Mayday Alert After Pilot Incapacitated: ପାଇଲଟ୍ ଅସୁସ୍ଥ ପରେ ମେଡେ ଆଲର୍ଟ, ସୁରକ୍ଷିତ ଭାବେ ମସ୍କାଟରେ ଅବତରଣ

Sep 03, 2026 - 14:30
Mayday Alert After Pilot Incapacitated: ପାଇଲଟ୍ ଅସୁସ୍ଥ ପରେ ମେଡେ ଆଲର୍ଟ, ସୁରକ୍ଷିତ ଭାବେ ମସ୍କାଟରେ ଅବତରଣ

ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଜଣେ ପାଇଲଟ୍ ଅସୁସ୍ଥ ହୋଇ କାର୍ଯ୍ୟ କରିବାରେ ଅସମର୍ଥ ହେବା ପରେ ଗୁରୁତର ଓ ତତ୍କାଳ ବିପଦର ସଙ୍କେତ ଦେଉଥିବା ‘ମେଡେ’ (Mayday) କଲ୍ କରାଯାଇଥିଲା। ଏହାପରେ ବିମାନଟିକୁ ଓମାନର ମସ୍କାଟକୁ ଡାଇଭର୍ଟ କରାଯାଇଥିଲା। 

ଅଧିକାରୀମାନେ କହିଛନ୍ତି ଯେ, ପାଇଲଟ୍‌ଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଆବଶ୍ୟକ ଥିଲା। ଇଣ୍ଡିଗୋର 6E 1302 ବିମାନ ମସ୍କାଟରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଏକ ମେଡିକାଲ୍ ଟିମ୍ ପ୍ରଭାବିତ କ୍ରୁ ସଦସ୍ୟଙ୍କ ଚିକିତ୍ସା କରିଥିଲା।

ଜଣେ ଅଧିକାରୀ କହିଛନ୍ତି, “ବିମାନ ଉଡ଼ାଣ ସମୟରେ ପାଇଲଟ୍ କାର୍ଯ୍ୟ କରିବାରେ ଅସମର୍ଥ ହୋଇଥିଲେ ଏବଂ ‘ମେଡେ’ ଜରୁରୀକାଳୀନ ଘୋଷଣା କରାଯାଇଥିଲା।” ତେବେ Airbus A320neo ବିମାନର ଫାଷ୍ଟ ଅଫିସର (ସହ-ପାଇଲଟ୍) ନା ପାଇଲଟ୍-ଇନ୍-କମାଣ୍ଡଙ୍କୁ ଚିକିତ୍ସା ଆବଶ୍ୟକ ହୋଇଥିଲା, ତାହା ତୁରନ୍ତ ସ୍ପଷ୍ଟ ହୋଇନଥିଲା।

ଏକ ବିବୃତିରେ ଇଣ୍ଡିଗୋ କହିଛି ଯେ, ଅସୁସ୍ଥ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି। ମସ୍କାଟରୁ ବେଙ୍ଗାଲୁରୁ ଯାତ୍ରା ପାଇଁ ଏକ ବିକଳ୍ପ ବିମାନ ଏବଂ ନୂଆ କ୍ରୁ ବ୍ୟବସ୍ଥା କରାଯାଇଛି। ମସ୍କାଟରେ ଅଟକିଥିବା ଯାତ୍ରୀମାନଙ୍କୁ ଖାଦ୍ୟପାନୀୟ ଏବଂ ନିୟମିତ ଅପଡେଟ୍ ଦିଆଯାଉଥିବା ଇଣ୍ଡିଗୋ କହିଛି।

ଇଣ୍ଡିଗୋ କହିଛି, “ଆମ ଗ୍ରାହକମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ଏହାକୁ ସର୍ବନିମ୍ନ କରିବା ପାଇଁ ସମସ୍ତ ପ୍ରୟାସ କରୁଛୁ।” କମ୍ପାନୀ ଆହୁରି କହିଛି ଯେ, ଯାତ୍ରୀ, କ୍ରୁ ଏବଂ ବିମାନର ସୁରକ୍ଷା ତାହାର ସର୍ବୋଚ୍ଚ ପ୍ରାଥମିକତା ରହିଛି।

ଏହି ଘଟଣାର ଦୁଇ ଦିନ ପୂର୍ବରୁ ଗୋଆରୁ ଦିଲ୍ଲୀ ଯାଉଥିବା ଆଉ ଏକ ଇଣ୍ଡିଗୋ ବିମାନ ଉଡ଼ାଣର କିଛି ଘଣ୍ଟା ପରେ ଜରୁରୀକାଳୀନ ଅବତରଣ କରିଥିଲା। ଘଟଣା ସମ୍ପର୍କରେ ଅବଗତ ଜଣେ ବ୍ୟକ୍ତି କହିଥିଲେ ଯେ, ସେହି ଘଟଣାର ସମସ୍ୟା ବିମାନର ଗୋଟିଏ ଇଞ୍ଜିନ୍ ସହ ଜଡ଼ିତ ଥିଲା। ତେବେ ଇଣ୍ଡିଗୋ ଏହାକୁ ନିଶ୍ଚିତ କରିନାହିଁ। ଗତ ଏକ ମାସ ମଧ୍ୟରେ ଇଞ୍ଜିନ୍ ସମସ୍ୟାର ସମ୍ମୁଖୀନ ହୋଇଥିବା ଏହା ଇଣ୍ଡିଗୋର ଦ୍ୱିତୀୟ ବିମାନ ବୋଲି ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।