LeT marine training: ପାକିସ୍ତାନରେ ସ୍କୁବା ଡାଇଭିଂ ଓ ଯୁଦ୍ଧକାଳୀନ ପହଁରା ଅଭ୍ୟାସ କରୁଛନ୍ତି ଆତଙ୍କବାଦୀ
ନୂଆଦିଲ୍ଲୀ: ୨୦୦୮ ମସିହାର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଭଳି ସମୁଦ୍ରପଥରେ ଆକ୍ରମଣ ପାଇଁ ପାକିସ୍ତାନରେ ପୁଣି ଯୋଜନା ଚାଲିଥିବା ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ସଦସ୍ୟମାନେ କରାଚୀ ନିକଟ ଚର୍ନା ଦ୍ୱୀପରେ ପର୍ଯ୍ୟଟକ ବେଶରେ ରହି ସମୁଦ୍ରପଥରେ ଅଭିଯାନ ଚଳାଇବା ପାଇଁ ସ୍ୱତନ୍ତ୍ର ତାଲିମ ନେଉଛନ୍ତି। ଭାରତୀୟ ଗୁଇନ୍ଦା ସୂତ୍ରରୁ ମିଳିଥିବା ଏହି ସୂଚନା ଶୁକ୍ରବାର ପ୍ରକାଶ ପାଇଛି।
କରାଚୀଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଚର୍ନା ଦ୍ୱୀପ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏଠାରେ ସ୍କୁବା ଡାଇଭିଂ ଓ ଅନ୍ୟାନ୍ୟ ଜଳକ୍ରୀଡ଼ା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଏହି ସୁଯୋଗରେ ଲସ୍କର ସଦସ୍ୟମାନେ ସାଧାରଣ ପର୍ଯ୍ୟଟକଙ୍କ ପରି ସେଠାକୁ ଯାଇ ଗୁପ୍ତ ତାଲିମ ନେଉଥିବା ଗୁଇନ୍ଦା ସୂତ୍ର କହିଛି। ସେମାନଙ୍କୁ ସ୍କୁବା ଡାଇଭିଂ, ଯୁଦ୍ଧକାଳୀନ ପହଁରା ଏବଂ ପାଣି ଭିତରେ ବିଭିନ୍ନ ଅଭିଯାନ ଚଳାଇବାର କୌଶଳ ଶିଖାଯାଉଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ଲସ୍କରର ଏହି ସାମୁଦ୍ରିକ ଶାଖାକୁ ‘ଦାୱା ମେରାଇନ୍ ୱିଙ୍ଗ୍’ ବା ‘ସଦା-ଏ-ହୁରିୟତ୍’ ବୋଲି ଚିହ୍ନଟ କରିଛନ୍ତି। ତାଲିମ ଦେଉଥିବା ଏହି ବ୍ୟକ୍ତିମାନେ ପାକିସ୍ତାନ ମରକଜି ମୁସଲିମ୍ ଲିଗ୍ (ପିଏମ୍ଏମ୍ଏଲ୍) ସହ ଜଡ଼ିତ।
Arrested: ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା ୧୦ ଜଣଙ୍କୁ ଗିରଫ କଲା କାଶ୍ମୀର ପୁଲିସ
ଏହା ପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀରର ମଙ୍ଗଳା ଡ୍ୟାମ୍ ଏବଂ ଆତଙ୍କବାଦୀ ଶିବିର ନିକଟରେ ନିର୍ମିତ ସୁଇମିଂ ପୁଲ୍ରେ ମଧ୍ୟ ଲସ୍କର ସଦସ୍ୟଙ୍କୁ ଜଳଭିତ୍ତିକ ତାଲିମ ଦିଆଯାଉଥିବା ସୂଚନା ମିଳିଥିଲା। ୨୦୦୮ର ମୁମ୍ବାଇ ଆକ୍ରମଣରେ ଲସ୍କର ଆତଙ୍କବାଦୀମାନେ ସମୁଦ୍ରପଥରେ ମୁମ୍ବାଇରେ ପହଞ୍ଚିଥିଲେ। ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁଇନ୍ଦା ସୂତ୍ର ଅନୁସାରେ, ୨୦୦୮ ପରଠାରୁ ଲସ୍କର ଏକ ଛୋଟ ସାମୁଦ୍ରିକ ଗୋଷ୍ଠୀ ରଖିଥିଲା। କିନ୍ତୁ ଏବେ ସମୁଦ୍ରପଥରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଏହାର କ୍ଷମତା ବଢ଼ାଇବାକୁ ଉଦ୍ୟମ କରୁଛି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ସମ୍ଭାବ୍ୟ ବିପଦ ସମ୍ପର୍କରେ ସତର୍କ ରହିଛନ୍ତି ଏବଂ ସମୁଦ୍ରପଥରେ ଯେକୌଣସି ଅନୁପ୍ରବେଶ ଉଦ୍ୟମର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।