Millions of Cases Await Justice: ୧୮ ଲକ୍ଷରୁ ଅଧିକ ମାମଲା, ଜଜ୍ ଅଭାବରୁ କୋର୍ଟ ଦୌଡ଼ି ଥକିଲେଣି ମାମଲାକାରୀ
ତାରିଖ ପରେ ତାରିଖ ମିଳୁଛି, ହେଲେ ମାମଲାର ସରୁନି ଶୁଣାଣି। କୋର୍ଟ-କଚେରୀ ଦୌଡ଼ି ଦୌଡ଼ି ଘୋରି ଗଲାଣି ଚପଲ। ରାୟଗଡା ଉମରସିଙ୍ଗୁଡାର ବିଶ୍ବମ୍ବର ନାୟକ। ଦୁଇ ଭାଇ ଜେଲରେ, ଆଉ ୨-୩ ଜଣ ସମ୍ପର୍କୀୟଙ୍କ ମାମଲା ଚାଲିଛି। ୩-୪ ବର୍ଷ ହେଲା ସେମିତି ଦୌଡୁଛନ୍ତି କୋର୍ଟକୁ। ଗାଁରୁ ଜିଲ୍ଲା କୋର୍ଟ ୮୦ କିଲୋମିଟର ଦୂର। ବାରମ୍ବାର କଚେରୀ ଧାଉଁଛନ୍ତି, ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ତଥାପି ବିଚାର ନହୋଇ ପଡ଼ି ରହିଛି ମାମଲା, ମିଳିପାରୁନି ନ୍ୟାୟ।
ପୁଅ ମର୍ଡର କେସରେ ଜେଲରେ, ବାପା ଦୌଡୁଛନ୍ତି କୋର୍ଟ। ମାମଲାର ସମାଧାନ ପାଇଁ ଲାଗୁଛି ସମୟ l ବରଗଡର ରସିକ ସୁନାଙ୍କ ସମସ୍ୟା ବି ସମାନ। ଶୁଣାଣି ତାରିଖ ଆସିଲେ କାମପତ୍ର ଛାଡି ଧାଇଁ ଆସୁଛନ୍ତି କୋର୍ଟ। ହେଲେ ଶହ ଶହ ମାମଲାର ଶୁଣାଣି ଭିତରେ ଗଡି ଗଡି ଯାଉଛି ତାରିଖ। କେବଳ ରସିକଙ୍କ ମାମଲା ନୁହେଁ, ଉପଖଣ୍ଡସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ବିଚାରଧୀନ ରହିଛି ପ୍ରାୟ ୧୫ ହଜାର ମାମଲା। SDJM, JMFC, ADJ କୋର୍ଟରେ ଅଧିକ କେସ ପେଣ୍ଡିଂ ରହୁଥିବାରୁ ଆଉ ଗୋଟିଏ କୋର୍ଟର ଆବଶ୍ୟକତା ଥିବା କହିଛନ୍ତି ଆଇନଜୀବୀ।
ମାମଲାର ଶୁଣାଣି ପାଇଁ ତାରିଖ ପଡିଲେ କୋରାପୁଟ ଜିଲ୍ଲା କୋର୍ଟକୁ ୪୦ କିଲୋମିଟର ଦୂର ମହାଦେବପୁରରୁ ଧାଇଁ ଆସୁଛନ୍ତି ତ୍ରିଲୋଚନା ଖରା। ସମ୍ପର୍କୀୟଙ୍କ ନାଁରେ ଥିବା ମାମଲା ୫ ବର୍ଷ ହେଲା ଗଡୁଛି। ବାପା ନାହାଁନ୍ତି, ଅଭାବ ଅନଟନରେ ଚଳୁଛି ପରିବାର। ଥରେ କୋର୍ଟ ଆସିଲେ ପକେଟରୁ ଖାଲି ହୋଇଯାଉଛି ପାଂଚ ଶହ ଟଙ୍କା। ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍ ତଥ୍ୟ କହୁଛି, ଜିଲ୍ଲାରେ ବିଚାରାଧୀନ ରହିଛି ୩୬ ହଜାର ୬୦୭ଟି ମାମଲା। ସେଥିରୁ ୭୫%ରୁ ଅଧିକ କେବଳ ଫୌଜଦାରୀ। ୧୦ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି ସାଢେ ୩ହଜାରରୁ ଅଧିକ କେସ୍। ନ୍ୟାୟ ପାଇଁ ଚାହିଁ ବସିଛନ୍ତି ହଜାର ହଜାର ବରିଷ୍ଠ ନାଗରିକ ଓ ମହିଳା। ପୁରୁଣା ମାମଲାର ବୋଝ କମାଇବାକୁ ଲୋକ ଅଦାଲତ ଓ ସ୍ୱତନ୍ତ୍ର ପଦକ୍ଷେପ ଜରିଆରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦାବି ହେଉଛି।
ତଥ୍ୟ ଅନୁସାରେ, ରାଜ୍ୟର ନିମ୍ନ ଅଦାଲତଗୁଡ଼ିକରେ ୧୮ ଲକ୍ଷ ୭୪ ହଜାର ମୋକଦ୍ଦମା ପଡ଼ିରହିଛି। ସେଥିମଧ୍ୟରୁ ୨ ଲକ୍ଷ ୬୯ ହଜାର ୮୫୧ଟି ସିଭିଲ ବା ଦେୱାନୀ ମାମଲା। ୧୬ ଲକ୍ଷ ୪ ହଜାର ୯୨୩ଟି କ୍ରିମିନାଲ ବା ଫୌଜଦାରୀ ମାମଲା ରହିଛି। ମହିଳାଙ୍କ ପକ୍ଷରୁ ୭୯ ହଜାର ୭୫୬ଟି ମାମଲା ଦାୟର ହୋଇଥିବା ବେଳେ ବରିଷ୍ଠ ନାଗରିକଙ୍କଦ୍ୱାରା ଦାୟର ହୋଇଛି ୧ ଲକ୍ଷ ୧୨ ହଜାର ୩୭୦ଟି ମାମଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାଜ୍ୟସଭାରେ ରଖିଥିବା ତଥ୍ୟ ଅନୁସାରେ, ଜିଲ୍ଲା ସ୍ତରୀୟ ଏବଂ ଅଧିନସ୍ଥ ଅଦାଲତରେ ୩୨୯ଟି ବିଚାରପତି ପଦବୀ ଖାଲି ପଡିଛି। ଜିଲ୍ଲା କୋର୍ଟଗୁଡିକରେ ୧୧ଶହ ୮୩ ଅନୁମୋଦିତ ପଦବୀରୁ କାର୍ଯ୍ୟରତ ଅଛନ୍ତି ୮୫୪ ଜଣ ବିଚାରପତି। ଖାଲି ଥିବା ଜିଲ୍ଲାସ୍ତରୀୟ ବିଚାରପତିଙ୍କ ତାଲିକାରେ ଦେଶରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା।
ସେପଟେ ଓଡ଼ିଶା ହାଇକୋର୍ଟରେ ଏବେ ୧ ଲକ୍ଷ ୭୨ ହଜାର ମାମଲା ବିଚାରାଧୀନ ରହିଛି। ସେଠାରେ ଅନୁମୋଦିତ ବିଚାରପତି ପଦବୀ ସଂଖ୍ୟା ୩୩ ଥିବା ବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୭ ଜଣ ଜଜ୍। ଫଳରେ ପ୍ରଭାବିତ ହେଉଛି ନ୍ୟାୟିକ ବ୍ୟବସ୍ଥା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।