Special Package For Flood-Affected People: ବନ୍ୟା ପ୍ରଭାବିତଙ୍କୁ ମିଳିବ ଚାଉଳ, ବାସନକୁସନ ଓ ବସ୍ତ୍ର ସହାୟତା

Aug 18, 2026 - 20:07
Special Package For Flood-Affected People: ବନ୍ୟା ପ୍ରଭାବିତଙ୍କୁ ମିଳିବ ଚାଉଳ, ବାସନକୁସନ ଓ ବସ୍ତ୍ର ସହାୟତା

ସୋମବାର ସଡ଼କ ପଥରେ ଯାଇ ମୁଖ୍ୟମନ୍ତ୍ରୀ ବନ୍ୟା ଦୁର୍ଗତଙ୍କୁ ଭେଟିଲେ। ସୁଅ କାଟୁଥିବା ବନ୍ୟା ପାଣିରେ ବୋଟ୍ ରେ ଯାତ୍ରା କରି ବିପନ୍ନଙ୍କ ଦୁଃଖ ଶୁଣିଲେ। ଆଉ ୨୪ ଘଣ୍ଟା ଭିତରେ ଲୋକସେବା ଭବନରେ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ବିପନ୍ନଙ୍କ ପାଇଁ ୧୦୦୦ କୋଟିର ବଡ଼ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ଯେଉଁଥିରେ ଫୋକସରେ ରହିଛି କୃଷି କ୍ଷେତ୍ର। ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଅଣସେଚିତ ଜମି ପାଇଁ ହେକ୍ଟର ପିଛା 8 ହଜାର 500 ଟଙ୍କା, ଜଳସେଚିତ ଜମି ପାଇଁ 17 ହଜାର ଓ ବାର ମାସି ଫସଲ ପାଇଁ 22 ହଜାର 500 ଟଙ୍କାର କୃଷି ଇନପୁଟ୍ ସବସିଡି ମିଳିବ। ଧାନ ଓ ଅଣଧାନ ଫସଲ ପାଇଁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ଦିଆଯିବ। ବିହନ ପାଇଁ ଆର୍ଥିକ ସହାୟତା ସହ ସରକାରଙ୍କ ପାଖରେ ଥିବା ବିହନ ଚାଷୀ ନେଇପାରିବେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ମିଳିବ ପନିପରିବା ମିନିକିଟ୍। ବନ୍ୟା ପରବର୍ତ୍ତୀ ରୋଗପୋକ ଜନିତ କ୍ଷତିପାଇଁ ୭୫ ପ୍ରତିଶତ ସବସିଡି ଯୋଗାଇ ଦେବେ ସରକାର। ଡଙ୍ଗା, ଜାଲ, ଗାଈ ଗୋରୁଙ୍କ ପାଇଁ ମିଳିବ ଆର୍ଥିକ ସହାୟତା। ସବୁଠାରୁ ବଡ଼ କଥା ହେଲା, ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ଯାଏଁ  ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ ଜାରିରହିବ। ଏହାସହିତ ଅତିରିକ୍ତ ଭାବେ ରିଲିଫ୍ ଚାଉଳ ମଧ୍ୟ ଯୋଗାଇ ଦେବେ ରାଜ୍ୟ ସରକାର। ତାଛଡ଼ା କ୍ଷତିଗ୍ରସ୍ତଙ୍କୁ ବାସନ କୁଶନ ଓ ବସ୍ତ୍ର ବାବଦରେ ମଧ୍ୟ ଟଙ୍କା ଦିଆଯିବା।  

ମୁଖ୍ୟମନ୍ତ୍ରୀ କହିଛନ୍ତି ଏଲନିନୋ ପାଇଁ ସରକାର ଆଗୁଆ ସତର୍କ ଥିଲେ। ହେଲେ ଗୋଟିଏ ପରେ ଗୋଟିଏ ଲଘୁଚାପ ଫଳରେ ଭୀଷଣ ବର୍ଷା ଯୋଗୁଁ ଜୁନ୍, ଜୁଲାଇ, ଅଗଷ୍ଟରେ ୧୧ଶହ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୩୪ ପ୍ରତିଶତ ଅଧିକ। ମୁଖ୍ୟମନ୍ତ୍ରୀ ଗତକାଲି ଅନୁଧ୍ୟାନ କରିଥିବା ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକର ମୋଟ୍ ୨ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେଠାରେ ୭୭ ହଜାର ୬୮୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଭଦ୍ରକ ଜିଲ୍ଲାରେ ୪ଟି ବ୍ଲକର ୨ଲକ୍ଷ ୫୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏଠାରେ ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମୋଟାମୋଟି ଭାବେ ୬ ଜିଲ୍ଲାର ୭୪ଟି ବ୍ଲକରେ ୯ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସିପାରନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ରାଜ୍ୟବାସୀଙ୍କୁ ମାସେରୁ ଅଧିକ ସମୟ ଧରି ଘାଣ୍ଟିଲାଣି ବନ୍ୟା। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ପ୍ୟାକେଜ୍ ପରିମାଣ ଆହୁରି ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଖିବାର କଥା ବିପନ୍ନଙ୍କ ପାଖରେ କେବେ ପହଞ୍ଚୁଛି ସହାୟତା ରାଶି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।