27 SEPTEMBER 2026

Welcome!

Unlock your personalized experience.
Sign Up

The Weapon of Non-violence: ଅହିଂସା ଅସ୍ତ୍ର: ଗାନ୍ଧୀ ବିଚାର, ବିଦେଶରେ ଆଦର

Sep 27, 2026 - 06:10
The Weapon of Non-violence: ଅହିଂସା ଅସ୍ତ୍ର: ଗାନ୍ଧୀ ବିଚାର, ବିଦେଶରେ ଆଦର

‘ଆସନ୍ତା ପିଢ଼ି ହୁଏତ ସହଜରେ ବିଶ୍ୱାସ କରିବ ନାହିଁ ଯେ, କେବେ ପୃଥିବୀ ପୃଷ୍ଠରେ ଏମିତି ଜଣେ ରକ୍ତମାଂସଧାରୀ ମଣିଷ ଚଲାବୁଲା କରୁଥିଲେ’- ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଏଭଳି କହିଥିଲେ ବିଶ୍ବର ମହାନ୍‌ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌। କେବଳ ଆଇନ୍‌ଷ୍ଟାଇନ୍‌ ନୁହନ୍ତି, ବିଶ୍ବର ବହୁ ରାଜନେତା, ଶାସକ, ସଂଗ୍ରାମୀ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ, ସମାଜଶାସ୍ତ୍ରୀ, କୂଟନୀତିଜ୍ଞ, ଏପରିକି ସର୍ବକାଳୀନ ବିଶିଷ୍ଟ ଅଭିନେତା ମଧ୍ୟ ତାଙ୍କ ସଂପର୍କରେ ଉଚ୍ଚ ମତପୋଷଣ କରିଥିଲେ। ବିଶ୍ବର ମହାନ୍‌ ବ୍ୟକ୍ତିତ୍ବମାନଙ୍କ ପାଇଁ ମହାତ୍ମା ଗାନ୍ଧୀ ଥିଲେ ବିଶ୍ବମାନବଙ୍କ ଭିତରେ ଏକ ଆଶ୍ଚର୍ଯ୍ୟ। ଏହାର ପ୍ରଧାନ କାରଣ ହେଉଛି, ତାଙ୍କର ଆଦର୍ଶ, ସିଦ୍ଧାନ୍ତ ଓ ବିଚାର। ଗୋଟିଏ ଶବ୍ଦରେ କହିଲେ ‘ଅହିଂସା’।
‘ଅହିଂସା’ର ଆକ୍ଷରିକ ଅର୍ଥ ହେଉଛି କାହାକୁ ଆଘାତ ନଦେବା। ଗାନ୍ଧୀଜୀଙ୍କ ଅନୁଯାୟୀ, ଅହିଂସା ମନୁଷ୍ୟକୁ ଶାନ୍ତି ଏବଂ ପ୍ରଗତିର ରାସ୍ତା ଦେଖାଇଥାଏ। ସେହିପରି ଏହା ହେଉଛି ସବଳ ବ୍ୟକ୍ତିଙ୍କର ଲକ୍ଷଣ, ଦୁର୍ବଳତାର ନୁହେଁ। ଅର୍ଥାତ୍‌ ଜଣେ ସବଳ ଓ ସାହସୀ ବ୍ୟକ୍ତିଙ୍କର ପ୍ରକୃତ ଅସ୍ତ୍ର ହେଉଛି ଅହିଂସା। ହିନ୍ଦୁଧର୍ମ ସମେତ ଜୈନ, ବୌଦ୍ଧ ଓ ଅନ୍ୟ ଧର୍ମଗୁଡ଼ିକ ତଥା ଭାରତୀୟ ଦର୍ଶନରେ ଅହିଂସାକୁ ପରମ ଧର୍ମ ବା ଶ୍ରେଷ୍ଠ ଗୁଣ ଭାବେ ବିବେଚନା କରାଯାଇଛି। ଏହି ଅହିଂସାକୁ ଗାନ୍ଧୀଜୀ ଏକ ସକ୍ରିୟ ଓ ଶକ୍ତିଶାଳୀ ସାମାଜିକ ମୂଲ୍ୟବୋଧ ଭାବେ ବ୍ୟବହାର କରି ଭାରତକୁ ସ୍ୱାଧୀନତା ଦେଇଥିଲେ ଏବଂ ଏହାକୁ ସାରା ପୃଥିବୀ ସ୍ବୀକାର କରିଥିଲା।

Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ପୃଥିବୀରେ ଏମିତି ଅନେକ ମହାନ ସଂଗ୍ରାମୀ ଅଛନ୍ତି, ଯେଉଁମା‌େନ ମହାତ୍ମା ଗାନ୍ଧୀଙ୍କ ବିଚାରର ଅନୁଗାମୀ ହୋଇ, ତାଙ୍କ ସିଦ୍ଧାନ୍ତ ବ୍ୟବହାର କରି ସାମାଜିକ ବା ରାଜନୈତିକ ନ୍ୟାୟ ପାଇଁ ବଡ଼ ବଡ଼ ସଂଘର୍ଷ କରିଛନ୍ତି ଏବଂ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ବିଶେଷ ଭାବେ ଉଲ୍ଲେଖ ଦାବି କରନ୍ତି। ସେମାନେ ହେଲେ, ୧୯୫୦-୬୦ ଦଶକରେ ଆମେରିକୀୟ ନାଗରିକ ଅଧିକାର ଆନ୍ଦୋଳନର ନେତା ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌, ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟର ଅବସାନ ଘଟାଇଥିବା ନେଲ୍‌ସନ୍‌ ମାଣ୍ଡେଲା, ତିବ୍ବତର ଧର୍ମଗୁରୁ ଦଲାଇ ଲାମା, ମ୍ୟାମାର୍‌ରେ ଗଣତନ୍ତ୍ରର ପ୍ରତିଷ୍ଠା ଲାଗି ସଂଘର୍ଷ କରୁଥିବା ନେତ୍ରୀ ଆଙ୍ଗ୍‌ ସାନ୍‌ ସୁ କି ଓ କାଲିଫର୍ଣ୍ଣିଆରେ କୃଷି ଶ୍ରମିକଙ୍କ ଶୋଷଣ ବିରୋଧରେ ସଂଗ୍ରାମ କରିଥିବା ସିଜାର୍‌ ଚାଭେଜ୍‌। ଏମାନଙ୍କ ମଧ୍ୟରୁ ମାଣ୍ଡେଲା, ଦଲାଇ ଲାମା ଓ ସୁ କି ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏମାନେ ଗର୍ବର ସହିତ ନିଜ ସଫଳତାରେ ଗାନ୍ଧୀଙ୍କ ଅବଦାନକୁ ସ୍ୱୀକାର କରନ୍ତି।

ଗାନ୍ଧୀଜୀ କହୁଥିଲେ, ପରିବର୍ତ୍ତନ ଆଣିବାରେ ଅହିଂସା ପ୍ରଭାବଶାଳୀ ହୋଇପାରେ, ଯଦି ଏହି ପଥ ଅନୁସରଣ କରିବା ଲାଗି ମନରେ ସାହସ ଓ ଦୃଢ଼ତା ଥାଏ। ଏହାର ବଳିଷ୍ଠ ଉଦାହରଣ ହେଉଛନ୍ତି ‘ଆମେରିକୀୟ ଗାନ୍ଧୀ’ ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ ଜୁନିୟର୍‌। ୧୯୫୦ ଦଶକରେ ଆମେରିକାରେ ଆଫ୍ରିକୀୟ-ଆମେରିକୀୟ ଓ ଅନ୍ୟ ବର୍ଣ୍ଣର ଲୋକଙ୍କୁ ଭୋଟ୍‌ଦାନ ତଥା ଅନ୍ୟ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ତେଜି ଉଠିଥିଲା। ଏହାର ନେତୃତ୍ବ ନେଇଥିଲେ ଜୁନିୟର୍‌ କିଙ୍ଗ୍‌। ୧୯୪୦ ଦଶକରେ ଛାତ୍ର ଥିବାବେଳେ ସେ ଗାନ୍ଧୀଙ୍କ ରଚନାବଳୀ ପଢ଼ି ଅନୁପ୍ରାଣିତ ହୋଇଥିଲେ। ‘ଅହିଂସା’କୁ ତାଙ୍କ ଆନ୍ଦୋଳନର ଅସ୍ତ୍ର କରିଥିଲେ ଏବଂ ଶେଷରେ ବିଜୟ ଲାଭ କରିଥିଲେ। ଆମେରିକୀୟଙ୍କ ଭଳି ଆଫ୍ରିକୀୟ ଲୋକଙ୍କୁ ବି ସମାନ ଅଧିକାର ମିଳିଲା। ଏହାକୁ ଗାନ୍ଧୀଜୀଙ୍କ ବରଦାନ ବୋଲି ବିଶ୍ବାସ କରୁଥିବା ମାର୍ଟିନ୍‌ ଲୁଥର୍‌ ୧୯୫୯ରେ ଭାରତ ଭ୍ରମଣରେ ଆସିଥିଲେ। ଏହାକୁ ସେ ‘ତୀର୍ଥଯାତ୍ରା’ ବୋଲି ଅଭିହିତ କରିଥିଲେ। ସମାଜରେ ଅସ୍ପୃଶ୍ୟତା ନିରାକରଣ ନିମନ୍ତେ ୧୯୬୪ରେ ସେ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଥିଲେ।

୧୯୫୯ରେ ତିବ୍ବତକୁ ବଳପୂର୍ବକ କବ୍‌ଜା କରିଥିଲା ଚୀନ୍‌। ତିବ୍ବତୀୟଙ୍କ ଧର୍ମଗୁରୁ ୧୪ଶ ଦଲାଇ ଲାମା ତେନ୍‌ଜିନ୍ ଗ୍ୟାତ୍ସୋ ଭାରତ‌େର ଶରଣ ନେଇଥିଲେ। ଏହାପୂର୍ବରୁ ବୁଦ୍ଧଙ୍କ ୨୫୦୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଦଲାଇ ଲାମା ଭାରତ ଆସିଥିଲେ। ସେତେବେଳେ ଭାରତ କିପରି ଅହିଂସା ମାଧ୍ୟମରେ ସ୍ୱାଧୀନତା ହାସଲ କରିଥିଲା, ତାହା ଗାନ୍ଧୀବାଦୀମାନଙ୍କଠାରୁ ବୁଝିଥିଲେ। ସେହିଦିନଠାରୁ ଗାନ୍ଧୀଜୀ ତାଙ୍କ ଆଦର୍ଶ। ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଆଜି ପର୍ଯ୍ୟନ୍ତ ତିବ୍ବତର ଅସ୍ତିତ୍ବ ରକ୍ଷା ଲାଗି ଲଢ଼େଇ ଜାରି ରଖିଛନ୍ତି। ୧୯୮୯ରେ ନୋବେଲ୍‌ ଶାନ୍ତି ପୁରସ୍କାର ତାଙ୍କ ପାଇଁ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଦଲାଇ ଲାମା ସ୍ବୀକାର କରିଥିଲେ। ଦକ୍ଷିଣ ଆଫ୍ରିକାର ନେଲ୍‌ସନ୍‌ ମାଣ୍ଡେଲାଙ୍କୁ ମହାତ୍ମା ଗାନ୍ଧୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଏ। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟର ବିଲୋପ ପାଇଁ ବର୍ଷ ବର୍ଷ ଧରି ସଂଗ୍ରାମ କରିଥିଲେ ମାଣ୍ଡେଲା। କୃଷ୍ଣକାୟମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେବାର ଏହି ଲଢ଼େଇରେ ଗାନ୍ଧୀଜୀଙ୍କ ଭଳି ସେ ବହୁ କଷ୍ଟ ସହିଥିଲେ। ୧୯୬୨ରୁ ୧୯୯୦ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ଦଣ୍ଡ ହୋଇଥିଲେ ବି ଶେଷରେ ସେ ହିଁ ବିଜୟୀ ହୋଇଥିଲେ। ୧୯୯୩ରେ ତାଙ୍କୁ ମିଳିଥିଲା ନୋବେଲ୍‌ ଶାନ୍ତି ପୁରସ୍କାର।

JIo Odisha: ଜିଓ ଓଡ଼ିଶା କର୍ମଚାରୀଙ୍କ ସଫେଇ କାର୍ଯ୍ୟକ୍ରମ

ବର୍ମା ବା ଆଧୁନିକ ମ୍ୟାମାରରୁ ସାମରିକ ଶାସନର ଅନ୍ତ ଓ ଗଣତନ୍ତ୍ର ପ୍ରତିଷ୍ଠା ଲାଗି ସଂଗ୍ରାମ ଚଳାଇଥିବା ଆଙ୍ଗ୍‌ ସାନ୍‌ ସୁ କିଙ୍କ କାହାଣୀ ବି ଏହିଭଳି। ତାଙ୍କ ଜୀବନର ଆଦ୍ୟଭାଗ ଭାରତରେ ହିଁ କଟିଥିଲା। ତାଙ୍କର ମାଆ ଥିଲେ ଭାରତରେ ଅବସ୍ଥାପିତ ମ୍ୟାମାରର ରାଜଦୂତ। ଏଠାରେ ହିଁ ସେ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହୋଇଥିଲେ। ଏଣୁ ସୁ କିଙ୍କ ଛାତ୍ର ଜୀବନ ନୂଆଦିଲ୍ଲୀରେ କଟିଥିଲା। ଏହାପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସାରି ନିଜ ଦେଶକୁ ଫେରିବା ପରେ ସେ ସାମରିକ ଶାସନ ବିରୋଧରେ ସ୍ୱର ଉଠାଇଥିଲେ। ଫଳ‌େର ଦୀର୍ଘବର୍ଷ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଏହି ନୋବେଲ୍‌ ପୁରସ୍କାର ବିଜୟିନୀ ଏବେ  ନ୍ୟାସ୍‌ନାଲ୍‌ ଲିଗ୍‌ ଫର୍‌ ଡେମୋକ୍ରେସିର ନେତ୍ରୀ ଭାବେ ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି।

ଗାନ୍ଧୀଙ୍କ ଅହଂସା ଦର୍ଶନରେ ଅନୁପ୍ରାଣିତ ଆଉ ଜଣେ ପ୍ରସିଦ୍ଧ ବ୍ୟକ୍ତି ହେଉଛନ୍ତି ସେସାର୍‌ ଚାଭେଜ୍‌। ତାଙ୍କୁ ୨୧ ବର୍ଷ ହୋଇଥିବା ‌େବଳେ ଭାରତ ସ୍ବାଧୀନ ହୋଇଥିଲା। ଗାନ୍ଧୀ ବିନା କୌଣସି ଅସ୍ତ୍ର ପ୍ରୟୋଗରେ ବ୍ରିଟିସ୍‌ମାନଙ୍କୁ ବିତାଡ଼ିତ କରିବା ଖବର ତାଙ୍କୁ ଆଚମ୍ବିତ କରିଥିଲା। ସେ ଗାନ୍ଧୀଙ୍କ ଆଦର୍ଶ ଓ ଅଂହିସା ଅସ୍ତ୍ର ସଂପର୍କରେ ପଢ଼ାପଢ଼ି ଆରମ୍ଭ କରିଥିଲେ। ଆରିଜୋନାରେ ପ୍ରବାସୀ କୃଷି ଶ୍ରମିକଙ୍କ ପରିବାରରେ ଜନ୍ମିତ ଚାଭେଜ୍‌ ଛୋଟବେଳୁ ମେକ୍ସିକାନ୍‌-ଆମେରିକୀୟଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖି ଆସିଥିଲେ। ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ବିଚାରରେ ଅନୁପ୍ରାଣିତ ହୋଇ ସେ ମେକ୍ସିକାନ୍‌, ମେକ୍ସିକାନ- ଆମେରିକୀୟ, ଫିଲିପିନୋ ଓ ଆଫ୍ରିକୀୟ-ଆମେରିକୀୟ ପ୍ରବାସୀ କୃଷି ଶ୍ରମିକମାନଙ୍କ ଶୋଷଣ ବିରୋଧରେ ସଂଘର୍ଷ କରିଥିଲେ। ଅହିଂସାକୁ ପାଥେୟ କରି ଚାଲିଥିବା ତାଙ୍କର ଏହି ସଂଗ୍ରାମରେ ସେ ବିଜୟୀ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।