Lok Sabha Adjournment Blocks Jay Panda’s Key Bills: ହଟ୍ଟଗୋଳ ଯୋଗୁଁ ଉପସ୍ଥାପିତ ହୋଇପାରିଲାନି ବୈଜୟନ୍ତ ପଣ୍ଡାଙ୍କ ଶିଶୁ ସୁରକ୍ଷା ଓ AI ବିଲ୍
ଲୋକସଭାରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ହୋଇପାରିଲା ନାହିଁ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କର ଲୋକସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିବାର ଥିଲା। କିନ୍ତୁ ବାରମ୍ବାର ହଟ୍ଟଗୋଳ ଓ ଗୃହ ମୁଲତବୀ ହୋଇଯିବାରୁ ଏହି ଦୁଇଟି ବିଲ୍ ଉପସ୍ଥାପିତ ହୋଇପାରିଲା ନାହିଁ।
ପ୍ରଥମ ବିଲ୍ଟି ହେଉଛି ‘The Safeguarding Healthy Environments for Little Digital Natives (SHIELD) Bill, 2025’। ଅତ୍ୟଧିକ ଓ ଅନିୟନ୍ତ୍ରିତ ସୋସିଆଲ୍ ମିଡିଆ ବ୍ୟବହାରର କୁପ୍ରଭାବରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଏହା ଭାରତର ପ୍ରଥମ ପ୍ରସ୍ତାବିତ ଆଇନ ବୋଲି କୁହାଯାଉଛି।
ଏହି ବିଲ୍ ମାଧ୍ୟମରେ ବୟସ ଅନୁକୂଳ ସୁରକ୍ଷା ବ୍ୟବସ୍ଥା ଏବଂ ଅଭିଭାବକଙ୍କ ନିରୀକ୍ଷଣକୁ ଅଧିକ ସୁଦୃଢ଼ କରି ଏକ ବ୍ୟାପକ ଆଇନଗତ ଢାଞ୍ଚା ପ୍ରତିଷ୍ଠା କରିବାର ପ୍ରସ୍ତାବ ରହିଛି। ଏଥିରେ ପ୍ୟାରେଣ୍ଟାଲ୍ ଡ୍ୟାସବୋର୍ଡ ଭଳି ବ୍ୟବସ୍ଥା ମାଧ୍ୟମରେ ଅଭିଭାବକମାନେ ପିଲାଙ୍କ ଅନଲାଇନ୍ କାର୍ଯ୍ୟକଳାପ ନଜରରେ ରଖିବା, ପ୍ରାଇଭେସି ସେଟିଂ ପରିଚାଳନା କରିବା ଏବଂ ସ୍କ୍ରିନ୍ ଟାଇମ୍ ନିୟନ୍ତ୍ରଣ କରିବାର ସୁଯୋଗ ପାଇବେ। ଏହା ସହ ଡିଜିଟାଲ୍ ଇଣ୍ଟରମିଡିଆରିମାନଙ୍କ ଉପରେ ପିଲାଙ୍କ ପାଇଁ ଅଧିକ ସୁରକ୍ଷିତ ଅନଲାଇନ୍ ପରିବେଶ ସୃଷ୍ଟି କରିବାର ଦାୟିତ୍ୱ ବଢ଼ାଇବାକୁ ପ୍ରସ୍ତାବ ରହିଛି। ଫ୍ରାନ୍ସ, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଏହିପରି ଆଇନ ପ୍ରଣୟନ କିମ୍ବା ଉପସ୍ଥାପନ କରାଯାଇଛି।
ଦ୍ୱିତୀୟ ବିଲ୍ଟି ହେଉଛି ‘Protection of Personality Likeness from AI Misuse Bill, 2026’। କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ଅନୁମତି ବିନା ଡିଜିଟାଲ୍ ନକଲ ଓ ଡିପ୍ଫେକ୍ ତିଆରି କରାଯିବାକୁ ନିୟନ୍ତ୍ରଣ କରିବା ଦିଗରେ ଏହା ଭାରତର ଏକ ଅଗ୍ରଣୀ ବୈଧାନିକ ପ୍ରୟାସ ବୋଲି କୁହାଯାଉଛି।
ଏହି ବିଲ୍ରେ ପ୍ରସ୍ତାବ ରହିଛି ଯେ କୌଣସି ବ୍ୟକ୍ତିଙ୍କ ପୂର୍ବ ଅନୁମତି ବିନା ତାଙ୍କର ଚେହେରା, ସ୍ୱର କିମ୍ବା ଅନ୍ୟାନ୍ୟ ପରିଚୟର AI-ପ୍ରସ୍ତୁତ ଅନୁକରଣ ତିଆରି, ପ୍ରକାଶ କିମ୍ବା ବିତରଣ କରାଯାଇପାରିବ ନାହିଁ। ଏଥିସହ ଏମିତି ସମସ୍ତ AI-ପ୍ରସ୍ତୁତ କିମ୍ବା AI ଦ୍ୱାରା ପରିବର୍ତ୍ତିତ ବିଷୟବସ୍ତୁ—ଯଥା ଫଟୋ, ଅଡିଓ ଓ ଭିଡିଓ—ଯଦି ବାସ୍ତବତାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବଦଳାଏ, ତେବେ ତାହାର ସ୍ପଷ୍ଟ ଘୋଷଣା କରିବା ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ରହିଛି।
ତେବେ ସାମ୍ବିଧାନିକ ଧାରା ୧୯ ଅନୁଯାୟୀ ମିଳୁଥିବା ସୁରକ୍ଷାକୁ ଧ୍ୟାନରେ ରଖି ପ୍ରକୃତ ଖବର ପ୍ରସାରଣ ଏବଂ ବାସ୍ତବତା ସହ ସମ୍ପର୍କ ନଥିବା, ସମ୍ମାନ ରକ୍ଷା କରୁଥିବା ପ୍ୟାରୋଡି, ବ୍ୟଙ୍ଗ ଓ କଳାତ୍ମକ ଅଭିବ୍ୟକ୍ତି ପାଇଁ ଏହି ବିଲ୍ରେ କିଛି ଛାଡ଼ ବ୍ୟବସ୍ଥା ମଧ୍ୟ ରହିଛି।
ବର୍ତ୍ତମାନ ସମୟରେ AI ଦ୍ୱାରା ତିଆରି ଫଟୋ, ଭିଡିଓ ଏବଂ ଡିପ୍ଫେକ୍ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏହି ପ୍ରସ୍ତାବିତ ବିଲ୍ର ଗୁରୁତ୍ୱ ବଢ଼ିଛି। ଏହା ମିଥ୍ୟା ସୂଚନା, ପରିଚୟର ଦୁରୁପଯୋଗ, ପ୍ରତିଷ୍ଠାହାନି ଏବଂ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ନେଇ ଗୁରୁତର ଚିନ୍ତା ସୃଷ୍ଟି କରିଛି। ଡେନମାର୍କ ମଧ୍ୟ ନିକଟରେ AI-ପ୍ରସ୍ତୁତ ବ୍ୟକ୍ତିଗତ ଚେହେରା କିମ୍ବା ପରିଚୟର ଦୁରୁପଯୋଗକୁ ନିୟନ୍ତ୍ରଣ କରିବା ପାଇଁ ଏହିପରି ପଦକ୍ଷେପ ଗ୍ରହଣ କରିଛି।
ଲୋକସଭାରେ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବୀ ହେବା ଏବଂ ଶେଷରେ ଦିନକ ପାଇଁ ଗୃହ ମୁଲତବୀ ହୋଇଯିବାରୁ ବୈଜୟନ୍ତ ପଣ୍ଡାଙ୍କ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଆଜି ଉପସ୍ଥାପିତ ହୋଇପାରିଲା ନାହିଁ। ଫଳରେ ଆଜିର ଡିଜିଟାଲ୍ ଯୁଗର ଦୁଇଟି ବଡ଼ ଚ୍ୟାଲେଞ୍ଜ—ସୋସିଆଲ୍ ମିଡିଆରେ ଶିଶୁଙ୍କ ସୁରକ୍ଷା ଏବଂ AIର ଦୁରୁପଯୋଗ—ନେଇ ପ୍ରସ୍ତାବିତ ଆଇନଗତ ପଦକ୍ଷେପ ଉପରେ ସଂସଦୀୟ ବିଚାରବିମର୍ଶ ବିଳମ୍ବିତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।