MMDR Law Sparks Political Battle In Odisha: ଓଡ଼ିଶା ବନ୍ଦ ଚେତାବନୀ ଦେଲା ବିଜେଡି, MMDRକୁ ନେଇ ବଢ଼ିଲା ରାଜନୈତିକ ତାତି
ସଂଶୋଧିତ ଏମ୍ଏମ୍ଡିଆର୍ ଆଇନକୁ ନେଇ ଚେତାବନୀ ଦେଲା ବିଜେଡି। ପଲ୍ଲୀରୁ ଦିଲ୍ଲୀ ଯାଏ ସ୍ବର ଉଠିବ। ଓଡ଼ିିଶା ବନ୍ଦ ଡାକରା ଦିଆଯିବ। ସାମ୍ବାଦିକ ସମ୍ମିଳନୀ କରି ବିଜେଡି, ବିଜେପି ଓ କେନ୍ଦ୍ର ସରକାରକୁ କିଛି ଏପରି ଢଙ୍ଗରେ କଡା ଚେତାବନୀ ଦେଇଛି। ଦଳ କହିଛି ଆଇନ ସଂଶୋଧନ ପରେ ଓଡ଼ିଶାର ଖଣି ଖାଦାନ ଉପରେ ରାଜ୍ୟର ହକ୍ ରହିବ ନାହିଁ। ଲକ୍ଷେ ଦଶ ହଜାର କୋଟି ଟଙ୍କାର ପ୍ରାପ୍ୟ ହରାଇବ ଓଡ଼ିଶା। ପୂର୍ବରୁ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଅନ୍ୟପଟେ କଂଗ୍ରେସ୍ ମଧ୍ୟ ରାଜ୍ୟପାଳ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏମ୍ଏମ୍ଡିଆର ସଂଶୋଧନ ପ୍ରସଙ୍ଗରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ସ୍ମାରକପତ୍ର ଦେଇଥିଲା। କିନ୍ତୁ ସରକାର ଶୁଣୁନଥିବାରୁ ଆଗକୁ ବଡ଼ ଧରଣର ଆନ୍ଦୋଳନ ସହ ଖଣିକୁ ବନ୍ଦ କରି ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି। ସେପଟେ ବିରୋଧୀଙ୍କୁ କଡା କାଉଣ୍ଟର କରି ବିଜେପି କହିଛି, ଓଡିଶାର ଆଦୌ ସ୍ବାର୍ଥ ହାନି ହେବ ନାହିଁ। ବିରୋଧୀ ଏମ୍ଏମ୍ଡିଆରକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି।
ନୂଆ ଆଇନ କହୁଛି, କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ତ୍ତ ବ୍ୟତୀତ ଖଣିଜ ଅଧିକାର କିମ୍ବା ଖଣିଜ ସମ୍ପଦ ଉପରେ ରାଜ୍ୟ ସରକାର କୌଣସି ଟିକସ ଲଗାଇ ପାରିବେ ନାହିଁ। ଅତିରିକ୍ତ ଟିକସ ଯୋଗୁଁ ଦେଶୀୟ ଖଣିଜ ମହଙ୍ଗା ହେଉଥିବାରୁ ଶିଳ୍ପ ସଂସ୍ଥାଗୁଡ଼ିକ ବିଦେଶୀ କଞ୍ଚାମାଲ ଉପରେ ନିର୍ଭର କରୁଛନ୍ତି। ଓଡ଼ିଶାରେ ନିଲାମ ହୋଇଥିବା ୭୯ଟି ବ୍ଲକ୍ ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ହୋଇଛି। ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ଅକ୍ସନ୍ ପ୍ରିମିୟମ୍ ରୁ ପ୍ରାୟ ୮୭ ହଜାର କୋଟି ଟଙ୍କା ଆୟ ହୋଇଛି। ୨୦୧୫ ଅଗଷ୍ଟରୁ କେନ୍ଦ୍ର ସରକାର ଖଣିବହୁଳ ରାଜ୍ୟ ପାଇଁ ଡିଏମ୍ଏଫ୍ ସୃଷ୍ଟି କରିଛନ୍ତି। ଯେଉଁଥିରେ ଓଡିଶା ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୮ ହଜାର କୋଟି ଟଙ୍କା ପାଇ ସାରିଲାଣି। ଆଉ ଏକ୍ସପର୍ଟଙ୍କ ମତ ହେଉଛି, ଏହି ଆଇନ୍ ଦ୍ବାରା ଓଡ଼ିଶାର କ୍ଷତି ହେବନି।
ଏବେ ଦେଖିବାର କଥା MMDRକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆଗକୁ ପ୍ରସଙ୍ଗ ଆଉ କେଉଁ ମୋଡ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।