Major Relief for Cancer Patients: କ୍ୟାନ୍ସର ଚିକିତ୍ସା ହେବ ଶସ୍ତା, ସରକାରଙ୍କ ବଡ଼ ନିଷ୍ପତ୍ତି
କ୍ୟାନ୍ସର ରୋଗୀଙ୍କ ପାଇଁ ବଡ଼ ଖବର। ସରକାର ନିର୍ଦ୍ଧାରିତ ମୂଲ୍ୟ ନିୟନ୍ତ୍ରଣ ବାହାରେ ଥିବା ସମସ୍ତ ଆଣ୍ଟି-କ୍ୟାନ୍ସର ଔଷଧରେ ବ୍ୟବସାୟିକ ମାର୍ଜିନ୍କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ କରିଛନ୍ତି। ଏହା ଫଳରେ ଅନେକ କ୍ୟାନ୍ସର ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ବା ଏମ୍ଆର୍ପି ୭୦ ପ୍ରତିଶତ ପର୍ଯ୍ୟନ୍ତ କମିପାରେ।
ଏହି ନିୟମ ବ୍ରାଣ୍ଡେଡ୍ ଓ ଜେନେରିକ୍, ଦେଶୀ ଓ ବିଦେଶୀ, ପେଟେଣ୍ଟ ଥିବା ଓ ନଥିବା ଆଣ୍ଟି-କ୍ୟାନ୍ସର ଔଷଧ ଉପରେ ଲାଗୁ ହେବ। ସରକାରଙ୍କ ଆକଳନ ଅନୁସାରେ, ଏହା ଦ୍ୱାରା ରୋଗୀଙ୍କ ବର୍ଷକୁ ପ୍ରାୟ ୨,୫୦୦ କୋଟି ଟଙ୍କା ସଞ୍ଚୟ ହୋଇପାରେ।
ଔଷଧ ଯୋଗାଣ ବ୍ୟବସ୍ଥାରେ ଅଧିକ ମାର୍ଜିନ୍ କମାଇବା ଏବଂ କ୍ୟାନ୍ସର ଚିକିତ୍ସାକୁ ରୋଗୀଙ୍କ ପାଇଁ ଶସ୍ତା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଭାରତରେ ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ନୂଆ କ୍ୟାନ୍ସର ମାମଲା ସାମ୍ନାକୁ ଆସୁଛି।
କ୍ୟାନ୍ସର ଔଷଧର ମୂଲ୍ୟରେ ବଡ଼ ପାର୍ଥକ୍ୟକୁ ନେଇ ଗତ ମାସରେ ସୁପ୍ରିମକୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏକ ଔଷଧ ଖୁଚୁରା ବ୍ୟବସାୟୀଙ୍କ ପାଖକୁ ପ୍ରାୟ ୨,୭୦୦ ଟଙ୍କାରେ ପହଞ୍ଚୁଥିବା ବେଳେ ଏହାର ଏମ୍ଆର୍ପି ୨୭ ହଜାର ଟଙ୍କା ଥିବା ମାମଲା କୋର୍ଟରେ ଉଠିଥିଲା।
ସରକାର କହିଛି, ୨୦୧୯ରେ ୪୨ଟି ନନ୍-ସିଡ୍ୟୁଲ୍ଡ ଆଣ୍ଟି-କ୍ୟାନ୍ସର ଔଷଧରେ ୩୦ ପ୍ରତିଶତ ଟ୍ରେଡ୍ ମାର୍ଜିନ୍ ଲାଗୁ କରାଯାଇଥିଲା। ଏହା ପରେ ୫୨୬ଟି ବ୍ରାଣ୍ଡର ଏମ୍ଆର୍ପି ହାରାହାରି ପ୍ରାୟ ୫୦ ପ୍ରତିଶତ କମିଥିଲା ଏବଂ ରୋଗୀଙ୍କ ପ୍ରାୟ ୯୮୪ କୋଟି ଟଙ୍କା ସଞ୍ଚୟ ହୋଇଥିଲା।
ତେବେ ଔଷଧ ଶିଳ୍ପ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନେଇ କିଛି ଆପତ୍ତି ରହିଛି। ଅଧିକ ମାର୍ଜିନ୍ ଥିବା ଔଷଧରେ ନିର୍ଦ୍ଦିଷ୍ଟ ଭାବେ ହସ୍ତକ୍ଷେପ କରିବା ସହ ଔଷଧର ଗୁଣବତ୍ତା, ଗବେଷଣା ଓ ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦେବା ଦରକାର ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।