03 SEPTEMBER 2026

Welcome!

Unlock your personalized experience.
Sign Up

Mayurbhanj girl: ରକ୍ତହୀନତା କବଳରେ ମୟୂରଭଞ୍ଜର କିଶୋରୀ! ଭବିଷ୍ୟତରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତା

Aug 26, 2026 - 06:48
Mayurbhanj girl: ରକ୍ତହୀନତା କବଳରେ ମୟୂରଭଞ୍ଜର କିଶୋରୀ! ଭବିଷ୍ୟତରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତା

ବାଲେଶ୍ବର: ମୟୂରଭଞ୍ଜରେ କିଶୋରୀ ଓ ବାଳିକାଙ୍କ ମଧ୍ୟରେ ରକ୍ତହୀନତା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ପୋଷଣଯୁକ୍ତ ଖାଦ୍ୟର ଅଭାବ ଏବଂ ଦୁର୍ଗମ ଅଞ୍ଚଳରେ ସୀମିତ ସ୍ୱାସ୍ଥ୍ୟସେବା ଏମିତି ସ୍ଥିତି ପଛର କାରଣ ସାଜିଛି। ବିଭିନ୍ନ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନେ କହିଛନ୍ତି, ଭବିଷ୍ୟତରେ ରକ୍ତହୀନତାର ପ୍ରଭାବ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ। ୨୦୨୫ରେ ଓଡ଼ିଶାରେ ‘ରକ୍ତହୀନତା ମୁକ୍ତ ଭାରତ’ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ୍‌ଭିତ୍ତିକ ସ୍କ୍ରିନିଂ ଅଭିଯାନ ଚାଲିଥିଲା। ଗୋଟିଏ ଶିବିରରେ ୧୧୫ ଜଣ ଝିଅଙ୍କ ହେମୋଗ୍ଲୋବିନ୍‌ ପରୀକ୍ଷା କରାଯାଇଥିବା ବେଳେ ୩୬ ଜଣ ରକ୍ତହୀନତାର ଶିକାର ବୋଲି ଜଣାପଡ଼ିଥିଲା। ଯାହା ରାଜ୍ୟରେ କିଶୋରୀ ଓ ବାଳିକାଙ୍କ ମଧ୍ୟରେ ରକ୍ତହୀନତାକୁ ନେଇ ଥିବା ଗମ୍ଭୀରତାକୁ ପ୍ରମାଣିତ କରୁଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ମୟୀ ଉଦ୍‌ଗାତା, ନମିତାରାଣୀ ବେହେରା, ବିଆର୍ ଆଭା ଆୟୁଷି ଓ ମୋନାଲିସା ମୁଣ୍ଡା ମୟୂରଭଞ୍ଜରେ ୧୦ରୁ ୧୩ ବର୍ଷ ବୟସର ୬୦ ଜଣ ସ୍କୁଲ୍ ଛାତ୍ରୀଙ୍କୁ ନେଇ ଏକ ଗବେଷଣା କରିଥିଲେ। ଜଣାପଡ଼ିଥିଲା, ୫୬.୬୬ ପ୍ରତିଶତ ଛାତ୍ରୀ ସାଧାରଣ ଓଜନଠାରୁ କମ୍ ଓଜନର ରହିଥିଲେ। ସେମାନଙ୍କ ଦୈନିକ ଖାଦ୍ୟରେ ଲୌହର ପରିମାଣ ଆବଶ୍ୟକତାଠାରୁ ହାରାହାରି ୧.୯୭ ମିଲିଗ୍ରାମ୍‌ କମ୍ ଥିବାବେଳେ କ୍ୟାଲ୍‌ସିୟମ୍‌ ପ୍ରାୟ ୨୨୦.୭୮ ମିଲିଗ୍ରାମ୍‌ କମ୍‌ ରହିଥିଲା।

Dabur: ରାକ୍ଷୀ ପୂର୍ଣ୍ଣିମାରେ ଡାବର୍‌ର ଅଭିଯାନ

ସେହିପରି, ନ୍ୟାସ୍‌ନାଲ୍‌ ଲାଇବ୍ରେରି ଅଫ୍‌ ମେଡିସିନ୍‌ ଜର୍ଣ୍ଣାଲ୍‌ରେ ଅରୁନ୍ଧତି ଦାସ, ଜ୍ୟୋତି ଘୋଷାଲ, ହେମନ୍ତ କୁମାର ଖୁଣ୍ଟିଆ, ସୁଜାତା ଦୀକ୍ଷିତ ପ୍ରମୁଖଙ୍କ ଦ୍ବାରା ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁସାରେ; ବିଶେଷଭାବେ ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ରକ୍ତହୀନତା ଓ କୁପୋଷଣର ସ୍ଥିତି ଅଧିକ ଗମ୍ଭୀର ରହିଛି। ୫ରୁ ୧୪ ବର୍ଷ ବୟସର ଝିଅମାନଙ୍କ ମଧ୍ୟରୁ ପ୍ରାୟ ୭୭.୩ ପ୍ରତିଶତ ରକ୍ତହୀନତାର ଶିକାର ହେଉଥିବା ଥିବାବେଳେ ସମାନ ବୟସର ପୁଅମାନଙ୍କ କ୍ଷେତ୍ରରେ ଏହା ୬୬.୯ ପ୍ରତିଶତ ରହିଛି।  ଗବେଷକଙ୍କ ମତରେ, ପୋଷଣ ଅଭାବ ରକ୍ତହୀନତାର ସବୁଠାରୁ ବଡ଼ କାରଣ। ଲୌହ, କ୍ୟାଲ୍‌ସିୟମ ଓ ଅନ୍ୟ ପୋଷକତତ୍ତ୍ୱର ଅଭାବ ଯୋଗୁ ଶରୀରରେ ହେମୋଗ୍ଲୋବିନ୍‌ କମିଯାଏ। ଯାହା ମୟୂରଭଞ୍ଜର କିଶୋରୀ ଓ ବାଳିକାଙ୍କ ମଧ୍ୟରେ ଦେଖାଯାଉଛି। ତେବେ ଭବିଷ୍ୟତରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ହେ‌ଲେ କିଶୋରୀ ଓ ବାଳିକାଙ୍କ ପାଇଁ ଲୌହ, କ୍ୟାଲ୍‌ସିୟମ୍‌ ଓ ଅନ୍ୟ ପୋଷକତତ୍ତ୍ୱ ଥିବା ଖାଦ୍ୟ ସୁନିଶ୍ଚିତ କରିବାକୁ ପଡ଼ିବ। ଏହା ସହିତ ଦୁର୍ଗମ ଅଞ୍ଚଳରେ କିପରି ସ୍ୱାସ୍ଥ୍ୟସେବା ପହଞ୍ଚିପାରିବ ଏବଂ କିଶୋରୀ ଓ ବାଳିକାଙ୍କୁ କିପରି ନିୟମିତ ଆଇରନ୍‌-ଫୋଲିକ୍ ଏସିଡ୍ (ଆଇଏଫ୍‌ଏ) ଟାବ୍‌ଲେଟ୍‌ ଯୋଗାଣ ହୋଇପାରିବ, ସେନେଇ ଉଦ୍ୟମ ହେବା ଆଶ୍ୟକ। ଏହା ସହିତ ସ୍କୁଲ୍‌ଭିତ୍ତିକ ପୋଷଣ ସଚେତନତା ଏବଂ ଛାତ୍ରୀମାନଙ୍କର ନିୟମିତ ହେମୋଗ୍ଲୋବିନ୍‌ ପରୀକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ।

Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।