Missing CRPF Jawan in Odisha: ବାପାଙ୍କ ଏକାଦଶାହକୁ ଫେରୁଥିଲେ, ବାଟରୁ ନିଖୋଜ ଯବାନ ପୁଅ! ରେଳ ଟ୍ରାକ୍‌ରୁ ମିଳିଲା ମୋବାଇଲ୍

Oct 23, 2026 - 10:25
Missing CRPF Jawan in Odisha: ବାପାଙ୍କ ଏକାଦଶାହକୁ ଫେରୁଥିଲେ, ବାଟରୁ ନିଖୋଜ ଯବାନ ପୁଅ! ରେଳ ଟ୍ରାକ୍‌ରୁ ମିଳିଲା ମୋବାଇଲ୍

ବାପାଙ୍କ ଦେହାନ୍ତର ଦୁଃଖ ମନରୁ ଲିଭିନି, ହେଲେ ପରିବାର ଉପରେ ଛିଡ଼ି ପଡ଼ିଛି ଆଉ ଏକ ଦୁଃଖର ପାହାଡ଼ ।

ବାପାଙ୍କ ଏକାଦଶାହ ପାଇଁ ଯବାନ ପୁଅ ଘରକୁ ଫେରିବ ବୋଲି ଚାହିଁ ବସିଛନ୍ତି ପରିବାର ।

ହେଲେ ଦିନ ବିତୁଛି, ପୁଅର ଖୋଜଖବର ମିଳୁନି ।

ଟ୍ରେନରେ ଆସିବା ବେଳେ ନିଖୋଜ ହୋଇଯାଛନ୍ତି ସିଆରପିଏଫ୍ ଯବାନ ପଦ୍ମଲୋଚନ ପାତ୍ର ।

ପୁଅର ଅପେକ୍ଷାରେ ରହିଛି ପରିବାର।

ଆଉ ପୂରା ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ ।

ବାଲେଶ୍ୱର ଜିଲ୍ଲା ସିଂଲା ଥାନା ବୋଳଂ ଗାଁରୁ ଆସିଛି ଏଭଳି ଖବର ।

ଗାଁର ରାମହରି ପାତ୍ରଙ୍କ ପୁଅ ପଦ୍ମଲୋଚନ ପାତ୍ର CRPFର 191 ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି ।

ଗତ ୧୧ ତାରିଖରେ ରାମହରିଙ୍କ ଦେହାନ୍ତ ହୋଇଥିଲା ।

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ପଦ୍ମଲୋଚନ ୧୭ ତାରିଖରେ ଛୁଟି ନେଇ ନାଗପୁର ଷ୍ଟେସନରୁ ଟ୍ରେନ ଯୋଗେ ଘରକୁ ଫେରୁଥିଲେ ।

ଖଡ଼ଗପୁର ଷ୍ଟେସନରେ ପହଞ୍ଚିଥିବା ନେଇ ସେ ଘରକୁ ଫୋନ କରି ଜଣାଇଥିଲେ ।

କିନ୍ତୁ ପରେ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା ।

ଏହାର କିଛି ସମୟ ପରେ, ସନ୍ଧ୍ୟା ପ୍ରାୟ ୬ଟାରେ ରେଳ ବିଭାଗ ପକ୍ଷରୁ ପଦ୍ମଲୋଚନଙ୍କ ମୋବାଇଲ ଫୋନ ପଶ୍ଚିମବଙ୍ଗର ମେଚେଦା ଷ୍ଟେସନ ନିକଟ ରେଳ ଟ୍ରାକରୁ ମିଳିଥିବା ନେଇ ପରିବାରକୁ ସୂଚନା ଦିଆଯାଇଥିଲା ।

ଏହାପରଠାରୁ ପଦ୍ମଲୋଚନଙ୍କ କୌଣସି ପତ୍ତା ମିଳୁନାହିଁ।

ଏନେଇ ପରିବାର ପକ୍ଷରୁ ସିଂଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାପାଙ୍କ ଏକାଦଶାହରେ ପୁଅର ଅନୁପସ୍ଥିତି ପରିବାରକୁ ଭାଙ୍ଗିଦେଇଛି ।

ନିଖୋଜ ଯବାନଙ୍କୁ ଘରକୁ ଫେରାଇ ଆଣିବାକୁ ଉଭୟ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।