Mineral fund loot-7: ଖଣିଜ ପାଣ୍ଠି ଲୁଟ-୭: ମେଡିକାଲ କଲେଜ ପାଇଁ ଜମିକିଣାରେ ୪୩ କୋଟି ଖର୍ଚ୍ଚ
ଯାଜପୁର: ଯାଜପୁରରେ ମହାରାଜା ଯଯାତି ମେଡିକାଲ କଲେଜ ନିର୍ମାଣ ପୂର୍ବରୁ ଜମି ଅଧିଗ୍ରହଣ, ଜମିର ବିକାଶ ଓ ଟେଣ୍ଡର ପ୍ରକ୍ରିୟା ପାଇଁ ପାଣିକୋଇଲି ପୂର୍ତ୍ତ ବିଭାଗ ୪୩ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ କରିଛି। ଖଣିଜ ପାଣ୍ଠିରେ ଏହି କାର୍ଯ୍ୟ କରିବା ନିୟମ ବିରୋଧୀ ଥିବାବେଳେ ଜିଲ୍ଲା ପ୍ରଶାସନ କିଭଳି ଏହାକୁ ଅନୁମତି ଦେଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନୁପାତିକ ଅନୁଦାନ ରହୁଥିବାବେଳେ ଖଣିଜ ପାଣ୍ଠିରୁ କାହିଁକି ଏତେ ପରିମାଣର ଅର୍ଥ ଖର୍ଚ୍ଚ କରାଗଲା ତାକୁ ନେଇ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ପାଣିକୋଇଲି ପୂର୍ତ୍ତ ଡିଭିଜନ ଖଣିଜ ପାଣ୍ଠିରୁ ସର୍ବାଧିକ ୫୧୧ କୋଟି ଟଙ୍କା ବ୍ୟୟ କରିଛି, ଯାହାର ତଦନ୍ତ ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି।
Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ
ପୂର୍ତ୍ତ ବିଭାଗ କିଣିଛି ଜମି, ଧାର୍ଯ୍ୟମୂଲ୍ୟଠୁ ଦିଆଯାଇଛି ଅଧିକ ଦର
ତଥ୍ୟ ମୁତାବକ, ୨୦୨୦-୨୧ ଆର୍ଥିକ ବର୍ଷରେ ନୂତନ ସରକାରୀ ମେଡିକାଲ କଲେଜ ପାଇଁ ଜମି ଅଧିଗ୍ରହଣ, ଜମିର ବିକାଶ ଓ ଟେଣ୍ଡର ପ୍ରକ୍ରିୟା ବାବଦକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଏହି ଅର୍ଥ ବ୍ୟୟ କରାଯାଇଛି। ଏହି କାର୍ଯ୍ୟ ସମ୍ପାଦନ ପାଇଁ ପାଣିକୋଇଲି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ବାହୀ ସଂସ୍ଥା ଭାବେ ଚୟନ କରାଯାଇଥିଲା। ନୂତନ ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ରହିଛି, ସେତେବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାହିଁକି ଓ କାହା ଅନୁମତିରେ ଖଣିଜ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଗଲା? ପାଣ୍ଠି ଆତ୍ମସାତ ପାଇଁ ଏହା ବିଧିବଦ୍ଧ ଯୋଜନା ବା ଷଡ଼ଯନ୍ତ୍ର ଥିଲା। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ଅଧୀନରେ ସ୍ୱତନ୍ତ୍ର ଅଧିକାରୀ ଥିବା ସତ୍ତ୍ୱେ କେଉଁ ଆଧାରରେ ଜିଲ୍ଲାପାଳ ଏହି ଦାୟିତ୍ୱ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ? ଜମିର ବେଞ୍ଚ ମାର୍କ ବା ଜମିର ମୂଲ୍ୟ କିଏ ଧାର୍ଯ୍ୟ କରିଥିଲେ? କାହାକୁ କେତେ ଟଙ୍କା ଦିଆଯାଇଥିଲା ସେ ଫାଇଲ ଏବେ ମିଳୁନାହିଁ। ଏହାକୁ ଗାଏବ କରିଦିଆଯାଇଛି। ଏଭଳି କରିବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଥିଲା କି? ତେବେ ଜମି ଅଧିଗ୍ରହଣ ବେଳେ ଏହାର ମୂଲ୍ୟ କେତେ ହେବ, ଏହା କିଭଳି ପୂର୍ତ୍ତ ବିଭାଗ ଧାର୍ଯ୍ୟ କରିଥିଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି।
Nuakhai 2026: ପାଖେଇ ଆସୁଛି ନୂଆଁଖାଇ; ରାଜ୍ୟ ବାହାରୁ ଘର ମୁହାଁ ଶ୍ରମିକ
ସୂଚନାଯୋଗ୍ୟ, ପାଣିକୋଇଲି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା କେନ୍ଦ୍ର ପୁରସ୍କୃତ ଯୋଜନା (ସିଏସ୍ଏସ) ଅଧୀନରେ ଅର୍ଥାତ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅନୁଦାନରେ ଯାଜପୁର ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୧ ମସିହାରେ ଏଲ୍ଆଣ୍ଡଟି କମ୍ପାନିକୁ ୩୨୬.୬୮ କୋଟି ଟଙ୍କାର ମୂଳ ଅଟକଳ ମୂଲ୍ୟରେ ଏହି ନିର୍ମାଣ ପାଇଁ ପାଣିକୋଇଲି ରାସ୍ତା ଓ ଗୃହ ବିଭାଜନ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ଶେଷହେବା ବେଳକୁ ଏହାର ମୋଟ ବ୍ୟୟ ୫୨୬.୨୧ କୋଟି ଟଙ୍କାରେ ପହଞ୍ଚିଥିଲା। ଯାହା ମୂଳ ଅଟକଳଠାରୁ ପ୍ରାୟ ୨୦୦ କୋଟି ଟଙ୍କା ଅଧିକ ଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ସତ୍ତ୍ୱେ କେଉଁ ଉଦ୍ଦେଶ୍ୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ଏତେ ବଡ଼ ପରିମାଣର ଅର୍ଥ ବ୍ୟୟ କରାଗଲା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ମେଡିକାଲ କଲେଜ ନିର୍ମାଣ ପୂର୍ବରୁ ହିଁ ଖଣିଜ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇ ସରକାରୀ ଅନୁଦାନକୁ ଆତ୍ମସାତ କରାଯାଇଥିବା ସନ୍ଦେହ କରାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀଙ୍କ ଅସଲ ମୁଖା ଖୋଲିଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।