Market Loses Rs 10.39 Lakh Crore: ଶେୟାର ବଜାରରେ ହାହାକାର! ସେନ୍ସେକ୍ସ-ନିଫ୍ଟିରେ ରକ୍ତରଞ୍ଜିତ ହେଲେ ନିବେଶକ

Oct 01, 2026 - 15:36
Market Loses Rs 10.39 Lakh Crore: ଶେୟାର ବଜାରରେ ହାହାକାର! ସେନ୍ସେକ୍ସ-ନିଫ୍ଟିରେ ରକ୍ତରଞ୍ଜିତ ହେଲେ ନିବେଶକ

ଶେୟାର ବଜାରରେ ହାହାକାର। ଗୋଟିଏ ଦିନରେ ନିବେଶକ ହରାଇଲେ ୧୦.୩୯ ଲକ୍ଷ କୋଟି ଟଙ୍କା। ଗୁରୁବାର ସେନ୍ସେକ୍ସ ୧ ହଜାର ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ୫୦ ମଧ୍ୟ ୨୨ ହଜାର ୩୦୦ ତଳକୁ ଚାଲିଯାଇଛି।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ମୂଲ୍ୟ ୪୭୩.୦୯ ଲକ୍ଷ କୋଟିରୁ କମି ୪୬୨.୬୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ପ୍ରାୟ ୧୦.୩୯ ଲକ୍ଷ କୋଟି ଟଙ୍କା କମିଛି।
ସେନ୍ସେକ୍ସ ୧,୦୧୨ ପଏଣ୍ଟ, ଅର୍ଥାତ୍ ୧.୩୯ ପ୍ରତିଶତ ଖସି ୭୧,୪୬୭ ପଏଣ୍ଟରେ ପହଞ୍ଚିଥିଲା। ସେହିପରି ନିଫ୍ଟି ୫୦ ୩୪୬ ପଏଣ୍ଟ, ଅର୍ଥାତ୍ ୧.୫୩ ପ୍ରତିଶତ ହ୍ରାସ ପାଇ ୨୨,୨୭୩ ପଏଣ୍ଟକୁ ଖସିଥିଲା।

ବଜାର ବିଶେଷଜ୍ଞଙ୍କ ଅନୁସାରେ, ଆଇପିଓରେ ଦେଶୀୟ ଖୁଚୁରା ନିବେଶକଙ୍କ ବହୁ ଟଙ୍କା ଲାଗିଛି। ଏହା ସହ ବିଦେଶୀ ନିବେଶକମାନେ ମଧ୍ୟ ବିକ୍ରି କରୁଛନ୍ତି। ତେଲ ଦର ଉଚ୍ଚ ରହିବା ଏବଂ ଟଙ୍କାର ମୂଲ୍ୟ ଦୁର୍ବଳ ହେବା ମଧ୍ୟ ବଜାର ଉପରେ ଚାପ ବଢ଼ାଉଛି। ସେନ୍ସେକ୍ସର ୩୦ଟି ଷ୍ଟକ୍‌ ମଧ୍ୟରୁ ୨୬ଟି ଷ୍ଟକ୍ ଲାଲ୍‌ରେ କାରବାର କରିଥିଲା। କେବଳ ୪ଟି ଷ୍ଟକ୍‌ରେ ବୃଦ୍ଧି ଦେଖାଯାଇଛି।

ବଜାଜ ଅଟୋ ସର୍ବାଧିକ ୬.୪୨% ଖସିଥିବା ବେଳେ ଏମ୍‌ଆଣ୍ଡଏମ୍‌ ୪.୧୮%, ମାରୁତି ସୁଜୁକି ୪.୦୭%, ଟାଟା ଷ୍ଟିଲ୍‌ ୩.୭୬% ଏବଂ ଅଲ୍ଟ୍ରାଟେକ୍ ସିମେଣ୍ଟ ୩.୦୩% ହ୍ରାସ ପାଇଛି।ଅନ୍ୟପଟେ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଇନ୍‌ଫୋସିସ୍ ଏବଂ ଏଚ୍‌ସିଏଲ୍ ଟେକ୍ନୋଲୋଜିରେ ସାମାନ୍ୟ ବୃଦ୍ଧି ହୋଇଛି। କେବଳ ବଡ଼ କମ୍ପାନୀ ନୁହେଁ, ମିଡ୍‌କ୍ୟାପ୍ ଏବଂ ସ୍ମଲ୍‌କ୍ୟାପ୍ ଷ୍ଟକ୍‌ରେ ମଧ୍ୟ ବିକ୍ରି ଚାପ ଦେଖାଯାଇଛି।

ନିଫ୍ଟି ୫୦୦ ପ୍ରାୟ ୧.୫୫% ଏବଂ ନିଫ୍ଟି ସ୍ମଲ୍‌କ୍ୟାପ୍ ୧୦୦ ପ୍ରାୟ ୧.୯୫% ଖସିଛି। ନିଫ୍ଟି ମିଡ୍‌କ୍ୟାପ୍ ୧୦୦ ମଧ୍ୟ ୧.୬୦% ହ୍ରାସ ପାଇଛି। ବଜାରରେ ଭୟ ଏବଂ ଅନିଶ୍ଚିତତା ବଢ଼ିଥିବାର ସଙ୍କେତ ଦେଇ ଇଣ୍ଡିଆ ଭିଆଇଏକ୍ସ ୧୩.୨୫% ବଢ଼ି ୧୫.୨୮ରେ ପହଞ୍ଚିଛି। ବିଏସ୍‌ଇରେ କାରବାର କରିଥିବା ୪,୪୧୬ଟି ଷ୍ଟକ୍‌ ମଧ୍ୟରୁ ୩,୧୬୧ଟି ଖସିଥିବା ବେଳେ ୧,୦୧୨ଟି ବଢ଼ିଛି।

ସେହିପରି ଏନ୍‌ଏସ୍‌ଇରେ ୩,୪୮୫ଟି ଷ୍ଟକ୍‌ ମଧ୍ୟରୁ ୨,୭୭୪ଟି ଷ୍ଟକ୍ ହ୍ରାସ ପାଇଛି, ୬୧୬ଟି ବଢ଼ିଛି ଏବଂ ୯୫ଟି ଷ୍ଟକ୍‌ ଅପରିବର୍ତ୍ତିତ ରହିଛି। ତେବେ ସେନ୍ସେକ୍ସ ଓ ନିଫ୍ଟିର ପତନ ସହ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍‌ରେ ମଧ୍ୟ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।