Mahaprasad Sold Alongside Non-Veg Food: ଆମିଷ ସହ ମହାପ୍ରସାଦ ବିକ୍ରି, ପୁରୀରେ ତାତିଲେ ଭକ୍ତ ଓ ସେବାୟତ

Oct 06, 2026 - 20:49
Mahaprasad Sold Alongside Non-Veg Food: ଆମିଷ ସହ ମହାପ୍ରସାଦ ବିକ୍ରି, ପୁରୀରେ ତାତିଲେ ଭକ୍ତ ଓ ସେବାୟତ

ମହାପ୍ରସାଦ। ଏହା କେବଳ ଅନ୍ନ ନୁହେଁ, ଏହା ମହାପ୍ରଭୁଙ୍କ ଆଶୀର୍ବାଦ। ଯେଉଁ ଅନ୍ନରେ ଜାତି ନାହିଁ, ଭେଦଭାବ ନାହିଁ, ଅଛି କେବଳ ମହାପ୍ରଭୁଙ୍କ କୃପା। ଶ୍ରୀମନ୍ଦିରର ରୋଷଶାଳାରେ ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ପାକ ହୁଏ ଅନ୍ନ। ଆଉ ଭକ୍ତଙ୍କ ପାଇଁ ତାହା ପାଲଟିଯାଏ ମହାପ୍ରଭୁଙ୍କ ପ୍ରସାଦ। ହେଲେ ଦୁର୍ଭାଗ୍ୟ, ବେପାରୀ ହାତରେ ଆଜି ସେହି ପବିତ୍ର ମହାପ୍ରସାଦ। ଯେଉଁ ହାଣ୍ଡିଶାଳରେ ଆମିଷ ରୋଷେଇ ହେଉଛି, ଅଣ୍ଡା ସହ ମାଛ ମାଂସର ଆସର ଜମୁଛି, ସେଇଠି ଚାଲିଛି ମହାପ୍ରଭୁଙ୍କ ସେହି ମହାପ୍ରସାଦର ବିକ୍ରି। ମହାପ୍ରସାଦର ଗୋଟିଏ କଣିକାରେ ବି ଭକ୍ତ ଦେଖେ ମହାପ୍ରଭୁଙ୍କ ଉପସ୍ଥିତି, ହେଲେ ଦୁର୍ଭାଗ୍ୟ, ଆଜି କିନ୍ତୁ ସେହି ଶ୍ରୀକ୍ଷେତ୍ର ପୁରୀର ରେଳଷ୍ଟେସନ ନିକଟ ହୋଟେଲରେ ତାକୁ ଆମିଷ ସହ ଏକାଠି ବିକ୍ରି କରାଯାଉଥିବାର ସଂଗୀନ ଅଭିଯୋଗ। କେବଳ ସେତିକି ନୁହେଁ, ମହାପ୍ରସାଦରେ ପିଆଜ, ରସୁଣ ଓ ସ୍ବାଦିଷ୍ଟ ମସଲା ମିଶାଇ ବେପାରୀ ବେପାର କରୁଥିବା ବି  ଅଭିଯୋଗ ଉଠିଛି। 

ପୁରୀ ସହରର ବିଭିନ୍ନ ଘରେ ବିବାହ, ବ୍ରତ, ଶୁଦ୍ଧିଘର, ଜନ୍ମଦିନ ଭଳି କାର୍ଯ୍ୟକ୍ରମରେ ମହାପ୍ରସାଦ ଭୋଜନର ବ୍ୟବସ୍ଥା ହୋଇଥାଏ। ଆଉ ବଳକା ମହାପ୍ରସାଦକୁ କେହି କେହି ଗରିବ ଗୁରୁବାଙ୍କୁ ବାଣ୍ଟି ଦିଅନ୍ତି। ହେଲେ ଯେଉଁଠି ବିକ୍ରି ହେଉଛି ମଟନ ଚିକେନ୍ ଆଉ ଅଣ୍ଡା ଭଳି ଆମିଷ ମିଲ୍, ସେଇଠି ବିକ୍ରି ହେଉଛି ସେହି ଅବଢ଼ା। ଶୁଣିଲେ କାନ ଆଉ ମନକୁ ମହାପାପ ଭଳି ଲାଗୁଛି। 

ଏହି ଘଟଣା ଗତକାଲିଠୁ ସାମ୍ନାକୁ ଆସିଲାଣି। ଘଟଣା ସଂପର୍କରେ ପୋଲିସ ବି ଜାଣି ସାରିଛି। ଘଟଣାସ୍ଥଳକୁ ଯାଇ ଯାଞ୍ଚ ବି କରିସାରିଛି। ଅଥଚ କାହିଁକି ଏଯାଏଁ ହୋଇନି ଆଖିଦୃଶିଆ ଆକ୍ସନ ? ଘଟଣା ସାମ୍ନାକୁ ଆସିବାର ୨୪ ଘଣ୍ଟା ପରେ ବି ପୋଲିସ ଓ ପ୍ରଶାସନ ନୀରବ। ଅବଶ୍ୟ ଗତକାଲିଠୁ ଏହି ଝୁଂପୁଡ଼ି ହୋଟେଲଟି ବନ୍ଦ ଅଛି। କିନ୍ତୁ କି ଆକ୍ସନ ନିଆଯାଇଛି, ସେ ସଂପର୍କରେ କେହି ମୁହଁ ଖୋଲୁନାହାଁନ୍ତି। କେବଳ କୁହାଯାଉଛି, ସଂପୃକ୍ତ ହୋଟେଲ ମାଲିକଙ୍କୁ ଉଠାଇ ନେଇଥିଲା ପୋଲିସ। ଘଟଣା ସଂପର୍କରେ କୌଣସି ଟେର୍ ନପାଇବାରୁ ପରେ ଛାଡ଼ି ଦେଇଛି। ତେବେ ହୋଟେଲ ମାଲିକ ଏବେ କେଉଁଠି, ସ୍ପଷ୍ଟ ସୂଚନା ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

କେବଳ ଅବଢ଼ା କାହିଁକି, ମର୍ତ୍ତ୍ୟ ବୈକୁଣ୍ଠ ପୁରୀରେ କେମିତି ଅସ୍ବାସ୍ଥ୍ୟକର ପରିବେଶରେ ଖଜା ତିଆରି କରି ବେପାର ଚଳାଇଛନ୍ତି ଲାଭଖୋର ବେପାରୀ, ତାର ଦୃଶ୍ୟ ଦେଖିସାରିଛନ୍ତି। ତେବେ ସେ ଯାହା ବି ହେଉ, ଏଇଠି ଦାୟୀତ୍ବହୀନତା କେବଳ ବ୍ୟବସାୟୀଙ୍କ ନୁହେଁ, ଏଇଠି ବିଧି ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନ ଉଠୁଛି। ଭାବ ଆଉ ଆବେଗର ମହାପ୍ରସାଦ ନାଁରେ ଚାଲିଥିବା ଏଭଳି ଦୁଃସାହସକୁ ରୋକିବ କିଏ ? ମହାପ୍ରସାଦ ବେପାରୀଙ୍କ ପାଇଁ ସାମଗ୍ରୀ ହୋଇପାରେ, କିନ୍ତୁ ତା'ର ପବିତ୍ରତା ସହ ଖେଳିବାର ଅଧିକାର କାହାରି ନାହିଁ। ଯେଉଁମାନେ ଆସ୍ଥା, ପରମ୍ପରା ଆଉ ବିଶ୍ବାସ ସହ ଖେଳୁଛନ୍ତି ସେମାନଙ୍କ ବିରୋଧରେ ଆଖିଦୃଶିଆ ଆକ୍ସନ ନିହାତି ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।