Madhya Pradesh: ମଧ୍ୟପ୍ରଦେଶରୁ ଆସିଲା ୭ ମୃତଦେହ: ଜୟଦେବବିହାରରେ ଲୁହର ବନ୍ୟା‌, ସ୍ବର୍ଗଦ୍ବାର ହେଲା ଶେଷ ଠିକଣା

Sep 21, 2026 - 08:04
Madhya Pradesh: ମଧ୍ୟପ୍ରଦେଶରୁ ଆସିଲା ୭ ମୃତଦେହ: ଜୟଦେବବିହାରରେ ଲୁହର ବନ୍ୟା‌, ସ୍ବର୍ଗଦ୍ବାର ହେଲା ଶେଷ ଠିକଣା

"ଭୁବନେଶ୍ବର: ଆଗକୁ ଥିଲା ବହୁ ମାଙ୍ଗଳିକ କାର୍ଯ୍ୟ।

ଘର ପ୍ରତିଷ୍ଠା, ଭଉଣୀର ନିର୍ବନ୍ଧ ଓ ବାହାଘର ଭଳି ଗୁରୁତ୍ବପୂର୍ଣ୍ଣ କାମ।

ତେଣୁ ଭଉଣୀ, ଭିଣୋଇ, ଭଣଜା, ପୁଅ, ଝିଅ ଓ ବାହା ହେବାକୁ ଯାଉଥିବା ସାନ ଭଉଣୀକୁ ସାଙ୍ଗରେ ଧରି ବଡ଼ ଭାଇ ବାହାରିଯାଇଥିଲେ ମଧ୍ୟପ୍ରଦେଶର ବିଭିନ୍ନ ଠାକୁର ଠାକୁରାଣୀଙ୍କ ପୀଠକୁ।

ଭୁବନେଶ୍ବରରୁ ମଧ୍ୟପ୍ରଦେଶକୁ ଏକ ଲମ୍ବା ଯାତ୍ରାରେ ଯାଇଥିଲେ ଦୁଇ ପରିବାରର ୭ଜଣ।

କିନ୍ତୁ ସେହି ଲମ୍ବା ଯାତ୍ରା ପାଲଟିଗଲା ମହାଯାତ୍ରା।

ଶୁକ୍ରବାର ସନ୍ଧ୍ୟାରେ ମା" ବଗଳାମୁଖୀଙ୍କ ପୀଠରୁ ଦର୍ଶନ ସାରି ଫେରିବା ବାଟରେ ସେମାନଙ୍କୁ ନେଇଆସୁଥିବା କାର୍‌ ଏକ ଖରସ୍ରୋତା ନାଳରେ ଭାସିଗଲା।

କାର୍‌ ଚାଳକଙ୍କ ସମେତ ସମସ୍ତ ୮ଜଣଙ୍କ ଜୀବନଦୀପ ଜଳସ୍ରୋତରେ ଲିଭିଗଲା।

ଏଥିସହିତ ଲିଭିଗଲା ସମସ୍ତ ମାଙ୍ଗଳିକ କାର୍ଯ୍ୟର ମନସ୍କାମନା।

ମଧ୍ୟପ୍ର‌ଦେଶରୁ  ଫେରିଲା ମରଶରୀର।

ଘର ବଦଳରେ ଶେଷ ଠିକଣା ହେଲା ସ୍ବର୍ଗଦ୍ବାର।

ଏହି କରୁଣ କାହାଣୀଟି ହେଉଛି ଜୟଦେବବିହାର ଆତ୍ମାରାମ ବସ୍ତିରେ ରହୁଥିବା ଗାଡ଼କଣ ଗାଁ ବନମାଳି ବେହେରାଙ୍କ ପରିବାରର।

Advertisment Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ ଆଜି ରାତି ସାଢ଼େ ୧୨ଟାରେ ମଧ୍ୟପ୍ରଦେଶରୁ ଆସିଥିବା ୩ଟି ଆମ୍ବୁଲାନ୍‌ସ ଜୟଦେବବିହାର ଦୁର୍ଗାମଣ୍ଡପ ନିକଟରେ ପହଞ୍ଚିଥିଲା।

ସେଥିରେ ଥିଲା ବନମାଳିଙ୍କ ପୁଅ ଶିବ, ନାତି କ୍ରିଷ୍ଣା, ନାତୁଣୀ ସ୍ବୟଂପ୍ରଭା, ମଝିଆ ଝିଅ ରୀତାରାଣୀ, ମଝିଆ ଜୋଇଁ ଜ୍ଞାନେନ୍ଦ୍ର, ରୀତାରାଣୀଙ୍କ ପୁଅ ସାଇ ସ୍ବସ୍ତିକ ଓ ସବା ସାନଝିଅ ରାଧାରାଣୀଙ୍କ ମୃତଦେହ।

ଆତ୍ମରାମ ବସ୍ତି ଓ ଗାଡ଼କଣ ଗାଁର ଶହଶହ ମହିଳା ଓ ପୁରୁଷ ରୁଣ୍ଡ ହୋଇଥିଲେ ଜୟଦେବବିହାର ଦୁର୍ଗାମଣ୍ଡପ ନିକଟରେ।

ସମସ୍ତଙ୍କ ଆଖିରୁ ଝରିପଡ଼ୁଥିଲା ଲୁହ।

ଦୁଇ ଦିନ ହେଲା ବନମାଳି ଓ ତାଙ୍କ ପରିବାର ଲୋକଙ୍କ ଆଖିର ଲୁହ ଶୁଖି ନଥିଲା।

ଆଜି ମୃତଦେହ ସବୁକୁ ଦେଖିବା ପରେ ପୁଣି ଲୁହର ବନ୍ୟା ସୃଷ୍ଟି ହୋଇଥିଲା।

କାନ୍ଦବୋବାଳିରେ ପୂରା ପରିବେଶ ଫାଟି ପଡ଼ିଥିଲା।

ବନମାଳିଙ୍କ ସ୍ତ୍ରୀ ଅନସୂୟା ବାରମ୍ବାର ଚେତା ହରାଉଥିଲେ।

Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ସେହିଭଳି ରାଉରକେଲାରୁ ଆସି ଅପେକ୍ଷା କରିଥିବା ବନମାଳିଙ୍କ ମଝିଆ ଜୋଇଁ ଜ୍ଞାନେନ୍ଦ୍ରଙ୍କ ପରିବାର ଲୋକଙ୍କ ବୁକୁଫଟା କାନ୍ଦ ଉପସ୍ଥିତ ଲୋକଙ୍କ ଛାତି ବିଦାରି ପକାଇଥିଲା।

ବନମାଳିଙ୍କ ପରିବାରକୁ ସମ୍ଭାଳିବା ବଡ଼ କଷ୍ଟକର ହୋଇପଡ଼ିଥିଲା।

ତାଙ୍କ ପ୍ରିୟ ଆତ୍ମରାମ ବସ୍ତିର ଲୋକେ ଓ ଗାଡ଼କଣ ଗାଁର ଆତ୍ମୀୟ ସ୍ବଜନମାନେ ବହୁ ବୁଝାସୁଝା କରି ‌ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ମଧ୍ୟପ୍ରଦେଶର ୩ ଆମ୍ବୁଲାନ୍‌ସରୁ ମୃତଦେହଗୁଡ଼ିକୁ ବାହାର କରି ୪ଟି ସ୍ବର୍ଗରଥରେ ରଖାଯାଇଥିଲା।

୪ଟିଯାକ ସ୍ବର୍ଗରଥ ଗାଡ଼କଣ ଗାଁକୁ ବନମାଳିଙ୍କ ଘର ପାଖକୁ ଯାଇଥିଲା।

ଗାଡ଼କଣରେ ପ୍ରତିଷ୍ଠା ହେବାକୁ ଥିବା ଶିବଙ୍କ ନୂଆଘର ପାଖରେ ସ୍ବର୍ଗରଥ ଅଟକିବା ବେଳେ ଆହୁରି କରୁଣ ପରିବେଶ ଦେଖିବାକୁ ମିଳିଥିଲା।

ବିଳମ୍ବିତ ରାତି‌ରେ ଗାଡ଼କଣ ଗାଁରୁ ସ୍ବର୍ଗରଥମାନେ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ବାହାରି ଯାଇଥିଲେ।

ପଛରେ ରହିଯାଇଥିଲା ଶିବଙ୍କ ନୂଆ ଘର ପ୍ରତିଷ୍ଠା ଓ ଭଉଣୀ ରାଧାରାଣୀଙ୍କ ନିର୍ବନ୍ଧ।

ମୃତକମାନଙ୍କ ଶେଷକୃତ୍ୟ ସଂପନ୍ନ ହେବା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଓଏସ୍‌ଡି ଭାବେ ନିୟୋଜିତ ଓଏଏସ୍‌ ଅଧିକାରୀ ପ୍ରୀତିଶ ପଣ୍ଡା ପୁରୀ ଯିବା ପାଇଁଁ ସ୍ବର୍ଗରଥ ଓ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।