Mahesh Babu's look as Rudra: ଜନ୍ମଦିନରେ ମହେଶ ବାବୁଙ୍କୁ ବଡ଼ ଉପହାର; ‘ବାରାଣସୀ’ରେ ରୁଦ୍ର ଲୁକ୍‌ରେ ଧମାକା କଲେ ସୁପରଷ୍ଟାର

Aug 10, 2026 - 13:21
Mahesh Babu's look as Rudra: ଜନ୍ମଦିନରେ ମହେଶ ବାବୁଙ୍କୁ ବଡ଼ ଉପହାର; ‘ବାରାଣସୀ’ରେ ରୁଦ୍ର ଲୁକ୍‌ରେ ଧମାକା କଲେ ସୁପରଷ୍ଟାର

ଗତକାଲି ସୁପରଷ୍ଟାର ମହେଶ ବାବୁଙ୍କ ୫୧ତମ ଜନ୍ମଦିନ ଥିଲା। ଏହି ବିଶେଷ ଦିନରେ ତାଙ୍କ ଫ୍ୟାନ୍‌ମାନଙ୍କୁ ମିଳିଛି ବଡ଼ ସର୍‌ପ୍ରାଇଜ୍‌। ଏସ୍‌ଏସ୍‌ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାରାଣସୀ’ରେ ମହେଶ ବାବୁଙ୍କ ଚରିତ୍ର ‘ରୁଦ୍ର’ର ନୂଆ ଲୁକ୍‌ ନିର୍ମାତାମାନେ ଉନ୍ମୋଚନ କରିଥିଲେ। ନୂଆ ଝଲକ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମହେଶ ବାବୁଙ୍କ ଏହି ଅବତାରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଫ୍ରିକାର ବିଶାଳ ଏବଂ ରୋମାଞ୍ଚକର ପ୍ରାକୃତିକ ପରିବେଶ ମଧ୍ୟରେ ରୁଦ୍ରଙ୍କ ଚରିତ୍ରରେ ମହେଶ ବାବୁଙ୍କୁ ଏକଦମ୍‌ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି। ଏହି ଫଟୋଗୁଡ଼ିକରେ ତାଙ୍କ ଲୁକ୍‌ରେ ଷ୍ଟାଇଲ୍‌, ରହସ୍ୟ ଏବଂ ଦମଦାର ଆକ୍ସନ୍‌ ହିରୋର ଝଲକ ଦେଖାଯାଉଛି।

ରୁଦ୍ରଙ୍କ ଲୁକ୍‌ରେ ମହେଶଙ୍କ ଦମଦାର ଅବତାର

ନିର୍ମାତାମାନେ ଜାରି କରିଥିବା ଫଟୋରେ ଗୋଟିଏ ପଟେ ରୁଦ୍ର ଆଫ୍ରିକାର ବିଶାଳ ପ୍ରାକୃତିକ ଦୃଶ୍ୟକୁ ଚାହିଁ ରହିଛନ୍ତି। ଅନ୍ୟ ଏକ ଫଟୋରେ ସେ ବାଉଁଶ ତିଆରି ଭେଳା ଉପରେ ଆରାମ କରୁଥିବା ନଜର ଆସୁଛନ୍ତି। 

କିଲିମାଞ୍ଜାରୋ ଏବଂ ମାସାଇ ମାରାରେ ଫିଲ୍ମର ଆଫ୍ରିକା ସିଡ୍ୟୁଲ୍‌ରେ ଏହି ଦୃଶ୍ୟଗୁଡ଼ିକର ସୁଟିଂ ହୋଇଥିବା ଜଣାପଡ଼ିଛି। 

ଆଷ୍ଟ୍ରଏଡ୍‌ ‘ଶମ୍ଭବୀ’ ଆଣିବ ବିପଦ?

‘ବାରାଣସୀ’ରେ କାହାଣୀକୁ ନେଇ ନିର୍ମାତାମାନେ ଏପର୍ଯ୍ୟନ୍ତ ବଡ଼ ରହସ୍ୟ ବଜାୟ ରଖିଛନ୍ତି। ତେବେ ଅନଲାଇନ୍‌ରେ ଫିଲ୍ମର ସାରାଂଶ ସାମ୍ନାକୁ ଆସିଛି।

‘Gulte’ର ଏକ ରିପୋର୍ଟ ଅନୁଯାୟୀ, ୨୦୨୭ ମସିହାରେ ଏକ ବିଶାଳ ଶିଳା ଖଣ୍ଡ (ଆଷ୍ଟ୍ରଏଡ୍‌) ‘ଶମ୍ଭବୀ’ ପବିତ୍ର ସହର ବାରାଣସୀ ଆଡ଼କୁ ଗତି କରୁଥିବାରୁ ସମଗ୍ର ବିଶ୍ୱ ଏକ ବଡ଼ ବିପଦର ସମ୍ମୁଖୀନ ହେବ। ଶିଳା ଖଣ୍ଡ ଧକ୍କାରେ ବାରାଣସୀ ଭୟଙ୍କର ବିନାଶର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

ଏହି ବିପଦକୁ ଟାଳିବା ପାଇଁ ରୁଦ୍ରଙ୍କୁ ଏକ ହାଇ-ଷ୍ଟେକ୍‌ ମିଶନ୍‌ରେ ସାମିଲ କରାଯାଏ। ତାଙ୍କ ଲକ୍ଷ୍ୟ ହେଉଛି ଏକ ପ୍ରାଚୀନ ରହସ୍ୟମୟ ବସ୍ତୁ ଖୋଜି ବାହାର କରିବା। ଏହି ମିଶନ୍‌ରେ ତାଙ୍କ ସାଥୀ ହେବେ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ଙ୍କ ଚରିତ୍ର ମନ୍ଦାକିନୀ।

ମନ୍ଦାକିନୀ ଜଣେ ଇତିହାସବିଦ୍‌ ଏବଂ ଦକ୍ଷ ଶୁଟର ବୋଲି କୁହାଯାଉଛି। ରୁଦ୍ର ଓ ମନ୍ଦାକିନୀଙ୍କ ମିଶନ୍‌ ଆଫ୍ରିକା, ଆଣ୍ଟାର୍କଟିକା ଏବଂ ୟୁରୋପ୍‌ ପର୍ଯ୍ୟନ୍ତ ଯିବ ବୋଲି ସିନୋପସିସ୍‌ରେ ଦାବି କରାଯାଇଛି। ପୃଥ୍ୱୀରାଜ ସୁକୁମାରନ୍‌ଙ୍କ କୁମ୍ଭ ଚରିତ୍ରକୁ ଆଣ୍ଟାଗୋନିଷ୍ଟ୍‌ ଭାବେ ଦର୍ଶାଯାଇଥିବା କୁହାଯାଉଛି।

ଫିଲ୍ମଟି ୨୦୨୭ ଏପ୍ରିଲ୍‌ ୭ ତାରିଖରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଧାର୍ଯ୍ୟ ହୋଇଛି। ମହେଶ ବାବୁଙ୍କ ‘ରୁଦ୍ର’ ଅବତାରର ଏହି ପ୍ରଥମ ବଡ଼ ଝଲକ ପରେ ଏବେ ପ୍ରଶ୍ନ ଉଠିଛି ରାଜମୌଲିଙ୍କ ଏହି ମହାକାବ୍ୟରେ ରୁଦ୍ର କେତେ ବଡ଼ ଚମତ୍କାର କରିବେ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।