Mayurbhanj: ମୟୂରଭଞ୍ଜରେ କାୟା ମେଲାଉଛି ଯକ୍ଷ୍ମା: ବାସନ୍ଦ ଭୟରେ ରୋଗ ଲୁଚାଉଛନ୍ତି
ବାରିପଦା (ବଟକୃଷ୍ଣ ବିହାରୀ): ମୟୂରଭଞ୍ଜ ଜିଲ୍ଲାରେ କାୟାବିସ୍ତାର କରିଚାଲିଛି ଯକ୍ଷ୍ମା। ସାମାଜିକ ବାସନ୍ଦ ଭୟରେ କିଛି ଲୋକ ରୋଗ ଲୁଚାଉଥିବା ବେଳେ ଆଉ କେତେକ ନିୟମିତ ଔଷଧ ସେବନ କରୁନାହାନ୍ତି। ଯାହାଫଳରେ ଏହି ରୋଗ ନିୟନ୍ତ୍ରଣ ହୋଇପାରୁନି। ସଚେତନତା ଅଭାବ ହିଁ ଏହାର ମୁଖ୍ୟକାରଣ ବୋଲି କୁହାଯାଉଛି। ଅନ୍ୟପଟେ ଠିକ୍ ସମୟରେ ଔଷଧ ଉପଲବ୍ଧ ହେଉ ନ ଥିବାରୁ ସଂକ୍ରମିତଙ୍କର ମୃତ୍ୟୁ ଘଟୁଛି। ଜିଲ୍ଲାରେ ଗତ ୫ ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ, ଯକ୍ଷ୍ମାରୋଗର ଉଦ୍ବେଗଜନକ ଚିତ୍ର ସାମନାକୁ ଆସିଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୋର୍ଟାଲ ତଥ୍ୟ ମୁତାବକ, ଜିଲ୍ଲାରେ ୫ ବର୍ଷରେ ୧୯,୯୫୪ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବାବେଳେ ପ୍ରାଣ ହରାଇଲେଣି ୧୫୮୬ ଜଣ। ୨୦୧୯ରେ ୧ ହଜାର ୮୨୩ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧ ହଜାଇ ୪୨୧ ଜଣ ଆରୋଗ୍ୟ ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରୋଗୀସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ୨୦୨୦ରେ ୨ ହଜାର ୯୨୩ ଜଣ ଚିହ୍ନଟ ହୋଇଥିବାବେଳେ ୨ ହଜାର ୧୧ ଜଣ ସୁସ୍ଥ ହୋଇଥିଲେ। ୨୦୨୧ରେ ୨ ହଜାର ୯୮୨ ଜଣଙ୍କ ମଧ୍ୟରୁ ୨ ହଜାର ୩ ଜଣ, ୨୦୨୨ରେ ୩ ହଜାର ୧୨୧ ଜଣଙ୍କ ମଧ୍ୟରୁ ୨ ହଜାଇ ୧୨୨ ଜଣ ଓ ୨୦୨୩ରେ ୩ ହଜାର ୩୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଚିକିତ୍ସାପରେ ୨ ହଜାର ୧୬୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍ ପରିଚୟ ଉନ୍ମୋଚନ
ବାସନ୍ଦ ଭୟରେ ରୋଗ ଲୁଚାଉଛନ୍ତି
ନିୟମିତ ଔଷଧ ସେବନ କରୁନାହାନ୍ତି
୫ ବର୍ଷରେ ଚିହ୍ନଟ ୧୯,୯୫୪, ପ୍ରାଣ ହରାଇଲେଣି ୧୫୮୬
ସୂଚନା ଅନୁସାରେ, ଏବେ ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ବାଧିକ ୫୮୬ ଜଣ, ରାଇରଙ୍ଗପୁରରେ ୨୨୪, କରଞ୍ଜିଆରେ ୨୦୧, ଉଦଳାରେ ୧୯୨, ବାଙ୍ଗିରିପୋଷିରେ ୧୭୪, ଯଶିପୁରରେ ୧୬୫, କୁଳିଅଣାରେ ୧୧୨, ବଡ଼ସାହିରେ ୧୦୬, ରାମଗୋବିନ୍ଦପୁରରେ ୧୦୪, ସାରସକଣାରେ ୧୦୧, ବିଶୋଇରେ ୯୮, ବେତନଟୀରେ ୯୬, ଖୁଣ୍ଟାରେ ୮୭, ଗୋପବନ୍ଧୁନଗରରେ ୮୪, ଠାକୁରମୁଣ୍ଡାରେ ୮୨, ଶୁକୃଳିରେ ୭୮, ଜାମଦାରେ ୭୨, ବାଦାମପାହାଡ଼ରେ ୬୯ ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ୫ ବର୍ଷ ମଧ୍ୟରେ ୧୯ ହଜାର ୯୫୪ ଜଣ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧୬ ହଜାର ୪୩୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଔଷଧ ସେବନରେ ଅବହେଳା ତଥା ଅନ୍ୟାନ୍ୟ କାରଣରୁ ୧ ହଜାର ୫୮୬ ଜଣ ଯକ୍ଷ୍ମା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ
ଯକ୍ଷ୍ମାରୋଗୀଙ୍କୁ ଔଷଧ ବିତରଣ ନିମନ୍ତେ ଜିଲ୍ଲାରେ ୪୨ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ନମୁନା ପରୀକ୍ଷାକୁ ତ୍ବରାନ୍ବିତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ପ୍ରାଥମିକ ଚିକିତ୍ସା ଓ ନିୟମିତ ଔଷଧ ସେବନ ଦ୍ବାରା ଏହିରୋଗରୁ ମୁକ୍ତି ମିଳିଥାଏ। ତେବେ ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ସଚେତନତା ଅଭାବରୁ ଅନେକ ରୋଗୀ ଡାକ୍ତରଖାନା ଯିବା ପରିବର୍ତ୍ତେ ଚେରମୂଳି ଉପରେ ଅଧିକ ଭରସା କରୁଛନ୍ତି। ଆଉ କେତେକ ସାମାଜିକ ବାସନ୍ଦ ଭୟରେ ରୋଗକୁ ଲୁଚାଇ ଡାକ୍ତରଖାନା ଆସୁନାହାନ୍ତି। ଅନ୍ୟପଟେ ଔଷଧ ବି ନିୟମିତ ଆସୁନଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯକ୍ଷ୍ମାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।