Loyal Dogs Wait Among Ruins: ଧ୍ୱଂସାବଶେଷ ଭିତରେ ମାଲିକଙ୍କୁ ଅପେକ୍ଷା, ନେପାଳ ବନ୍ୟାରେ କୁକୁରଙ୍କ ଦୁଃଖଦ କାହାଣୀ

Sep 01, 2026 - 12:40
Loyal Dogs Wait Among Ruins: ଧ୍ୱଂସାବଶେଷ ଭିତରେ ମାଲିକଙ୍କୁ ଅପେକ୍ଷା, ନେପାଳ ବନ୍ୟାରେ କୁକୁରଙ୍କ ଦୁଃଖଦ କାହାଣୀ

ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଚାରିଆଡ଼େ ଧ୍ୱଂସର ଚିତ୍ର। ଅନେକ ଘର ଭାସିଯାଇଛି, ଅନେକ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ଏହି ବିପର୍ଯ୍ୟୟ ମଧ୍ୟରେ ମଣିଷଙ୍କ ଦୁଃଖ ସହ ଜୀବଜନ୍ତୁଙ୍କ ଯନ୍ତ୍ରଣାର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓ ଲୋକଙ୍କ ହୃଦୟକୁ ଛୁଇଁଛି।

ନେପାଳର ଧୁଙ୍ଗେ ଅଞ୍ଚଳରୁ ଆସିଥିବା ଏକ ଚିତ୍ର ଏବେ ସମସ୍ତଙ୍କୁ ଭାବବିହ୍ୱଳ କରୁଛି। ଲିଲି ନାମକ ଏକ କୁକୁର ନିଜ ଘର ଥିବା ସ୍ଥାନ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ।
ବନ୍ୟାରେ ଘର ଭାସିଯାଇଛି। ଚାରିପାଖରେ ଏବେ କେବଳ ଧ୍ୱଂସାବଶେଷ। କିନ୍ତୁ ଲିଲି ସେହି ସ୍ଥାନ ନିକଟରେ ବସି ରହୁଛି। ତା’ ବେକରେ ଏବେ ବି କଲାର ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଲିଲି ତାକୁ ଖାଇବାକୁ ଦେଉଥିବା ହୋଟେଲ ମାଲିକଙ୍କୁ ଖୋଜୁଛି। ହେଲେ ହୋଟେଲ ମାଲିକଙ୍କ ସମେତ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି।

ଘର ନାହିଁ, ଲୋକମାନେ ନାହାନ୍ତି, ତଥାପି ଲିଲି ସେହି ସ୍ଥାନକୁ ଛାଡ଼ୁନାହିଁ। ଯେପରି ତା’ର ଆଶା ରହିଛି, ଦିନେ ନା ଦିନେ ତା’ର ପରିଚିତ ମଣିଷମାନେ ଫେରିଆସିବେ।

ଭଗ୍ନାବଶେଷ ଭିତରେ ବି ଅପେକ୍ଷା

ଆଉ ଏକ ଭିଡିଓ ମଧ୍ୟ ନେପାଳ ବନ୍ୟାର ଭୟଙ୍କର ପରିଣାମକୁ ଦର୍ଶାଉଛି। ଭିଡିଓରେ ଜଣେ କୁକୁରକୁ ଭାଙ୍ଗିଯାଇଥିବା ଘର ଭିତରେ ଚୁପଚାପ ବସିଥିବାର ଦେଖାଯାଇଛି।
ବନ୍ୟାଜଳରେ ଘରର ଅନେକ ଅଂଶ ଧୋଇଯାଇଛି। ଚାରିପାଖରେ କାଦୁଅ ଓ ଧ୍ୱଂସାବଶେଷ। କିନ୍ତୁ ସେହି କୁକୁରଟି ନିଜ ଘରର ଅବଶିଷ୍ଟ ଅଂଶକୁ ଛାଡ଼ିନାହିଁ। ମାଲିକ କେଉଁଠି ଅଛନ୍ତି, ତା’ର କୌଣସି ଖବର ନାହିଁ। ତଥାପି ସେ ନିଜ ପରିଚିତ ସ୍ଥାନରେ ବସି ରହିଛି।

ଅନ୍ୟ ଏକ ଘଟଣାରେ ବନ୍ୟାଜଳରେ ଭାସିଯାଇଥିବା ଏକ କୁକୁର କାଦୁଅ ଭିତରେ ଫସିଯାଇଥିଲା। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ଜଣେ ସ୍ଥାନୀୟ ବ୍ୟକ୍ତି କାଦୁଅ ଭିତରକୁ ପଶି କୁକୁରଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ସେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ଏକାକୀ କୁକୁରଟିକୁ ବାହାର କରିପାରିନଥିଲେ। ତଥାପି ତାଙ୍କର ଏହି ମାନବିକ ପ୍ରୟାସ ଲୋକଙ୍କ ମନ ଜିତିଛି।

ନେପାଳର ଏହି ବିପର୍ଯ୍ୟୟ କେବଳ ମଣିଷଙ୍କ ଘର ଓ ଜୀବନକୁ ଉଜାଡ଼ି ଦେଇନାହିଁ, ଅସଂଖ୍ୟ ନିରୀହ ପଶୁଙ୍କୁ ମଧ୍ୟ ଆଶ୍ରୟହୀନ କରିଦେଇଛି। କେଉଁଠି ନିଜ ମାଲିକଙ୍କ ଅପେକ୍ଷାରେ କୁକୁର, ତ ଆଉ କେଉଁଠି ଧ୍ୱଂସାବଶେଷ ଭିତରେ ଜୀବନ ପାଇଁ ସଂଘର୍ଷ। ଏହି ଦୃଶ୍ୟଗୁଡ଼ିକ ନେପାଳ ବନ୍ୟାର ଆଉ ଏକ ଅକୁହା ଯନ୍ତ୍ରଣାର କାହାଣୀ କହୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।