Love Marriage Turns Tragic: ପ୍ରେମ ବିବାହର କରୁଣ ପରିଣତି! ଘରୁ ପଳାଇ ବିବାହ କରିଥିଲେ ଯୁବତୀ, ଏବେ କୂଅରୁ ମିଳିଲା ମୃତଦେହ

Sep 27, 2026 - 14:47
Love Marriage Turns Tragic: ପ୍ରେମ ବିବାହର କରୁଣ ପରିଣତି! ଘରୁ ପଳାଇ ବିବାହ କରିଥିଲେ ଯୁବତୀ, ଏବେ କୂଅରୁ ମିଳିଲା ମୃତଦେହ

ପ୍ରେମ ହେଲା, ପରିବାରର ଅଜାଣତରେ ଘର ଛାଡ଼ି ବିବାହ କଲେ। ହେଲେ କିଛି ଦିନ ପରେ ହଠାତ୍‌ ନିଖୋଜ ହୋଇଗଲେ ଯୁବତୀ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଯାହା ମିଳିଲା, ତାହା ଦେଖି ସମସ୍ତେ ସ୍ତବ୍ଧ। ଏକ କୂଅ ଭିତରୁ ବସ୍ତାରେ ବନ୍ଦ ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ। ଏହି ଘଟଣାକୁ ନେଇ ବିହାରର ରୋହତାସ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

ପ୍ରେମ ପରେ ଘରୁ ପଳାଇ ବିବାହ

ଘଟଣାଟି ବଡ୍ଡି ଥାନା ଅଧୀନ ବିଶ୍ରାମପୁର ଗାଁର ପାହାଡ଼ିଆ ଅଞ୍ଚଳରେ ଘଟିଛି। ମୃତ ଯୁବତୀ ହେଉଛନ୍ତି ବିକ୍ରମଗଞ୍ଜ ଥାନା ଅଧୀନ ମାନି ଗାଁର ମଣ୍ଟୁ ପାସୀଙ୍କ ଝିଅ ଲକ୍ଷ୍ମୀନା କୁମାରୀ। 

ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀନା କୁମାରୀ ଏବଂ ବିଶ୍ରାମପୁର ଗାଁର ଫିଲମ ବିନ୍ଦଙ୍କ ପୁଅ ପିଙ୍କୁ ବିନ୍ଦଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ପରିବାରର ଅଜାଣତରେ ଦୁହେଁ ଘରୁ ପଳାଇ ବିବାହ କରିଥିଲେ।

ବିବାହ ପରେ ଦୁହେଁ ବିଶ୍ରାମପୁରର ପାହାଡ଼ିଆ ଅଞ୍ଚଳରେ ଥିବା ଏକ ଘରେ ରହୁଥିଲେ। ହେଲେ ଗତ ୨ରୁ ୩ ଦିନ ଧରି ଲକ୍ଷ୍ମୀନାଙ୍କ ସହ ତାଙ୍କ ମା’ବାପାଙ୍କର ଆଉ ଯୋଗାଯୋଗ ହୋଇନଥିଲା।

ପରିବାର ଲୋକେ ଫୋନ୍‌ କରିଥିଲେ, ଖୋଜିଥିଲେ; କିନ୍ତୁ ଝିଅଙ୍କ ସହ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଶେଷରେ ଚିନ୍ତିତ ପରିବାର ବଡ୍ଡି ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଆରମ୍ଭ ହେଲା ଖୋଜାଖୋଜି

ଅଭିଯୋଗ ମିଳିବା ପରେ ପୋଲିସ ଲକ୍ଷ୍ମୀନାଙ୍କୁ ଖୋଜିବା ଆରମ୍ଭ କରିଥିଲା। ତଦନ୍ତ ସମୟରେ ବିଶ୍ରାମପୁର ଗାଁର ପାହାଡ଼ିଆ ଅଞ୍ଚଳରେ ଥିବା ଏକ କୂଅ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା।

ପୋଲିସ ଟିମ୍‌ ସେଠାରେ ପହଞ୍ଚି କୂଅରେ ଖୋଜାଖୋଜି କରିବା ପରେ ବସ୍ତା ଭିତରେ ବନ୍ଦ ଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହଟି ଲକ୍ଷ୍ମୀନା କୁମାରୀଙ୍କର ବୋଲି ଚିହ୍ନଟ ହୋଇଥିଲା।

ହତ୍ୟା ସନ୍ଦେହ, ସ୍ୱାମୀଙ୍କ ସମେତ ୨ ଗିରଫ

କୂଅରୁ ବସ୍ତାବନ୍ଦୀ ମୃତଦେହ ମିଳିବା ପରେ ପୋଲିସ ଘଟଣାକୁ ସନ୍ଦେହଜନକ ବୋଲି ଧରି ତଦନ୍ତ କରୁଛି। ଯୁବତୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ମୃତଦେହକୁ କିଏ ବସ୍ତାରେ ଭର୍ତ୍ତି କରି କୂଅରେ ପକାଇଲା ଏବଂ ଏହା ପଛରେ କାହାର ଭୂମିକା ରହିଛି ସେନେଇ ଖୋଳତାଡ଼ ଚାଲିଛି।

ତଦନ୍ତ ପରେ ପୋଲିସ ଲକ୍ଷ୍ମୀନାଙ୍କ ସ୍ୱାମୀ ପିଙ୍କୁ ବିନ୍ଦ ଏବଂ ଧନଜୀ ପାସୀଙ୍କୁ ଗିରଫ କରିଛି। ଉଭୟଙ୍କୁ ପଚରାଉଚରା କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।