Long Live Life: ଜୀବନ ଜିନ୍ଦାବାଦ୍: ଅସ୍ତଗାମୀ ସୂର୍ଯ୍ୟର ନୂଆ କିରଣ
"କେହି କେହି କହନ୍ତି, ବୟସ କେବଳ ଏକ ସଂଖ୍ୟା ମାତ୍ର।
ମନରେ ଯଦି ଉଦ୍ଦାମତା ଅଛି, ତେବେ ବୃଦ୍ଧାବସ୍ଥାରେ ବି ଜଣେ ନିଜକୁ ଯୁବକ ମନେକରିପାରିବ।
ଏହି କଥାକୁ ନିଜ ଜୀବନରେ ପ୍ରମାଣ କରିଛନ୍ତି ହରିୟାଣାର ସିର୍ସା ଅଞ୍ଚଳର ବାସିନ୍ଦା ଲାଲ୍ଚାନ୍ଦ୍ ଗୋଦାରା।
୧୯୬୧ ମସିହା କଥା।
ସେତେବେଳେ ଅଷ୍ଟମ ଶ୍ରେଣୀଯାଏ ପଢ଼ିଥିବା ଲାଲ୍ଚାନ୍ଦ୍ ଭାରତୀୟ ସେନାବାହିନୀରେ ଚାକିରି କଲେ।
ଦେଶସେବାରେ ଜୀବନ ବିତିଲା।
କିନ୍ତୁ, ୧୦ମ ପାସ୍ କରି ନ ଥିବା କାରଣରୁ ଗୋଦାରା ଚାକିରିରେ ଉପର ପାହ୍ୟାକୁ ଯାଇପାରିଲେ ନାହିଁ।
୧୦ମ ପଢ଼ିବାକୁ ଇଚ୍ଛା ଥିଲେ ବି ଚାକିରିରୁ ଫୁର୍ସତ୍ ପାଇଲେ ନାହିଁ।
ଏଥିଯୋଗୁଁ ବେଳେ ବେଳେ ତାଙ୍କ ମନ ଖରାପ ହୁଏ, ପୁଣି ନିଜକୁ ବୁଝାଇ ଦିଅନ୍ତି।Advertisment Vedanta: ୩ ବର୍ଷରେ ରାଜ୍ୟରେ ୧ ଲକ୍ଷ କୋଟି ଖଟାଇବ ବେଦାନ୍ତ, ବକ୍ସାଇଟ ଯୋଗାଣ ତ୍ୱରାନ୍ବିତ ନେଇ ବେଦାନ୍ତ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ବୟସ ହୋଇଯିବାରୁ ୧୯୬୨, ୧୯୬୫ ଏବଂ ୧୯୭୧ ଯୁଦ୍ଧ ଲଢ଼ିଥିବା ଲାଲ୍ଚାନ୍ଦ୍ଙ୍କୁ ଚାକିରିରୁ ଅବସର ମିଳିଲା।
ଏବେ ତାଙ୍କ ମନରେ ପୁଣି ପାଠପଢ଼ା ଇଚ୍ଛା ଜାଗିଲା।
ଅପୂର୍ଣ୍ଣ ଇଚ୍ଛା ପୂର୍ଣ୍ଣ କରିବାକୁ ସେ ମନ ବଳାଇଲେ।
ସେ ପୁଣିଥରେ ପାଠ ପଢ଼ିଲେ ଏବଂ ୨୦୦୨ରେ ପରୀକ୍ଷା ଦେଇ ୧୦ମ ପାସ୍ କଲେ।
୨୦୦୪ରେ ସେ ଦ୍ବାଦଶ ପରୀକ୍ଷା ଦେଲେ ଓ ପାସ୍ କଲେ।
୨୦୦୭ରେ ସେ ସ୍ନାତକ ପାସ୍ କଲେ।
ଏଇ ନୂତନ ଜୀବନଯାତ୍ରାରେ ତାଙ୍କ ମାର୍ଗଦର୍ଶିକା ସାଜିଥିଲେ ନାତୁଣୀ ନବ୍ୟା।
ଜେଜେଙ୍କୁ ଅଧିକରୁ ଅଧିକ ପଢ଼ିବା ପାଇଁ କହିବା ବୁଦ୍ଧି ସ୍କୁଲ୍ରେ ପଢ଼ିଲା ବେଳେ ନବ୍ୟାଙ୍କ ମୁଣ୍ଡକୁ ଜୁଟିଥିଲା।
ସେ କହନ୍ତି, ""ଜେଜେ କମ୍ ପାଠ ପଢ଼ିଥିବା ଜାଣି ସହପାଠୀମାନେ ମୋତେ ଚିଡ଼ାଇଲେ।
ଦେଶ ସେବା କରିଥିବା ଜେଜେଙ୍କ ନାତୁଣୀ ହୋଇଥିବାରୁ ମତେ ଭାରି ଆନନ୍ଦ ଲାଗୁଥିଲା।
କିନ୍ତୁ, ମୋ ସହପାଠୀମାନେ ଜେଜେଙ୍କୁ ପରିହାସ କରୁଥିଲେ।
ଏକଥା ମୁଁ ବରଦାସ୍ତ କରିପାରୁ ନ ଥିଲି।
ସବୁବେଳେ ଚାହୁଥିଲି କ"ଣ କଲେ ତାଙ୍କୁ ଚୁପ୍ କରାଇପାରିବି।
ଭାବିଲି, ଜେଜେଙ୍କୁ ପଢ଼ିବା ପାଇଁ କହିବି।
ଦିନେ ଜେଜେଙ୍କୁ ପଢ଼ିବା କଥା କହିବାରୁ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ।
ମନଦେଇ ପାଠ ପଢ଼ିଲେ।
ଗୋଟିଏ ପରେ ଗୋଟିଏ ଶ୍ରେଣୀ ପାସ୍ କରି ସ୍ନାତକ ଡିଗ୍ରି ହାସଲ କଲେ।"" ଏ ଭିତରେ ପୁଣି କିଛିବର୍ଷ ବିତିଗଲା।
କିନ୍ତୁ, ବୃଦ୍ଧ ଗୋଦାରାଙ୍କ ମନରେ ପାଠପଢ଼ା ଆଗ୍ରହ ଆଗଭଳି ରହିଥାଏ।
ଏଥର ଏମ୍ଏ ପଢ଼ିବାକୁ ତାଙ୍କର ଇଚ୍ଛା ହେଲା।
ଗୋଦାରା କହନ୍ତି- ପାଠପଢ଼ା ଚାଲୁ ରଖିବା ପାଇଁ ନାତିନାତୁଣୀମାନେ ମତେ ଉତ୍ସାହ ଦେଲେ।
ରାଜନୀତି ବିଜ୍ଞାନରେ ଏମ୍ଏ କରିବା ପାଇଁ ମୁଁ "ଇଗ୍ନୁ"ରେ ନାମ ଲେଖାଇଲି।
ପରୀକ୍ଷା ଦେବାକୁ ନିଷ୍ଠା ସହକାରେ ପାଠ ପଢ଼ିଲି।
ସୈନିକ ଭାବେ ଚାକିରି କରୁଥିବାବେଳେ ନିଷ୍ଠା ଗୁଣଟି ମୋ ଭିତରକୁ ପଶି ଆସିଥିଲା।
ଏତେସବୁ ପାଠ ପଢ଼ିବାବେଳେ ସେ କେଉଁଠୁ କୋଚିଙ୍ଗ୍ ନେଇ ନ ଥିଲେ କି, ଟିଉସନ୍ ମାଷ୍ଟର୍ ବି ରଖି ନ ଥିଲେ।
ଘରେ ଏକା ଏକା ଦିନରାତି ବସି ସେ ବହି ଓ ନୋଟ୍ ପଢୁଥିଲେ।
ଯେଉଁସବୁ ବିଷୟ କଷ୍ଟ ଲାଗୁଥିଲା ନାତୁଣୀ ନବ୍ୟା ତାଙ୍କୁ ସେସବୁ ବୁଝାଇ ଦେଉଥିଲେ।
Flood in Odisha: ୨୫୦୦ ଲୋକକୁ ସ୍ଥାନାନ୍ତର, ୧୭୨ ଗର୍ଭବତୀଙ୍କୁ ସୁରକ୍ଷିତ ମା" ଘରେ ଆଶ୍ରୟ ଗଲା ୨୦୨୬ ସେପ୍ଟେମ୍ବର ୧୬ ତାରିଖ ଦିନ "ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଦ୍ୟାଳୟ" ବା "ଇଗ୍ନୁ"ର ରେଜେଲ୍ଟ୍ ବାହାରିଲା।
ସମୁଦାୟ ୧୨୦୦ ନମ୍ବରୁ ୮୫ ବର୍ଷୀୟ ଗୋଦାରା ରଖିଥିଲେ ୯୬୫ ନମ୍ବର।
ଏତିକିରେ ତାଙ୍କ ପାଠପଢ଼ା ଅଟକି ଯିବନାହିଁ।
ଏବେ ସେ ଆଉ ଗୋଟାଏ ବିଷୟରେ ଏମ୍ଏ ପଢ଼ିବାକୁ ଆଗ୍ରହୀ।
ତା"ପରେ ସେ ଏମ୍ଫିଲ୍ ବି କରିବେ।ବୃଦ୍ଧ ଗୋଦାରାଙ୍କ ସଫଳତା ତାଙ୍କ ପରିବାରରେ ଉତ୍ସବ ପାଳନ ଭଳି ଆନନ୍ଦମୟ ପରିସ୍ଥିତି କରିଛି।
ତାଙ୍କ ଘରେ ସମସ୍ତେ ଖୁସି।
ବୟସ ୮୫ ହୋଇଥିଲେ ବି ମନ ତାଙ୍କର ସଦା ତରୁଣ ହୋଇ ରହିଛି।
ସବୁଦିନ ସେ ୭ କିଲୋମିଟର୍ ବାଟ ଚାଲୁଛନ୍ତି।
ଛୋଟମୋଟ ଜିନିଷ ପାଇଁ ସାଇକେଲ୍ ଚଢ଼ି ବଜାର କରୁଛନ୍ତି।
କମ୍ ପାଠ ପଢ଼ିଥିବାରୁ ବୃତ୍ତି କ୍ଷେତ୍ରରେ ଆଗେଇ ପାରି ନ ଥିଲେ ବି ପଢ଼ିବା ଆଶା ତ ମେଣ୍ଟାଇ ପାରିଛନ୍ତି।
ସେ କହନ୍ତି- ମୋ ପଢ଼ା ସିନା ବନ୍ଦ ହୋଇଯାଇଥିଲା, କିନ୍ତୁ ପଢ଼ିବାର ଆଶା ଶେଷ ହୋଇ ନ ଥିଲା।
ପଢ଼ା ଛାଡ଼ି ଦେଇଥିବା ଅଥବା ଅଧିକ ବୟସରେ ଆଉ ପଢ଼ିବା ସମ୍ଭବ ନୁହେଁ ବୋଲି ବିଚାରୁଥିବା ଲୋକଙ୍କ ପାଇଁ ଗୋଦାରାଙ୍କ ଠାରୁ ଅଧିକ ପ୍ରେରଣା ଆଉ କ"ଣ ବା ଥାଇପାରେ?"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।