Bikram Panda Gets Bail, Political Row Intensifies: ବିକ୍ରମଙ୍କୁ ଜାମିନ ପରେ ତେଜିଲା ରାଜନୀତି, ବିଜେପି ବିଜେଡି ମୁହାଁମୁହିଁ
ବିକ୍ରମ ପଣ୍ଡା, ପୂର୍ବତନ ବିଜେଡି ବିଧାୟକ ଜେଲରୁ ବାହାରିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଓ ବିକ୍ରମଙ୍କ ବୟାନକୁ ନେଇ ଘେରିଛି ବିଜେପି। ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ଭଳି ବିକ୍ରମଙ୍କୁ ଯେଭଳି ଭାବେ ସ୍ବାଗତ କରାଗଲା, ଲଜ୍ଜା ଲାଗିବା କଥା। ସେ ଦେଶ କି ରାଜ୍ୟର ସ୍ବାର୍ଥ ପାଇଁ ସେଭଳି କିଛି ବଡ଼ କାମ କରି ଜେଲ୍ ଯାଇନଥିଲେ। ବେଲ୍ ମିଳିବା ଅର୍ଥ ଦୋଷମୁକ୍ତ ନୁହେଁ। ସ୍ବର୍ଗତ ପୀତବାସ ପଣ୍ଡାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ। କେବଳ ଏତିକି ନୁହେଁ, ଔଷଧ ଏକ୍ସପାଏରୀ ହୋଇଗଲେ କାମ କରେନି ବୋଲି କଟାକ୍ଷ କରିଛନ୍ତି ବିଭୂତି। ସେପଟେ ବିକ୍ରମଙ୍କ ସପକ୍ଷରେ ବାହାରି ବିଜେଡି କହିଛି, ବିକ୍ରମ ପଣ୍ଡାଙ୍କ ବେଲ୍ ପ୍ରମାଣିତ କରିଛି ଯେ, ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଥିଲା। ସେ ଦୋଷୀ ନୁହଁନ୍ତି ବରଂ ରାଜନୈତିକ ପ୍ରତିହିଂସାର ଉଦାହରଣ।
ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୋଲିସ୍ ଦର୍ଶାଇଥିବା ବିକ୍ରମ ପଣ୍ଡାଙ୍କୁ କେମିତି ମିଳିଲା ଜାମିନ୍? କେଉଁ କାରଣରୁ ବିକ୍ରମଙ୍କୁ ବେଲ୍ ଦେଲେ ହାଇକୋର୍ଟ ? ବିକ୍ରମଙ୍କୁ ଗିରଫ ସମୟରେ ପୋଲିସ BNSS ଏବଂ ସମ୍ବିଧାନର ଆଇନଗତ ପ୍ରକ୍ରିୟା ପାଳନ କରିନଥିବା ସ୍ପଷ୍ଟ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ପୋଲିସ ତାଙ୍କ ପରିବାରକୁ ଗିରଫଦାରୀ ବିଷୟରେ ଜଣାଇନଥିଲା। ପରିବାର ଲୋକଙ୍କ ଦସ୍ତଖତ ସମ୍ବଳିତ କାଗଜପତ୍ର ମଧ୍ୟ ଦାଖଲ କରିନଥିଲା। ଗିରଫଦାରୀ ବେଳେ ବ୍ୟକ୍ତିର ସ୍ବାଧୀନତା ପ୍ରତି ଧ୍ୟାନ ଦେବାକୁ ହାଇକୋର୍ଟ ପୋଲିସକୁ ନୋଟିସ କରିଛନ୍ତି। ପ୍ରଥମେ ଗିରଫଦାରୀକୁ ନେଇ ରାଜନୈତିକ ମନ୍ତବ୍ୟ ଦେଇ ବ୍ରହ୍ମପୁର ଏସପି ହାଇକୋର୍ଟରେ କ୍ଷମା ପ୍ରାର୍ଥନା କରିଥିବା ବେଳେ ଏବେ ପୁଣିଥରେ ଗିରଫଦାରୀ ସମୟରେ ଭୁଲକୁ ନେଇ ପୋଲିସର କାର୍ଯ୍ୟ ଉପରେ ଉଠିଛି ପ୍ରଶ୍ନ। ତେବେ ଘଟଣାରେ ବ୍ରହ୍ମପୁର ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
୬ ଅକ୍ଟୋବର ୨୦୨୫। ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ପୀତବାସ ନିଜ ସ୍କୁଟରରେ ଘରକୁ ଫେରୁଥିବା ବେଳେ, ବାଇକରେ ଦୁଇଜଣ ସୁପାରୀ କିଲର ଆସି ତାଙ୍କୁ ଅତି ନିକଟରୁ ଗୁଳି କରି ଫେରାର ହୋଇଯାଇଥିଲେ। ପୀତବାସ ପଣ୍ଡା ଓଡ଼ିଶା ଷ୍ଟେଟ୍ ବାର୍ କାଉନ୍ସିଲ୍ ର ସଦସ୍ୟ ଥିଲେ। ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଏବଂ ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କ ସମେତ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।