LPG: ବିଶୋଧନାଗାର ପିଛା ଟା‌ର୍ଗେଟ୍‌ ଧାର୍ଯ୍ୟ; ଦିନକୁ ଉତ୍ପାଦନ କରିବେ ୬୩,୮୧୦ ଟନ୍‌ ଏଲ୍‌ପିଜି

Aug 16, 2026 - 19:22
LPG: ବିଶୋଧନାଗାର ପିଛା ଟା‌ର୍ଗେଟ୍‌ ଧାର୍ଯ୍ୟ; ଦିନକୁ ଉତ୍ପାଦନ କରିବେ ୬୩,୮୧୦ ଟନ୍‌ ଏଲ୍‌ପିଜି

"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦେଶରେ ଭୟଙ୍କର ଏଲ୍‌ପିଜି ସଙ୍କଟ ଦେଖାଦେଇଥିଲା।

ଏହା ପରେ ସରକାର ଏକ ନୂଆ ଯୋଜନା ହାତକୁ ନେଇଛନ୍ତି।

ସେହି ଯୋଜନା ମୁତାବକ ଭାରତ ପ୍ରଥମ ଥର ପାଇଁ ସରକାରୀ ଓ ଘରୋଇ ବିଶୋଧନାଗାର ସହ ଅପଷ୍ଟ୍ରିମ୍‌ କମ୍ପାନିଗୁଡ଼ିକ ପାଇଁ ଏଲ୍‌ପିଜି ଉତ୍ପାଦନ ଲକ୍ଷ୍ୟ ପ୍ରଦାନ କରିଛି।

Advertisment ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏ ନେଇ ଏକ ଆଦେଶ ଜାରି ହୋଇଛି।

ଏଥିରେ ୨୧ଟି ବିଶୋଧନାଗାର ଓ ଅପଷ୍ଟ୍ରିମ୍‌ କମ୍ପାନିଙ୍କ ଲାଗି ଟାର୍ଗେଟ୍‌ ଧାର୍ଯ୍ୟ କରାଯାଇଛି।

ଦୈନିକ ସେମାନେ ୬୩,୮୧୦ ଟନ୍‌ ଏଲ୍‌ପିଜି ଉତ୍ପାଦନ କରିପାରିବେ, ଯାହାକି ୨୦୨୫-୨୬ରେ ହୋଇଥିବା ଉତ୍ପାଦନ ତୁଳନାରେ ଦୁଇଗୁଣା ଅଧିକ ଏବଂ ଦେଶର ଦୈନିକ ବ୍ୟବହାରର ପ୍ରାୟ ୭୦ ପ୍ରତିଶତ।

ଯେତେବେଳେ ଏଲ୍‌ପିଜି ସଂକଟ ଉପୁଜିବ କିମ୍ବା ଯୋଗାଣରେ ବ୍ୟାଘାତ ଦେଖାଦେବ ସେହି ସମୟରେ ଉକ୍ତ ଟାର୍ଗେଟ୍‌ ପ୍ରଯୁଜ୍ୟ ହେବ।

ରିଲାଏନ୍ସର ପୁରୁଣା ବିଶୋଧନାଗାରକୁ ସର୍ବାଧିକ ବା ଦୈନିକ ୧୮ ହଜାର ଟନ୍‌ ପର୍ଯ୍ୟନ୍ତ ଏଲ୍‌ପିଜି ଉତ୍ପାଦନ କରିବାକୁ ଟାର୍ଗେଟ୍‌ ଦିଆଯାଇଛି।

ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ଦ୍ବାରା ପରିଚାଳିତ ୧୮ଟି ବିଶୋଧନାଗାରକୁ ଦୈନିକ ମୋଟ ୩୧,୪୭୦ ଟନ୍‌ ଏଲ୍‌ପିଜି ଉତ୍ପାଦନ କରିବାକୁ କୁହାଯାଇଛି।

ଗୁଜରାଟର ଜାମନଗରଠାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦୁଇଟି ତୈଳ ବିଶୋଧନାଗାର ରହିଛି।

ଘରୋଇ ଶୁଳ୍କ ଅଞ୍ଚଳରେ ଥିବା ବିଶୋଧନାଗାରର ବାର୍ଷିକ ୩୩ ନିୟୁତ ଟନ କ୍ଷମତା ବିଶିଷ୍ଟ ବିଶୋଧନାଗାର ପାଇଁ ଦୈନିକ ୧୮ହଜାର ଟନ ଏଲ୍‌ପିଜି ଉତ୍ପାଦନ ଟାର୍ଗେଟ ଦିଆଯାଇଛି।

ତେବେ ସେଠାରେ ରପ୍ତାନି ପାଇଁ ଉଦ୍ଦିଷ୍ଟ ବାର୍ଷିକ ୩୫.୨ ନିୟୁତ ଟନ ବିଶିଷ୍ଟ ବିଶୋଧନାଗାର ପାଇଁ କୌଣସି ଲକ୍ଷ୍ୟ ଧାର୍ଯ୍ୟ ହୋଇନାହିଁ।

ଭାଡିନାରରେ ନାୟରା ଏନର୍ଜିର ଥିବା ବାର୍ଷିକ ୨୦ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ବିଶୋଧନାଗାରକୁ ଦୈନିକ ୪୪୮୦ ଟନ୍‌ ଏଲ୍‌ପିଜି ଉତ୍ପାଦନ କରିବାକୁ ଟା‌ର୍ଗେଟ ଦିଆଯାଇଛି।

ଏଥିସହିତ ପ୍ରାକୃତିକ ଗ୍ୟାସରୁ ଏଲ୍‌ପିଜି ଉତ୍ପାଦନ କରୁଥିବା ଓଏନ୍‌ଜିସି ଓ ଗେଲ୍‌କୁ ମିଳିତଭାବେ ଦୈନିକ ୬୪୬୦ ଟନ୍‌ ଏଲ୍‌ପିଜି ଉତ୍ପାଦନ ଟାର୍ଗେଟ୍‌ ଦିଆଯାଇଛି।

୨୦୨୫-୨୬ରେ ଭାରତ ୩୩.୨ ନିୟୁତ ଟନ ଏଲ୍‌ପିଜି ଅର୍ଥାତ୍‌ ଦୈନିକ ପ୍ରାୟ ୯୧ ହଜାର ଟନ ଏଲ୍‌ପିଜି ବ୍ୟବହାର କରିଥିଲା।

ଘରୋଇ ଉତ୍ପାଦନ ୧୩.୧ ନିୟୁତ ଟନ ବା ଦୈନିକ ୩୫୯୦୦ ଟନ ରହିଥିଲା।

୨୧.୩ ନିୟୁତ ଟନ ବା ଦୈନିକ ୫୮,୪୦୦ ଟନ ଏଲ୍‌ପିଜି ଆମଦାନି ହୋଇଥିଲା।

ଅର୍ଥାତ ଭାରତର ମୋଟ ଏଲ୍‌ପିଜି ଆବଶ୍ୟକତାର ୬୪ ପ୍ରତିଶତରୁ ଅଧିକ ଆମଦାନି ଜରିଆରେ ପୂରଣ ହୋଇଥିଲା।

ଏଲ୍‌ପିଜି ଆମଦାନି ଉପରେ ଭାରତ ଅତ୍ୟଧିକ ନିର୍ଭରଶୀଳ ଥିବାରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ରହିବା କାରଣରୁ ଦେଶରେ ବଡ଼ଧରଣର ଏଲ୍‌ପିଜି ସଙ୍କଟ ଦେଖାଦେଇଥିଲା।

ସରକାର ପ୍ରତିବର୍ଷ ଦୁଇଥର ଏହାର ସମୀକ୍ଷା କରିବେ।

ଥରେ ଜାନୁଆରି ପହିଲାରେ ଏବଂ ଆଉ ଥରେ ଜୁଲାଇ ପହିଲାରେ ଏହାର ସମୀକ୍ଷା କରାଯିବ।

Commercial LPG: ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ୨୦୨ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା, ଆଜିଠାରୁ ନୂତନ ମୂଲ୍ୟ ଲାଗୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।