Meloni Plans Burqa, Niqab Ban in Italian Schools: ମେଲୋନିଙ୍କ ବଡ଼ ପ୍ରସ୍ତାବ; ବ୍ୟାନ ହେବ ବୁର୍ଖା ଓ ନିକାବ୍, ବିଦେଶୀ ଶିଖିବେ ଜାତୀୟ ଭାଷା
ୟୁରୋପୀୟ ଦେଶ ଇଟାଲିରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଦେଶରେ ସାଂସ୍କୃତିକ ପରିଚୟ, ଶୃଙ୍ଖଳା ଏବଂ ଏକତାକୁ ନେଇ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ବଡ଼ ନିଷ୍ପତ୍ତି ନେଛନ୍ତି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ 'ବୁର୍ଖା' ଏବଂ 'ନିକାବ୍' ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ ସେ ଏକ ପ୍ରସ୍ତାବ ଆଣିଛନ୍ତି। ଆଗାମୀ ଦିନରେ ଏହି ପ୍ରସ୍ତାବକୁ ସଂସଦରେ ଆଗତ କରାଯାଇ ଆଇନରେ ପରିଣତ କରାଯିବ ବୋଲି ସରକାର ସ୍ଥିର କରିଛନ୍ତି।
ରୋମଠାରେ ଅନୁଷ୍ଠିତ ଶାସକ ଦଳ 'ବ୍ରଦର୍ସ ଅଫ୍ ଇଟାଲି'ର ଯୁବଗୋଷ୍ଠୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମେଲୋନି ଏହି ଗୁରୁତ୍ୱପୂର୍ଣ୍ଣ ଆଣିଛନ୍ତି। ଶିକ୍ଷାନୁଷ୍ଠାନ ଭିତରେ କେହି ମଧ୍ୟ ନିଜ ମୁହଁ ଲୁଚାଇ ପ୍ରବେଶ କରିପାରିବେ ନାହିଁ। ପରମ୍ପରା ନାଁରେ ଛାତ୍ରୀମାନଙ୍କୁ ମୁହଁ ଘୋଡାଇବାକୁ ବାଧ୍ୟ କରାଯିବା ନୀତିକୁ ଏଥିରେ ବନ୍ଦ କରାଯିବ। ଏଥିସହ ଆଉ ଏକ ନିୟମ ମଧ୍ୟ ଆଣିବାକୁ ଯାଉଛନ୍ତି ମେଲୋନି ସରକାର। ଶ୍ରେଣୀଗୃହରେ ଏପରି ପିଲାଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯିବ ଯେଉଁମାନେ ଇଟାଲୀୟ ଭାଷା ଜାଣିନାହାନ୍ତି, ଯାହାଦ୍ୱାରା ପାଠପଢ଼ା ଏବଂ ପିଲାଙ୍କ ମଧ୍ୟରେ ଏକତା ରହିବା ନାହିଁ।
ଯେଉଁ ବିଦେଶୀ ପରିବାରଗୁଡ଼ିକ ଇଟାଲିର ସାମାଜିକ ବ୍ୟବସ୍ଥାରେ ଖାପ ଖୁଆଇ ଚଳିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପିତାମାତାଙ୍କ ପାଇଁ ସ୍ଥାନୀୟ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରାଯିବ।
ବିଦେଶୀ ପ୍ରବାସୀଙ୍କ ଆଗମନ ଏବଂ ସେମାନଙ୍କ ସାଂସ୍କୃତିକ ଆଚରଣକୁ ନେଇ କିଛି ବର୍ଷ ହେବ ୟୁରୋପରେ ବଡ଼ଧରଣର ବିତର୍କ ଜାରି ରହିଛି। ଜର୍ଜିଆ ମେଲୋନି କ୍ଷମତାକୁ ଆସିବା ପରଠାରୁ ଦେଶର ଆଭ୍ୟନ୍ତରୀଣ ଶୃଙ୍ଖଳା ଏବଂ ଜାତୀୟ ପରିଚୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସମ୍ମିଳନୀରେ ଉଦ୍ବୋଧନ ଦେଇ ମେଲୋନି ସ୍ପଷ୍ଟ ଭାବେ କହିଛନ୍ତି, "ଯେଉଁମାନେ ଇଟାଲିକୁ ଆସି ନିଜର ଭବିଷ୍ୟତ ଗଢ଼ିବାକୁ ଚାହାଁନ୍ତି, ସେମାନଙ୍କୁ ଆମର ଭାଷା ଶିଖିବାକୁ ପଡ଼ିବ, ଆମର ସଂସ୍କୃତିକୁ ସମ୍ମାନ ଦେବାକୁ ପଡ଼ିବ ଏବଂ ଆମର ନିୟମକାନୁନକୁ ମାନିବାକୁ ପଡ଼ିବ।"
ଆଗାମୀ ଦିନରେ ଏହି ପ୍ରସ୍ତାବ କ୍ୟାବିନେଟ୍ ବୈଠକରେ ଉପସ୍ଥାପିତ ହେବା ପରେ ସଂସଦରେ ଏହା ଉପରେ ବିଧିବଦ୍ଧ ଆଲୋଚନା ହେବ ଏବଂ ଆଇନ ପାସ୍ କରାଯିବ ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।