Lord Jagannath: ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ାରେ ଭକ୍ତଙ୍କ ପ୍ରବଳ ଭିଡ଼
"ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ାସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଭକ୍ତି ଓ ଆଡ଼ମ୍ବରର ସହ ପାଳିତ ହୋଇଛି।
ପ୍ରାତଃକାଳରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା।
Advertisment ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ ସମେତ ଅନ୍ୟ ସେବାୟତ ବୃନ୍ଦଙ୍କ ଦ୍ୱାରା ସେଠାରେ ୧୦୮ କଳସ ପବିତ୍ର ଜଳରେ ମହାସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା | ମହାସ୍ନାନ ପରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା।
ଫୁଲ, ଚନ୍ଦନ ଓ ତୁଳସୀ ମାଳରେ ସୁସଜ୍ଜିତ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ସକାଳ ଠାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତନ ଓ ଘଣ୍ଟ ବାଦ୍ୟରେ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶୃଙ୍ଖଳିତ ଭାବେ ଭକ୍ତମାନେ ଗଜାନନ ବେଶରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।
ଦେବ ସ୍ନାନ ପରେ ଶ୍ରୀଜୀଉ ଅନସରକୁ ବିଜେ କରିଥାନ୍ତି।
ଏହି ସମୟରେ ଅଣସର ନୀତି ପାଳନ କରାଯିବ ଏବଂ ପରେ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ।
ଏହାପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ ବୋଲି ବରିଷ୍ଠ ସେବାୟତ କହିଛନ୍ତି।
ଦେବ ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଅବସରରେ ସମଗ୍ର ରାୟଗଡI ଶ୍ରଦ୍ଧା ଶ୍ରୀକ୍ଷେତ୍ର ପରିସର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।
ମନ୍ଦିର ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ କରାଯିବା ସହ ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ସେବାୟତ ପ୍ରଶାନ୍ତ ତ୍ରିପାଠୀ, ସୁଧୀର ମିଶ୍ର, ଗୋବିନ୍ଦ ରଥ, ସୁରେଶ ପଣ୍ଡା, ଜଗନ୍ନାଥ ସାହୁ, ସୁଜିତ ଚନ୍ଦ୍ର ପଣ୍ଡା, ଦେବଦତ୍ତ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ରୀତିନୀତିକୁ ଶୃଙ୍ଖଳାର ସହ ସମ୍ପନ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।