13 SEPTEMBER 2026

Welcome!

Unlock your personalized experience.
Sign Up

Mineral Fund Loot-10: ଖଣିଜ ପାଣ୍ଠି ଲୁଟ୍‌-୧୦: ନାଳ ସଫାରେ ଖର୍ଚ୍ଚ ୨୦ କୋଟି

Sep 13, 2026 - 02:55
Mineral Fund Loot-10: ଖଣିଜ ପାଣ୍ଠି ଲୁଟ୍‌-୧୦: ନାଳ ସଫାରେ ଖର୍ଚ୍ଚ ୨୦ କୋଟି

ଯାଜପୁର: ଯାଜପୁର ଜିଲ୍ଲାର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସମସ୍ୟା ଅସରନ୍ତି। ପ୍ରତ୍ୟକ୍ଷ ପ୍ରଭାବିତ ସୁକିନ୍ଦା, ଦାନଗଦୀରେ ଶିଶୁ, ମାତୃ ମୃତ୍ୟୁହାର ଓ ଅପପୁଷ୍ଟି ଲାଗି ରହିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟସେବା ଓ ମୌଳିକ ସୁବିଧାକୁ ପଛରେ ପକାଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ମନଇଚ୍ଛା ଅପବ୍ୟୟ କରାଯାଉଥିଲା। ଘରୋଇ ଡାକ୍ତରଖାନା, କୋଚିଂ ସେଣ୍ଟର, ପ୍ରଦୂଷଣ, ଚାଷୀଙ୍କ ଉନ୍ନତିର ବାହାନା କରି ସବୁ ଅର୍ଥ ଖର୍ଚ୍ଚ କରାଯାଇଛି। ଏବେ ଆଉ ଏକ ରୋଚକ ତଥ୍ୟ ହାତରେ ଲାଗିଛି। ନଗଡ଼ାରେ ଶିଶୁ ମୃତ୍ୟୁ, ସୁକିନ୍ଦା ଓ ଦାନଗଦୀରେ ସ୍ବାସ୍ଥ୍ୟସେବା ସମସ୍ୟା ଲାଗି ରହିଥିବାବେଳେ ଖଣିଜ ପ୍ରତିଷ୍ଠାନ ଅର୍ଥ ନାଳ ସଫେଇ, ପ୍ରାଚୀର ନିର୍ମାଣ‌ରେ ଖର୍ଚ୍ଚ କରାଯାଉଥିଲା। ପାଣିକୋଇଲି ଅଞ୍ଚଳରେ ‘ବ୍ରାହ୍ମଣୀ-ବୈତରଣୀ ଦୋଆବ ନମ୍ବର-୧୪ ଅଧୀନରେ ବନ୍ୟା ନିୟନ୍ତ୍ରଣ, ନାଳ ପୁନରୁଦ୍ଧାର ଓ ସୁରକ୍ଷା ପ୍ରାଚୀର ନିର୍ମାଣରେ ୩ଟି ପ୍ରକଳ୍ପରେ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ଚତୁରତାର ସହିତ ଏହି କାମକୁ ଜଳସଂପଦ ବିଭାଗର କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନ ଦେଇ କେନ୍ଦ୍ରୀୟ ସଂସ୍ଥା ଏନ୍‌ପିସିସି ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ସାନିଟେସନ୍ ବା ସ୍ୱଚ୍ଛତା ନାମରେ ଏହି ପ୍ରକଳ୍ପଗୁଡ଼ିକ କରାଯିବା କେବଳ ଠିକାଦାରଙ୍କୁ ପୋଷିବା ଓ ଏଥିରୁ ଭଲ ପିସି ନେବା ପାଇଁ ଖଣିଜ ପାଣ୍ଠି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା।

ତଥ୍ୟ ମୁତାବକ, ଖଣିଜ ପାଣ୍ଠିରୁ ୨୦୨୧-୨୨ରେ ବ୍ରାହ୍ମଣୀ-ବୈତରଣୀ ଦୋଆବରେ ନମଟିକିରୀ ନାଳ ପୁନରୁଦ୍ଧାର ପାଇଁ ୯ କୋଟି ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟ ତଥା ସନ୍ଦେହଜନକ କଥା, ଏହି ନାଳରେ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ୪ କୋଟି ୯୧ ଲକ୍ଷ ଟଙ୍କା ଓ ଲିଙ୍ଗେଶ୍ୱର ମନ୍ଦିରରୁ ନମଟିକିରୀ ନାଳ ପୁନରୁଦ୍ଧାର ପାଇଁ ୫ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହି ୩ଟି ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବ୍ୟୟ କରାଯାଇଛି। ତେବେ ଏହି କାମ ହୋଇଛି କି ନାହିଁ, କାମରେ କେତେ ସ୍ୱଚ୍ଛତା ରହିଛି? ଏହା ବନ୍ୟା ନିୟନ୍ତ୍ରଣରେ କେତେ ସହାୟକ ହୋଇଛି ତାକୁ ନେଇ ସନ୍ଦେହ ଉପୁଜିଛି। ନାଳସଫା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଖଣିଜ ପାଣ୍ଠି ଖର୍ଚ୍ଚ ହେବା ସଂପୂର୍ଣ୍ଣ ନିୟମ ବି‌ରୋଧୀ। ଖଣିଜ ପାଣ୍ଠି ବ୍ୟୟ ପାଇଁ ଥିବା ନିୟମ ଅନୁଯାୟୀ ଅତିକମ୍‌ରେ ୬୦ ପ୍ରତିଶତ ଅର୍ଥ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳ ଯେପରିକି ସୁକିନ୍ଦା ଓ ଦାନଗଦୀ ଅଞ୍ଚଳର ପାନୀୟଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ସୁରକ୍ଷାରେ ଖର୍ଚ୍ଚ ହେବା ବାଧ୍ୟତାମୂଳକ। ମାତ୍ର ଖଣି ଅଞ୍ଚଳ ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ ନ କରି ପାଣିକୋଇଲି ଅଞ୍ଚଳରେ ସ୍ୱଚ୍ଛତା କ୍ଷେତ୍ରରେ ଦୋଆବରେ ପୁନରୁଦ୍ଧାର, ପ୍ରାଚୀର ନିର୍ମାଣରେ ବିଭିନ୍ନ ପ୍ରକଳ୍ପ ପାଇଁ ଏତେ ଖର୍ଚ୍ଚ କାହିଁକି କରାଯାଇଥିଲା? ଏ ନେଇ ଖଣି ପ୍ରଭାବିତ ଅଞ୍ଚଳର ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ମଧ୍ୟ ପ୍ରଶ୍ନ କରୁନାହାନ୍ତି। ସେହିଭଳି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଏନ୍‌ପିସିସିକୁ ଏହି କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା। ରାଜ୍ୟରେ ଜଳସମ୍ପଦ ବିଭାଗ କିମ୍ବା ନିଜସ୍ୱ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏଡ଼ାଇ ଏତେବଡ଼ ପରିମାଣର କାର୍ଯ୍ୟାଦେଶ କିପରି ଓ କେଉଁ ଭିତ୍ତିରେ କେନ୍ଦ୍ରୀୟ ସଂସ୍ଥାକୁ ଦିଆଯାଉଥିଲା ତାହା ସନ୍ଦେହ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ନିମ୍ନମାନର ହୋଇଛି। ପ୍ରକଳ୍ପଗୁଡ଼ିକର ତଦାରଖ ଜିଲ୍ଲା ପ୍ରଶାସନ କରୁନଥିବାବେଳେ ନାଳ ପୁନରୁଦ୍ଧାର ଓ ପ୍ରାଚୀର ନାମରେ ଅର୍ଥ ଖର୍ଚ୍ଚ କରାଯାଇ ଖଣିଜ ପାଣ୍ଠି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।

ଖଣିଜ ପାଣ୍ଠିରୁ ଦୁଇ ହଜାର କୋଟି ଟଙ୍କାର ଦୁର୍ନୀତିକୁ ନେଇ ବର୍ତ୍ତମାନର ପ୍ରଶାସନ ଓ ରାଜନେତାମାନେ ଚୁପ୍‌ ବସିଛନ୍ତି। ଏବେ ବଳକା ଥିବା ଅର୍ଥକୁ ସମାନ ଢଙ୍ଗରେ ଖାଲି କରାଯିବାର ପ୍ରୟାସ ଆରମ୍ଭ ହୋଇଛି। ଏବେ ବି ଖଣିଜ ପାଣ୍ଠି ଅର୍ଥକୁ ଆଖିବୁଜା ଖର୍ଚ୍ଚ କରାଯାଉଛି। ସଲାସୁତରାରେ ଖଣି ପ୍ରଭାବିତଙ୍କ ପାଇଁ ଥିବା ପାଣ୍ଠିକୁ ଖାଲି କରି ଦିଆଯାଉଛି। ଏ ସଂପର୍କରେ ଦୁଇହଜାର କୋଟିର ଏକ ମହାଲୁଟ୍‌କୁ ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଉଛି। ହେଲେ ଏହି ଦୁର୍ନୀତିର ଚେର ଲମ୍ବା ଥିବା ଓ ଏଥିରେ ବଡ଼ବଡ଼ ଅଧିକାରୀ ଏବଂ ପିସି ନେଇଥିବା ‌ନେତାଙ୍କ ମୁଖା ଖୋଲିଯିବାର ଭୟ ଥିବାରୁ ତଦନ୍ତକାରୀ ସଂସ୍ଥା ତଦନ୍ତ ପାଇଁ ପଛଘୁଞ୍ଚା ଦେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।