Major Challenges Await For Odisha's New Governor: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ, ଆସନ୍ତାକାଲି ଶପଥ ଗ୍ରହଣ
ଭୁବନେଶ୍ବର ଏୟାରପୋର୍ଟରେ ବ୍ରଜମୋହନ ରାମଙ୍କୁ ଗାର୍ଡ ଅଫ୍ ଅନର୍। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ବ୍ରଜମୋହନ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ବି କରିଥିଲେ ସ୍ବାଗତ। ବ୍ରଜମୋହନ ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ନେବେ ଶପଥ। ତାଙ୍କ ସହିତ ପତ୍ନୀ ଲୀଲା ଦେବୀ ବି ଆସିଛନ୍ତି ଓଡ଼ିଶା।
ତିନିଥର ସାଂସଦ ଏବଂ ଥରେ ବିଧାୟକ ରହିସାରିଥିବା ଝାଡ଼ଖଣ୍ଡର ୬୮ ବର୍ଷୀୟ ବ୍ରଜମୋହନଙ୍କର ରାଜନୀତିରେ ରହିଛି ବେଶ୍ ଲମ୍ବା ଅଭିଜ୍ଞତା। କିନ୍ତୁ ରାଜନୀତିର ଟୋପି ଓହ୍ଲାଇ ସାମ୍ବିଧାନିକ ଟୋପି ପିନ୍ଧିବା ପରେ ତାଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ।
୧. ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ରାଜ୍ୟପାଳଙ୍କ ଦାୟିତ୍ୱ କେବଳ ସାମ୍ବିଧାନିକ ପରଂପରାର ସୁରକ୍ଷା ନୁହେଁ, ବରଂ ସରକାର ଓ ବିରୋଧୀଙ୍କ ମଧ୍ୟରେ ସାମ୍ବିଧାନିକ ସମନ୍ୱୟ ରକ୍ଷା କରିବା। ୨. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା। ୩. ଲୋକଭବନର ମର୍ଯ୍ୟାଦା ଓ ଗାରିମା ବଜାୟ ରଖିବା। ୪. କୁଳାଧିପତି ଭାବେ ବିଶ୍ବବିଦ୍ୟାଳୟ ଓ ଉଚ୍ଚଶିକ୍ଷାରେ ସଂସ୍କାର ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି କିପରି ହେବ ତାହା ହେବ ବଡ଼ ଆହ୍ୱାନ। ସେହିପରେ ଜଣେ ଦଳିତ ନେତା ହୋଇଥିବାରୁ ବ୍ରଜମୋହନଙ୍କଠାରୁ ଦଳିତ ଓ ଆଦିବାସୀ ସମାଜର ରହିବ ବିଶେଷ ଅପେକ୍ଷା। ଅନ୍ୟପକ୍ଷରେ ରାଜ୍ୟପାଳ ଭାବେ ନିଯୁକ୍ତି ପରେ ବିଜେପି ସଂଗଠନ ଆଗକୁ ନେବାକୁ ନେଇ ନେଇ ବ୍ରଜମୋହନ ଦେଇଥିବା ବୟାନ ନେଇ ଉଠିଥିଲା ବିବାଦ। ପରେ ସ୍ପଷ୍ଟୀକରଣ ରଖି ସେ ଏହାକୁ ଏଡ଼ାଇ ଯାଇଥିଲେ। କିନ୍ତୁ ରାଜ୍ୟପାଳ ଭାବେ ଶପଥ ନେବା ପରେ ବ୍ରଜମୋହନଙ୍କ ଆଚରଣ ଓ ଉଚ୍ଚାରଣ ଉପରେ ରହିବ ସମସ୍ତଙ୍କ ନଜର।
ବିଦାୟୀ ରାଜ୍ୟପାଳ ଛାଡ଼ି ଯାଇଥିବା କାମକୁ ନୂଆ ରାଜ୍ୟପାଳ କିଭଳି ଆଗକୁ ନେଉଛନ୍ତି ତାହା ଏକ ବଡ଼ ଚ୍ୟାଲେଞ୍ଜ ହେବ। ସାମ୍ୱିଧନିକ ଗଣ୍ଡି ଭିତରେ ରହି ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବା ତାଙ୍କ ପାଇଁ ପ୍ରାଥମିକତା ହେବ ବୋଲି କହିଛନ୍ତି ରାଜନୈତି ସମୀକ୍ଷକ।
ବ୍ରଜମୋହନ ଓଡ଼ିଶାରେ ପହଞ୍ଚିବାପରେ ଏୟାରପୋର୍ଟରୁ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଆସନ୍ତାକାଲି ଲୋକଭବନରେ ଦିନ ୧୧ଟା ବେଳେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।