Minister’s Daughter Among 4 Killed in Crash: ଟ୍ରକକୁ ପଛରୁ ପିଟିଲା କାର, ମନ୍ତ୍ରୀଙ୍କ ଝିଅ ସମେତ ୪ ଜଣଙ୍କ ମୃତ୍ୟୁ
ଝାଡଖଣ୍ଡର ଜାମସେଦପୁରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଟ୍ରକକୁ ଏକ କାର ପଛରୁ ଧକ୍କା ଦେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଝାଡଖଣ୍ଡର ଜଣେ ମନ୍ତ୍ରୀଙ୍କ ଝିଅଙ୍କ ମୃତ୍ୟୁ ହୋଇଛି। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂଙ୍କ ଝିଅ ତ୍ରିଶା ପ୍ରାଣ ହରାଇଛନ୍ତି। ଅନ୍ୟ ମୃତକମାନେ ହେଲେ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ। ସମସ୍ତେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଥିଲେ।
ଦୋମୁହାଣିର ମେରାଇନ ଡ୍ରାଇଭ ନିକଟ ହାଇ ୱେରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଟ୍ରକର ବ୍ରେକ ଖରାପ ଥିବା ଯୋଗୁଁ ଟ୍ରକଟି ବୁଧବାର ରାତି ୧୦ଟାରୁ ହାଇୱେର ଡାହାଣ ପାର୍ଶ୍ୱରେ ଡିଭାଇଡର ନିକଟରେ ପାର୍କିଂ ହୋଇଥିଲା। ଗୁରୁବାର ସକାଳେ କାରଟି ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାରରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଥିଲା। କାରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ମନୋଜ ଠାକୁର କହିଛନ୍ତି ଯେ ଗୁରୁବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରରେ ଥିବା ସମସ୍ତ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।