପ୍ରସ୍ତୁତ କରାଯାଇଥିଲା।

ସାଧାରଣ ପ୍ରଶାସନ ଦୃଷ୍ଟିକୁ ଏହା ଆସିବାରୁ ଜମିକୁ ବିଭାଗ ଅଧୀନକୁ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା।

Climate Change: ଜଳବାୟୁ ପରିବର୍ତ୍ତନ ପ୍ରଭାବ : ୨୦୨୬ରେ ୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର  ତେବେ ଶୁଣାଣି ବେଳେ ଜମିର ମାଲିକାନା ଦାବି କରୁଥିବା ପକ୍ଷ ବ୍ୟକ୍ତିଗତ ଅଧିକାର ଜାରି ରହିଥିବା ପ୍ରମାଣ କରିବା ପାଇଁ କୌଣସି ସନ୍ତୋଷଜନକ ସରକାରୀ ଆଦେଶ କିମ୍ବା ବୈଧ ଅନୁମୋଦନ ଦାଖଲ କରିପାରି ନଥିଲେ।

ତେବେ କେବଳ ସେଟଲମେଣ୍ଟ ରେକର୍ଡରେ ନାମ ଥିବା, ମ୍ୟୁଟେସନ୍ ହେବା କିମ୍ବା ବିକ୍ରୟ ଦଲିଲ ପଞ୍ଜୀକୃତ ହେବା ଦ୍ୱାରା ନୂଆ ମାଲିକାନା ଅଧିକାର ସୃଷ୍ଟି ହୁଏ ନାହିଁ ବୋଲି ରାଜସ୍ବ ପର୍ଷଦ ତାଙ୍କ ଶୁଣାଣି ବେଳେ କହିଛନ୍ତି।

ପ୍ରାୟ ୪୫ ବର୍ଷର ବିଳମ୍ବ ଓ ପୂର୍ବ ଆଦେଶକୁ ନେଇ ମଧ୍ୟ ବିରୋଧ କରାଯାଇଥିଲା।

କେବଳ ବହୁ ବିଳମ୍ବ ଯୋଗୁଁ ଜମିର ମୂଳ ଚରିତ୍ର ଏବଂ ଏହା ରାଜ୍ୟରେ ନିହିତ ହେବାର ଆଇନଗତ ପରିଣାମକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ରାଜସ୍ବ ପର୍ଷଦ ନିର୍ଦ୍ଦେଶରେ କହିଛନ୍ତି।

ଏଥିପାଇଁ ନଦୀପଠା ଜମିର ବ୍ୟକ୍ତିଗତ ରେକର୍ଡକୁ ବାତିଲ କରାଯିବା ସହ ଜମିର ରେକର୍ଡ, ମାନଚିତ୍ର ଏବଂ ବର୍ତ୍ତମାନର ସ୍ଥିତି ଯାଞ୍ଚ କରି ଆଇନ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ନାମରେ ଆବଶ୍ୟକ ସଂଶୋଧନ କରିବାକୁ ତହସିଲଦାରଙ୍କୁ ପର୍ଷଦ ନିର୍ଦ୍ଦେଶ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।