Two Odias Missing After Nepal Floods: କେଉଁଠି ଅଛନ୍ତି ଖୋର୍ଦ୍ଧାର ଦମ୍ପତି ? ନେପାଳ ପ୍ରଳୟ ପରେ ଚିନ୍ତାରେ ପରିବାର
ଖଣ୍ଡ ପ୍ରଳୟ ଭିତରେ ଧ୍ବଂସ ବିଧ୍ବସ୍ତ ନେପାଳ। ଉଜୁଡ଼ିଯାଇଛି ଭିତ୍ତିଭୂମି...ଲାପତ୍ତା ହୋଇଯାଇଛନ୍ତି ଶହ ଶହ ମଣିଷ....କୁଢ଼ କୁଢ଼ ଶବ ଭାସୁଛି ବିପର୍ଯ୍ୟୟରେ ଖିନଭିନ୍ ଭୂତ କୋଶୀ ନଦୀ ଶଯ୍ୟାରେ।...କିଏ କେଉଁଠି ଅଛନ୍ତି...କେମିତି ଅଛନ୍ତି...ଭାସୁଥିବା ଶବ କାହାର...ନା ଚିହ୍ନି ହେଉଛି ନା କିଛି ତଥ୍ୟ ମିଳୁଛି। ପ୍ରକୃତିର ତାଣ୍ଡବ ପରଠୁ ଆଜି ବି ନିଖୋଜ ୨ ଓଡ଼ିଆ। ଏ ହେଉଛନ୍ତି ଖୋର୍ଦ୍ଧାର ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ରୁହନ୍ତି ଅଷ୍ଟ୍ରେଲିଆରେ। କିନ୍ତୁ ଗତ ୨୨ ତାରିଖରେ ଯାଇଥିଲେ ନେପାଳ। ସେଦିନ ହିଁ ପରିବାର ଲୋକଙ୍କ ସହ ଯାହା ଶେଷଥର ପାଇଁ କଥା ହୋଇଥିଲେ। ଏବେ ତାଙ୍କ ନା ମୋବାଇଲକୁ କଲ୍ ଯାଉଛି ନା ତାଙ୍କ ସହ ଯୋଗାଯୋଗ ହୋଇପାରୁଛି। ଫଳରେ ଚିନ୍ତାରେ ଖୋର୍ଦ୍ଧାରେ ରହୁଥିବା ସଂପର୍କୀୟ।
ଏହି ଛାତିଥରା ପ୍ରଳୟର ଭିତରେ ଆଶ୍ବସ୍ତିର ଖବର ହେଉଛି, ନେପାଳ ଯାଇଥିବା ଅନ୍ୟ କିଛି ଓଡ଼ିଆ ସୁରକ୍ଷିତ ଅଛନ୍ତି। ବାରିପଦାର ୨୦ ବର୍ଷିୟା ଯୁବତୀ କୁଲସାମ୍ ନିଗାର ପରିବାର ସହ ଯୋଗାଯୋଗ କରିଛନ୍ତି। ସେମାନଙ୍କୁ ଠାବ କରି ଭାରତ ଫେରାଇ ଅଣାଯାଉଛି। ପୁରୀ ଜିଲ୍ଲାର ରାକେଶ କୁମାର ପଣ୍ଡା ଅନ୍ୟ ୨ ଜଣଙ୍କ ସହ ନେପାଳ ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ରକ୍ସୌଲ୍ ସୀମା ଚେକ୍ ପୋଷ୍ଟ ଦେଇ ଭାରତ ଅଣାଯାଉଛି। ସେହିପରି ଓଡ଼ିଶାର ୬ ଫୁଟବଲ୍ ଖେଳାଳି, କୋଚ୍ ହଲିମଙ୍କ ସହ ଫସିରହିଛନ୍ତି ନେପାଳର ପୋଖରା। ସେମାନେ ବି ସୁରକ୍ଷିତ ଥିବା ଜଣାପଡ଼ିଛି। ନେପାଳରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ସୂଚନା ପାଇବା ପାଇଁ କିମ୍ବା ଦେବା ପାଇଁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ତାସହ ଜାରି ହୋଇଛି ୩ଟି ଫୋନ ନମ୍ବର। ତା ହେଉଛି, ୦୧୧-୨୩୦୧୨୮୦୭, ୦୧୧-୭୪୨୮୧୩୫୦୪୪ ଏବଂ ୦୧୧-୮୫୨୭୫୮୦୨୪୫। ସେହିପରି ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ହେଉଛି, ୯୭୭ ୯୮୫୧୩୧୬୮୦୭ ଏବଂ ୯୭୭ ୯୭୦୯୧୦୭୫୦୦।
ସେପଟେ ୨୮୮ରୁ ଅଧିକ ଭାରତୀୟଙ୍କ ନିଖୋଜ ତଥ୍ୟ ସାମ୍ନାକୁ ଆସିବା ପରେ ସାରା ଦେଶରେ ହଲଚଲ୍। ପ୍ରେସମିଟ୍ କରି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି, ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୭୩ ଜଣ ନିଖୋଜ ଥିବାବେଳେ ତାମିଲନାଡୁର ଦୁଇଟି ଗ୍ରୁପର ୩୭ ଓ ୩୯ ଜଣଙ୍କର ପତ୍ତା ମିଳିନି। ସେହିପରି ପଶ୍ଚିମବଙ୍ଗର ୩୨ ଜଣଙ୍କୁ ମଧ୍ୟ ଠାବ କରାଯାଇନି।ଅନ୍ୟାନ୍ୟ ରାଜ୍ୟର ୬୧ ଜଣ ନିଖୋଜ ଥିବାବେଳେ ତାମିଲନାଡୁର ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। I SHA ଫାଉଣ୍ଡେସନର ଏକ ବଡ଼ ଗ୍ରୁପ୍ ମଧ୍ୟ ନିଖୋଜ ରହିଛନ୍ତି। ବିଶେଷ କରି ମାନସରୋବର ଯାତ୍ରାରେ ଥିବା କିଛି ଭାରତୀୟ ଚୀନ୍ ପଟେ ଫସିଥିବାବେଳେ କେତେ ଭାରତୀୟଙ୍କର ମୃତ୍ୟୁ ଘଟିଛି, ସ୍ପଷ୍ଟ ଚିତ୍ର ଆସିନଥିବା କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର।
ଭୟଙ୍କର ବନ୍ୟାରେ ଛଟପଟ ପଡ଼ୋଶୀ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ। ଆଜି ସୁଦ୍ଧା ୩୭.୫ ଟନ୍ ମାନବିକ ସହାୟତା, ଔଷଧ ଏବଂ ଖାଦ୍ୟ ପ୍ୟାକେଟ୍ ନେଇ ଦ୍ୱିତୀୟ ବିମାନ ନେପାଳ ଯାଇଛି। ତାହାରି ଭିତରେ କମ୍ବଳ, ସୋଲାର ଲ୍ୟାମ୍ପ, ଔଷଧ ସହ ଖାଦ୍ୟ ପୁଡ଼ିଆ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।