Massive Rescue Operation on Malyagiri: ମାଲ୍ୟଗିରିରେ ମହା ରେସକ୍ୟୁ ଅପରେସନ୍, ୪ ହଜାର ଫୁଟରେ ବର୍ଷା ଓ ଅନ୍ଧାର ସହ ସଂଘର୍ଷ

Jul 09, 2026 - 20:27
Massive Rescue Operation on Malyagiri: ମାଲ୍ୟଗିରିରେ ମହା ରେସକ୍ୟୁ ଅପରେସନ୍, ୪ ହଜାର ଫୁଟରେ ବର୍ଷା ଓ ଅନ୍ଧାର ସହ ସଂଘର୍ଷ

ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଲୁଚିଥିଲା ମରଣ ଜନ୍ତା! ଟ୍ରେକିଂର ମଜା ନେଉ ନେଉ ପାହାଡ଼ ଉପରେ ବାଟ ହୁଡ଼ିଲେ ୩ ଯୁବକ। ଏହାପରେ ମାଲ୍ୟଗିରି ପାହାଡ଼ରେ ଆରମ୍ଭ ହେଲା ମହାଅପରେସନ୍। ଚାରିଆଡ଼େ ଘଞ୍ଚ ଜଙ୍ଗଲ। ଉପରୁ ଛେଚୁଥିଲା ବର୍ଷା, ତଳେ ଅଣଓସାରିଆ ଖସଡ଼ା ପଥର। ଆଉ ସେଇଠି ଫସି ରହିଥିଲା ତିନି ଜୀବନ। ବୁଧବାର ଦିନ ପ୍ରାୟ ଗୋଟାଏ। ପାଲଲହଡାର ପ୍ରସିଦ୍ଧ ମାଲ୍ୟଗିରି ପାହାଡରେ ପହଁଚିଥିଲେ କେନ୍ଦୁଝର ଓ ଭୁବନେଶ୍ବରର ୧୩ଜଣ ଯୁବକ। ସମସ୍ତଙ୍କ ବୟସ ୨୦ରୁ ୨୨ ଭିତରେ। ଖୁଲୁରୀ ଶିବ ମନ୍ଦିର ବୁଲାବୁଲି ପରେ ମନ କରିଥିଲେ ପାହାଡ ଚଢିବାକୁ। ୬ ଜଣ ଭୟରେ ତଳକୁ ଫେରିଆସିଥିବା ବେଳେ ପାହାଡ଼ ଚଢିଥିଲେ ୭ ଜଣ। 

ସେହି ରୋମାଞ୍ଚ ମୁହୂର୍ତ୍ତ ସେମାନଙ୍କୁ ନେଇଯାଇଥିଲା ବିପଦ ମୁହଁକୁ। ଦୁଇ ଘଣ୍ଟା ବୁଲିବା ପରେ ଅନ୍ଧାର ହେବାରୁ ୪ ଜଣ ତଳକୁ ଓହ୍ଲାଇ ଆସିଲେ, କିନ୍ତୁ ବାଟ ହୁଡ଼ିଗଲେ ୩ ଜଣ। ଧିରେ ଧିରେ ବଢୁଥିଲା ଅନ୍ଧାର, ଛାଇ ଯାଉଥିଲା କୁହୁଡ଼ି, ଆଉ ସେଇଠି ଫସିଥିଲା ଜୀବନ। ପାହାଡ଼ର ଗୋଟିଏ ପଟେ ଗଭୀର ଖାଇ, ଅନ୍ୟପଟେ ହିଂସ୍ର ଭାଲୁଙ୍କ ଭୟ। ସେଇଠି ୩୦ ଫୁଟ୍ ପଥର ଉପରେ ଆଶ୍ରୟ ନେଇ ସକାଳର ସାହାଯ୍ୟକୁ ଅନାଇ ରହିଥିଲେ ୩ ସାଙ୍ଗ।

ବର୍ଷା, ଭୟ ଓ ଅନ୍ଧାର ଭିତରେ ଅଖିଆ-ଅପିଆ ରାତି କଟିଲା। ଭୋର୍ ହେଉ ହେଉ ଘାରିଥିଲା ମୁକୁଳିବା ଚିନ୍ତା। ପାହାଡ଼ ଉପରେ ନେଟୱର୍କ ଥିବାରୁ ୧୧୨କୁ ଲଗାଇଥିଲେ ଫୋନ୍। ଅଗ୍ନିଶମ ବିଭାଗକୁ ପଠାଇଥିଲେ ଲାଇଭ୍ ଲୋକେସନ। ଏହାପରେ ଆରମ୍ଭ ହୋଇଥିଲା ମାଲ୍ୟଗିରିରେ ମହାଅପରେସନ୍। ୪ ହଜାର ଫୁଟ୍ ଉଚ୍ଚ ପାହାଡ଼ରୁ ତିନି ଜୀବନ ଫେରାଇ ଆଣିବାକୁ ପହଞ୍ଚିଥିଲେ ଅଗ୍ନିଶମ ବାହିନୀର ୭ ଯୋଦ୍ଧା। କେବଳ ଲକ୍ଷ୍ୟ ଥିଲା, ତିନି ଜୀବନକୁ ସୁରକ୍ଷିତ ଫେରାଇ ଆଣିବା। ଲାଇଭ୍ ଲୋକେସନ୍ ଆଧାରରେ ଯୁବକଙ୍କୁ ଟ୍ରାକ୍ କରାଗଲା। ସ୍ଥାନ ଚିହ୍ନଟ ପରେ ଆରମ୍ଭ ହୋଇଲା ଅସଲ ଲଢ଼େଇ। ଉଚ୍ଚା ପଥରରେ ଦଉଡ଼ି ବାନ୍ଧି ଜଣଙ୍କ ପରେ ଜଣକୁ ତଳକୁ ଅଣାଯାଇଥିଲା। ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳ ହୋଇଥିଲା ମିଶନ ମାଲ୍ୟଗିରି। 

ମାଲ୍ୟଗିରିରେ ଜିତିଲା ଜୀବନ, ହାରିଗଲା ବିପଦ। ହେଲେ ଏହି ଘଟଣା ବର୍ଷା ଦିନେ ବିପଜ୍ଜନକ ସ୍ଥାନକୁ ଟ୍ରେକିଂରେ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଶିକ୍ଷା ଓ ପ୍ରଶାସନ ପାଇଁ ଚେତାବନୀ। ଏଠି ପ୍ରଶ୍ନ, ଯିଏ ବି ଚାହିଁଲେ ଚଢିପାରିବ କି ମାଲ୍ୟଗିରି ? କାହାକୁ ଜଣାଇବାକୁ ପଡିବ, ଦାୟିତ୍ବ ନେଉଛି କିଏ ? ଟ୍ରେକିଂରେ ଯାଉଥିବା ଲୋକଙ୍କ ପାଇଁ କଣ ରହିଛି ବ୍ୟବସ୍ଥା ? ପାହାଡରେ ଯୁବକମାନଙ୍କ କିଛି ହୋଇଥିଲେ କିଏ ଦାୟୀ ରହିଥାନ୍ତା ? 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।