Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ
"ବୈଶିଙ୍ଗା (ଦୀପକ କୁମାର ସିଂହ): ଜଗନ୍ନାଥ ଧାମ ପୁରୀ ବୁଲିବାକୁ ଯାଇଥିଲେ ସ୍ୱାମୀ-ସ୍ତ୍ରୀ।
ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ପରିବାର ଓ ସମ୍ପର୍କୀୟଙ୍କ ସହ କିଛି ସମୟ ଆନନ୍ଦରେ ବିତାଇବାର ଆଶା ନେଇ ଘରୁ ବାହାରିଥିଲେ।
ହେଲେ ସେହି ଯାତ୍ରା ଯେ ଏକ ଅସହ୍ୟ ଦୁଃଖର କାହାଣୀ ପାଲଟିଯିବ, ତାହା କେହି କେବେ କଳ୍ପନା କରିନଥିଲେ।
ସ୍ୱାମୀଙ୍କୁ ଟିକିଏ ସମୟ ପାଇଁ ବସାଇ ପାଣି ଆଣିବାକୁ ଯାଇଥିବା ସ୍ତ୍ରୀ ଫେରି ଦେଖିଲା ବେଳକୁ ସେଠାରେ ନଥିଲେ ସ୍ୱାମୀ।
ଆଖପାଖରେ ଖୋଜିଲେ, ସମ୍ପର୍କୀୟଙ୍କୁ ପଚାରିଲେ, ହେଲେ ମିଳିଲାନି କୌଣସି ଖୋଜଖବର।
ଇତିମଧ୍ୟରେ ସାତ ଦିନ ବିତିଗଲାଣି।
ତଥାପି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ ପ୍ରମିଳା।
ନିଖୋଜ ସ୍ୱାମୀଙ୍କୁ ଫେରିପାଇବା ପାଇଁ ଏବେ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି।Advertisment ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଉପକଣ୍ଠ କେଶୁରା ଗ୍ରାମର ରମାକାନ୍ତ ପାତ୍ର (୫୫) ତାଙ୍କ ସ୍ତ୍ରୀ ପ୍ରମିଳା ଓ ନିକଟ ସମ୍ପର୍କୀୟଙ୍କ ସହ ଗତ ୨୩ ତାରିଖରେ ପୁରୀ ବୁଲିବାକୁ ଯାଇଥିଲେ।
ମନ୍ଦିର ପ୍ରାଙ୍ଗଣରେ ବୁଲୁଥିବା ସମୟରେ ପ୍ରମିଳା ତାଙ୍କ ସ୍ୱାମୀ ରମାକାନ୍ତଙ୍କୁ କୈବଲ୍ୟ ହାଟର ଏକ ସ୍ଥାନରେ ବସାଇ ପାଣି ଆଣିବାକୁ ଯାଇଥିଲେ।
କିନ୍ତୁ ପାଣି ନେଇ ଫେରିବା ବେଳକୁ ରମାକାନ୍ତ ସେଠାରେ ନଥିଲେ।
ହଠାତ୍ ସ୍ୱାମୀଙ୍କୁ ପାଖରେ ନପାଇ ପ୍ରମିଳା ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ।
ସମ୍ପର୍କୀୟଙ୍କ ସହ ମିଶି ପୁରୀର ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରମାକାନ୍ତଙ୍କର କୌଣସି ସନ୍ଧାନ ମିଳିନଥିଲା।
ଏନେଇ ପରିବାର ପକ୍ଷରୁ ନିକଟସ୍ଥ ସିଂହଦ୍ୱାର ଥାନା ଓ ପୁରୀ ଟାଉନ ଥାନାକୁ ମଧ୍ୟ ଅବଗତ କରାଯାଇଥିଲା।
ତେବେ ଦିନ ପରେ ଦିନ ବିତି ଚାଲିଥିଲେ ମଧ୍ୟ ରମାକାନ୍ତଙ୍କର କୌଣସି ଖବର ମିଳିପାରିନାହିଁ।
ସାତ ଦିନ ଧରି ଅପେକ୍ଷା କରିବା ପରେ ଆଜି ପରିବାର ଲୋକେ ବୈଶିଙ୍ଗା ଥାନାରେ ମଧ୍ୟ ଏନେଇ ଜଣାଇଛନ୍ତି।
ରମାକାନ୍ତଙ୍କ ନିଖୋଜ ହେବା ଘଟଣାରେ ପରିବାର ଲୋକେ ଚିନ୍ତାରେ ଥିବାବେଳେ ତାଙ୍କ ସୁରକ୍ଷିତ ଫେରିବା ନେଇ ସମସ୍ତେ ଆଶା ବାନ୍ଧି ବସିଛନ୍ତି।
Dead: ରୋଜଗାର ପାଇଁ ହାଇଦ୍ରାବାଦ ଯାଇଥିଲେ ଓଡ଼ିଆ ଯୁବତୀ; ଘରକୁ ଫେରିବା ବାଟରେ ମୃତ୍ୟୁ ସାତ ଦିନ ହେଲା ନିଖୋଜ ସ୍ୱାମୀଙ୍କୁ ଝୁରୁଛନ୍ତି ସ୍ତ୍ରୀ।
ଯେଉଁ ସ୍ୱାମୀଙ୍କ ସହ ହସଖୁସିରେ ପୁରୀ ବୁଲିବାକୁ ଯାଇଥିଲେ, ଆଜି ସେହି ସ୍ୱାମୀଙ୍କ ବିନା ଘରକୁ ଫେରିବାର ଦୁଃଖ ତାଙ୍କୁ ମର୍ମାହତ କରିଛି।
ଏଭଳି ସ୍ଥିତିରେ କୌଣସି ସହୃଦୟ ବ୍ୟକ୍ତି ରମାକାନ୍ତ ପାତ୍ରଙ୍କ ସମ୍ପର୍କରେ କିଛି ସୂଚନା ପାଇଲେ ତାଙ୍କ ପରିବାରକୁ ଜଣାଇବାକୁ ଆକୁଳ ନିବେଦନ କରାଯାଇଛି।
ନିଖୋଜ ବ୍ୟକ୍ତିଙ୍କ ପରିଚୟ: ରମାକାନ୍ତ ପାତ୍ର, ବୟସ ୫୫ ବର୍ଷ।
ଗ୍ରାମ–କେଶୁରା, ପୁରୁଣିଆ ଉପକଣ୍ଠ, ବୈଶିଙ୍ଗା ଥାନା, ମୟୂରଭଞ୍ଜ।
ଯେକୌଣସି ସୂଚନା ମିଳିଲେ ନିକଟସ୍ଥ ପୁଲିସ ଥାନା କିମ୍ବା ରମାକାନ୍ତଙ୍କ ପରିବାରକୁ ଜଣାଇ ତାଙ୍କୁ ଖୋଜିବାରେ ସହଯୋଗ କରନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।