Mahanadi Flood Threat Returns: ମହାନଦୀରେ ପୁଣି ବନ୍ୟା, ମୁଣ୍ଡଳିରେ ଚାଲିବ ୮ ଲକ୍ଷ କ୍ୟୁସେକ୍ ପାଣି

Sep 27, 2026 - 19:46
Mahanadi Flood Threat Returns: ମହାନଦୀରେ ପୁଣି ବନ୍ୟା, ମୁଣ୍ଡଳିରେ ଚାଲିବ ୮ ଲକ୍ଷ କ୍ୟୁସେକ୍ ପାଣି

ମହାନଦୀରେ ଆସୁଛି ବନ୍ୟା। ଏଥିପାଇଁ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଜାରି କରାଯାଇଛି ସତର୍କତା। ଆସନ୍ତାକାଲି ସକାଳଠାରୁ ପ୍ରାୟ ୨୪ ଘଣ୍ଟା ଯାଏଁ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। କାଲି ସକାଳେ ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ। ଏଥିଯୋଗୁଁ ମହାନଦୀର ବିଭିନ୍ନ ଶାଖା ନଦୀରେ ଛୋଟ ଧରଣର ବନ୍ୟା ଆସିବ ବୋଲି ଆକଳନ କରିଛି ଜଳସଂପଦ ବିଭାଗ।

ପଶ୍ଚିମ ଓଡ଼ିଶା ଓ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ହୀରାକୁଦ। ସ୍ଥିତିର ମୁକାବିଲା ଲାଗି ୨୫ରୁ ଅଧିକ ଗେଟ୍ ଦେଇ ଡ୍ୟାମରୁ ନିଷ୍କାସନ ହେଉଛି ବନ୍ୟାଜଳ। ପ୍ରବଳ ଗର୍ଜନ କରି ତଳମୁଣ୍ଡକୁ ପ୍ରବାହିତ ହେଉଛି ପାଣି। ସମ୍ବଲପୁର ଉପକଣ୍ଠ ମାଳତୀ-ଗୁଣ୍ଡେରପୁର ବ୍ରିଜ୍। ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥର ଏହି ବ୍ରିଜ୍ ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ବିକଳ୍ପ ରାସ୍ତା ଭାବେ ମାନେଶ୍ୱର ଛକ ଦେଇ ସୋନପୁରକୁ ଚାଲୁଛି ଗାଡ଼ି ମଟର। 

ହୀରାକୁଦ ଡ୍ୟାମ୍ ରୁ ନିଷ୍କାସିତ ପାଣିରେ ତେଲ୍ ବେସିନର ପାଣି ମିଶିବା ଫଳରେ ଆଜି ରାତି ସୁଦ୍ଧା କଟକ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏହି ପରିମାଣ ଧିରେ ଧିରେ ବଢ଼ି ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକରେ ପହଞ୍ଚିବ ବୋଲି ଆକଳନ କରିଛି ଜଳଂପଦ ବିଭାଗ। ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଛୋଟ ଧରଣର ବନ୍ୟା ସ୍ଥିତି ଉପୁଜିବ ବୋଲି କହିଛନ୍ତି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, ଦୟା, ଭାର୍ଗବୀ, ରାଜୁଆ ଓ ମକରାରେ ବନ୍ୟା ଆସିବ। ଏହା ଫଳରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ଗରଦପୁର ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇପାରେ। ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା ଗୋପ୍, ଏରସମା ବାଲିକୁଦା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଗତ ଜୁଲାଇ ୩୦ ତାରିଖରେ ଆସିଥିବା ବନ୍ୟା ବେଳେ ମୁଣ୍ଡଳିରେ ୮.୯ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହୋଇଥିବା ବେଳେ ଏଥର ଏହାକୁ ୮ ଲକ୍ଷ କ୍ୟୁସେକ୍ ମଧ୍ୟରେ ସୀମୀତି ରଖିବାକୁ ଚେଷ୍ଟା କରାଯାଉଥିବା ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସେପଟେ ମହାନଦୀର ଶାଖା ନଦୀ ଦେବୀ ଓ ପାଇକାରେ ବନ୍ୟାପାଣି ବଢ଼ିବା ପରେ ଛାନିଆ ଜଗତସିଂହପୁର ଜିଲ୍ଲାର ନଈକୂଳିଆ ଲୋକେ। କିଛି ଦିନ ତଳେ ଆସିଥିବା ବନ୍ୟାରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଳକରେ ବହୁ ଅଂଚଳ ଜଳବନ୍ଦୀ ହୋଇଥିଲା। ବନ୍ୟା ପ୍ଳାବିତ ଲୋକକମାନେ କିଛିଦିନ ତଳେ ଘର ସଜାଡ଼ି ଫେରିଥିବା ବେଳେ ପୁଣି ଥରେ ବନ୍ୟା ଆସୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।