Massive Floods Turn Nepal Villages Into Mud: ପାଣିକାଦୁଅରେ ପୋତିଗଲା ଜନବସତି, ନେପାଳରେ ଖୋଜା ଚାଲିଛି ଜୀବନ
ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ଏଯାଏଁ ୩୫୯ ଜଣଙ୍କ ମୃତ୍ୟୁ ହେଲାଣି, ଶହ ଶହ ନିଖୋଜ ଅଛନ୍ତି। ଯେଉଁ ଅଞ୍ଚଳରେ କିଛି ଦିନ ତଳେ ଜୀବନ ସ୍ୱାଭାବିକ ଥିଲା, ଆଜି ସେଠାରେ ଖୋଜା ଚାଲିଛି ଜୀବନର ଚିହ୍ନ। ପାଣି ଓ କାଦୁଅର ପ୍ରଖର ସୁଅରେ ଧୋଇଯାଇଛି ଘର, ରାସ୍ତା ଓ ଯୋଗାଯୋଗର ଏକ ବଡ଼ ଅଂଶ । କେଉଁଠି ଧ୍ୱଂସାବଶେଷ ତଳେ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ, ତ ଆଉ କେଉଁଠି ନିଖୋଜ ଆତ୍ମୀୟଙ୍କୁ ଖୋଜି ଖୋଜି ଲୋକଙ୍କ ଆଖିରୁ ଲୁହ ଶୁଖୁନି।
ଗୋଟିଏ ପ୍ରଳୟ ପରର ନେପାଳ। ଧ୍ୱଂସସ୍ତୁପ ରସଓ୍ୱା। ଏଠି ପାହାଡ଼ ଆଜି ବି ଛିଡ଼ା ହୋଇଛି…ନଦୀ ଆଜି ବି ବହୁଛି…କିନ୍ତୁ ତା’ କୂଳର ଚିତ୍ର ଆଉ ଆଗଭଳି ନାହିଁ। ଉଗ୍ର ପ୍ରକୃତି ଶାନ୍ତ ହେଇଯାଇଛି କିନ୍ତୁ ଦାଗ ଏମିତି ଦେଇଛି, ଦେଖିଲେ ଛାତି ଫାଟିଯାଉଛି। ତ୍ରିଶୁଳି ବଜାରରେ ପ୍ରଳୟ ଅଭୁଲା ଚିହ୍ନ ଛାଡ଼ିଦେଇଯାଇଛି। କାଲି ସହର ଥିଲା ଆଜି ଚିହ୍ନବର୍ଣ୍ଣ ନାହିଁ। କାଦୁଅ ଭିତରେ ପୂରା ସଭ୍ୟତା ବୁଡ଼ିଯାଇଛି। ଆଉ ଏପଟେ ଅଧା ପୋତି ହୋଇଯାଇଛି ଘର। କେଉଁଠି ଛାତ ଦିଶୁଛି ଆଉ କେଉଁଠି ଖାଲି କାନ୍ଥ। ଯୁଆଡ଼େ ଚାହିଁବେ କାଦୁଅ, ଯୁଆଡ଼େ ଆଖି ବୁଲାଇବେ କୁଢକୁଢ ଅଳିଆ ଆବର୍ଜନାର ଅଟ୍ଟାଳିକା। କେଉଁଠି ଗାଡ଼ିମୋଟର, କେଉଁଠି ଘରର ଜିନିଷପତ୍ର। ସବୁକିଛି ବୁଡ଼ିଯାଇଛି, ସବୁକିଛି ଅଚିହ୍ନା ପାଲଟିଯାଇଛି। ମଣିଷ ବି ବର୍ତ୍ତିନି। ଏହି ଦୃଶ୍ୟ ହିଁ କହୁଛି ପାଣିର ସୁଅ କେତେ ଭୟଙ୍କର ଥିଲା, ବନ୍ୟା କେତେ ବଡ଼ ତାଣ୍ଡବ ରଚିଥିଲା। ଭୋଟେକୋଶୀ କୂଳର ଗୋଟିଏ ପରେ ଗୋଟିଏ ବସତି। ଏମିତି ଛିନଛତର୍ ହୋଇଯାଇଛି ବନ୍ୟା ମାଡ଼ରେ। ଘର ଖୋଲିଦେଲେ ଆଜି ବି ଘୁ ଘୁ ହୋଇ ମାଡ଼ିଆସିଛି କାଦୁଅ। କାଦୁଅ ଭିତରୁ ଶବ ଖୋଜି ଜଙ୍ଗଲ ବାଟରେ ଏମିତି ଉଦ୍ଧାର କରି ଆଣୁଛନ୍ତି ରେସ୍କ୍ୟୁ ଟିମ୍। ଟିମୁରେ କଥା କୁହନ୍ତୁ କି ସ୍ୟାବ୍ରୁବେଶି ଅବା ରସୱା ସବୁଠି ପାଣି, କାଦୁଅ ଓ ଧ୍ୱଂସାବଶେଷର ବିକଟାଳ ରୂପ ।
ଖାଲି ରସୱା ନୁହେଁ, ବନ୍ୟାର ବୀଭିଷିକା ଭୋଟେକୋଶୀରେ ବହିଯାଇ ଶହଶହ କିଲୋମିଟରକୁ କ୍ଷତି ପହଞ୍ଚାଇଯାଇଛି । ଧାଦିଙ୍ଗଠାରୁ ଆରମ୍ଭ କରି ନୁଓ୍ୱାକୋଟ୍, ନଓ୍ୱାଲପରାସୀ ପୂର୍ବ ଆଦି ଏକାଧିକ ଜିଲ୍ଲାରେ ଏକାଧିକଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ନଦୀ କୂଳର ୧୨ରୁ ଅଧିକ ସ୍ଥାନ ବ୍ୟାପକ କ୍ଷତି ହୋଇଛି। ସ୍ୟାପ୍ରୁବେସୀ, ବେତ୍ରାବତୀ, ମୈଲୁଙ୍ଗ, ସଲ୍ଲେଟାର, ଶାନ୍ତି ବଜାର, ପୈରେବେସୀ, ଖାଲ୍ତିବସ୍ତୀ, ସୋଲେ, ତ୍ରିଶୂଳୀ ଓ ବଟ୍ଟାର ଭଳି ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । କେଇଁ ଘଣ୍ଟାର ପ୍ରଳୟ ବର୍ଷ ବର୍ଷର ବସତିକୁ ମାଟି ତଳେ ପୋତିଦେଇଛି। ନେପାଳର ସରକାରୀ ସୂଚନା ଅନୁସାରେ, ୩୫ଟି ବ୍ରିଜ୍, ୪୫ଟି ଝୁଲା ସେତୁ, 19ଟି ଜଳବିଦ୍ୟୁତ ପ୍ରକଳ୍ପ ଏବଂ ୪୦ କିଲୋମିଟରରୁ ଅଧିକ ରାସ୍ତାକୁ ଗିଳି ଦେଇଛି ପାହାଡ଼ି ବନ୍ୟା। ଛଡ଼ାଇନେଇଛି ଶହଶହ ଜୀବନ, ଯୋଗାଯୋଗ ବି ପୂରା ବିଚ୍ଛିନ୍ନ। ମୃତ୍ୟୁ ସଂଖ୍ୟା ପ୍ରତି ମିନିଟରେ ବଢୁଛି । ୬୦୦ ଜଣଙ୍କ ଖୋଜଖବର ନାହିଁ। ଯେଉଁଥିରେ ୪୫୦ରୁ ଅଧିକ ଜଣ ବିଦେଶୀ ନାଗରିକ। ଉଦ୍ଧାର ଅଭିଯାନ ଜୋରଜୋରରେ ଜାରି ରହିଛି। ରେସ୍କ୍ୟୁରେ ନେପାଳ ସେନା ସହିତ, ଆର୍ମଡ୍ ପୋଲିସ ଫୋର୍ଟ, ପୋଲିସ ଓ ଅନ୍ୟ ଟିମର ପ୍ରାୟ ୫ ହଜାର ଜଣ ସାମିଲ ହୋଇଛନ୍ତି। ପାଖାପାଖି ୧୫ଟି ହେଲିକପ୍ଟର ଓ ମେଡିକାଲ୍ ଟିମ୍ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଅନେକ ପୋଲ ଧସିଯାଇଥିବାରୁ ଗୁରୁତରଙ୍କୁ କାଠମାଣ୍ଡୁକୁ ଏୟାରଲିଫ୍ଟ କରାଯାଉଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ବିପର୍ଯ୍ୟସ୍ତ ଅଞ୍ଚଳ ଯାଇ ସମୀକ୍ଷା କରିଛନ୍ତି।
ଗୋଟିଏ ମୁହୂର୍ତ୍ତରେ କେମିତି ସବୁକିଛି ବଦଳିଯାଇପାରେ ତାହାର କାହାଣୀ। ଯେଉଁଠି ଦିନେ ଜୀବନ ଚାଲୁଥିଲା, ଆଜି ସେଠି କେବଳ କାଦୁଅ । ପୋତି ହୋଇଯାଇଛି କେତେ କେତେ ଲୋକଙ୍କ ଗତକାଲି। ଯେଉଁଠି ଘର ଥିଲା, ସେଠି ଏବେ ପାଣିକାଦୁଅର ରାଜୁତି। ଯେଉଁଠି ରାସ୍ତା ଥିଲା, ଆଜି ସେଠି ମରଣର ସୁଅ । ପ୍ରଳୟ ସବୁକିଛିକୁ ଏମିତି ଏକାଠି କରିଦେଇଛି, ଯେ ଜୀବନର ଚିହ୍ନ ଆଉ ମୃତ୍ୟୁର ଚିହ୍ନ ଭିତରେ ଫରକ ବୁଝିବା ବି କଷ୍ଟକର ହୋଇପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।