Major Landslides Caused Extensive Damage: ଭୟଙ୍କର ଭୂସ୍ଖଳନ: ପାହାଡ଼ରୁ ଖସିଲା ମାଟି ଅତଡା, ପୂରା ଗାଁ ଛାରଖାର

Sep 25, 2026 - 14:13
Major Landslides Caused Extensive Damage: ଭୟଙ୍କର ଭୂସ୍ଖଳନ: ପାହାଡ଼ରୁ ଖସିଲା ମାଟି ଅତଡା, ପୂରା ଗାଁ ଛାରଖାର

ଲଗାଣ ବର୍ଷା ପରେ ସିକ୍କିମରେ ପୁଣିଥରେ ଭୟଙ୍କର ଭୂସ୍ଖଳନ ହୋଇଛି। ପଶ୍ଚିମ ସିକ୍କିମର ଗ୍ୟାଲସିଙ୍ଗ ଜିଲ୍ଲା ଅଧୀନ ରିମ୍ବି ଗାଁରେ ଗୁରୁବାର ରାତିରେ ବଡ଼ ଧରଣର ଭୂସ୍ଖଳନ ଘଟିଛି। ପାହାଡ଼ ଉପରୁ ବିପୁଳ ପରିମାଣର କାଦୁଅ, ପଥର ଓ ମାଟି ଧସି ଗାଁ ଆଡ଼କୁ ମାଡ଼ି ଆସିବାରୁ ୩୦ରୁ ଅଧିକ ଘର ପ୍ରଭାବିତ ହୋଇଛି। କେତେକ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଅନେକ ଘର ଓ ସରକାରୀ କ୍ୱାର୍ଟର୍ସରେ ବ୍ୟାପକ କ୍ଷତି ହୋଇଛି। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭୂସ୍ଖଳନ ସମୟରେ ପାହାଡ଼ ଉପରୁ ମାଟି, ବଡ଼ ବଡ଼ ପଥର ଓ ଅନ୍ୟାନ୍ୟ ଆବର୍ଜନା ଦ୍ରୁତ ଗତିରେ ତଳକୁ ଖସି ଆସୁଥିବା ଭିଡିଓରେ ଦେଖାଯାଇଛି। ଫଳରେ ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକ ପ୍ରତି ବିପଦ ବଢ଼ିଛି। ଲଗାତାର ବର୍ଷା ଯୋଗୁଁ ଏଭଳି ଭୂସ୍ଖଳନ ଘଟିଥିବା ଅଧିକାରୀମାନେ କହିଛନ୍ତି।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ରିମ୍ବି ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଧସିବା ଘଟଣା ଗତ କିଛି ଦିନ ଧରି ଜାରି ରହିଛି। ସେପ୍ଟେମ୍ବର ୧୨ରୁ ବାରମ୍ବାର ମାଟି, ପଥର ଓ ବଡ଼ ବଡ଼ ଶିଳାଖଣ୍ଡ ତଳକୁ ଖସୁଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ରିମ୍ବି-ୟୁକ୍ସମ୍ ଏବଂ ରିମ୍ବି-ଖେଚିଓପାରି ରାସ୍ତା ମଧ୍ୟ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି।

ରିମ୍ବି ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୨୨୪.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ରିପୋର୍ଟ ହୋଇଛି। ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ଧୀରେ ଧୀରେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ରିମ୍ବିର ୨୮ଟି ଘରର ୧୨୮ ଜଣଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସିକ୍କିମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ରହିଛି। ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ୍ କ୍ୟାମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି। 

ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ମିଳିନାହିଁ। ତେବେ ଘର ଓ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିବାରୁ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। ରାସ୍ତାରୁ ମାଟି ଓ ଆବର୍ଜନା ହଟାଇ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି। 

ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ରିମ୍ବିର ପରିସ୍ଥିତିକୁ ଗୁରୁତର ବୋଲି କହିବା ସହ ଅଧିକାରୀମାନଙ୍କୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ସେ ପ୍ରଶାସନକୁ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।