Mob Throws Eggs at Former TMC MLA: RG Kar ମାମଲାରେ ଗିରଫ ପରେ ପୂର୍ବତନ TMC ବିଧାୟକ ନିର୍ମଳ ଘୋଷଙ୍କ ଉପରେ ଅଣ୍ଡା ମାଡ଼

Aug 14, 2026 - 18:35
Mob Throws Eggs at Former TMC MLA: RG Kar ମାମଲାରେ ଗିରଫ ପରେ ପୂର୍ବତନ TMC ବିଧାୟକ ନିର୍ମଳ ଘୋଷଙ୍କ ଉପରେ ଅଣ୍ଡା ମାଡ଼

RG Kar ହସ୍ପିଟାଲ ଦୁଷ୍କର୍ମ-ହତ୍ୟା ମାମଲାର ପୀଡ଼ିତାଙ୍କ ମୃତଦେହକୁ ପରିବାରର ଇଚ୍ଛା ବିରୋଧରେ ତରବରିଆ ଭାବେ ଶବଦାହ କରାଇବାରେ ନିଜ ପ୍ରଭାବ ବ୍ୟବହାର କରିଥିବା ଅଭିଯୋଗରେ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି। ଗତକାଲି ତାଙ୍କୁ ଓଡ଼ିଶାର ସିମୂଳିଆରୁ ଗିରଫ କରାଯାଇଥିଲା । 

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଖରଦା ପୋଲିସ ଷ୍ଟେସନ ବାହାରେ ଶୁକ୍ରବାର ପୂର୍ବତନ ତୃଣମୂଳ କଂଗ୍ରେସ (TMC) ବିଧାୟକ ନିର୍ମଳ ଘୋଷଙ୍କ ଉପରେ କିଛି ଲୋକ ଆକ୍ରମଣ କରିଛନ୍ତି । ସେ RG Kar ହସ୍ପିଟାଲ ଦୁଷ୍କର୍ମ-ହତ୍ୟା ମାମଲାର ପୀଡ଼ିତାଙ୍କ ତରବରିଆ ଶବଦାହ ଅଭିଯୋଗରେ ଗିରଫ ହୋଇଛନ୍ତି।

ପୋଲିସ କର୍ମଚାରୀମାନେ ତାଙ୍କୁ ଜେଲ୍ ଭ୍ୟାନ୍‌କୁ ନେଇ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଘେରି ମାଡ଼ ମାରିବା ସହ ଗୋଇଠା ମାରିଥିଲେ । ବହୁ ସଂଖ୍ୟାରେ ପୋଲିସ ଓ ରାପିଡ୍ ଆକ୍ସନ ଫୋର୍ସ (RAF) ମୁତୟନ ଥିଲେ ମଧ୍ୟ ପ୍ରତିବାଦକାରୀମାନେ ପୂର୍ବତନ ବିଧାୟକଙ୍କ ଉପରକୁ ଜୋତା, ଅଣ୍ଡା ଓ ଅଳିଆ ଫିଙ୍ଗିଥିଲେ। ଆକ୍ରମଣରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ତାଙ୍କ ମୁଣ୍ଡରେ ହେଲମେଟ୍ ପିନ୍ଧାଇଥିଲା।

ପରେ ନିର୍ମଳ ଘୋଷଙ୍କୁ ବାରାକପୁର ସବ୍-ଡିଭିଜନାଲ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ବାହାରେ ଅପେକ୍ଷା କରିଥିବା ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ଦେଖି ‘ଚୋର-ଚୋର’ ନାରା ଦେଇଥିଲେ। ପୋଲିସ ତାଙ୍କୁ କୋର୍ଟ ଲକ୍‌ଅପ୍‌କୁ ନେଇଯିବା ବେଳେ ତାଙ୍କ ଧଳା ପୋଷାକରେ ଅଣ୍ଡା ଓ ଅଳିଆର ଦାଗ ଦେଖାଯାଉଥିଲା।

ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ପାନିହାଟି ପୌରସଭା କାଉନସିଲର ସଞ୍ଜୀବ ମୁଖାର୍ଜୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ କୋର୍ଟକୁ ନେଉଥିବା ବେଳେ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ନିର୍ମଳ ଘୋଷଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିବା ସଞ୍ଜୀବ ମୁଖାର୍ଜୀ ଶବ ବ୍ୟବଚ୍ଛେଦ ପରେ ଡାକ୍ତରଙ୍କ ମୃତଦେହକୁ ପାନିହାଟି ଶ୍ମଶାନକୁ ନିଆଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବାର ଅଭିଯୋଗ ରହିଛି। ଏହି ମାମଲାର ତୃତୀୟ ଅଭିଯୁକ୍ତ ତଥା ପୂର୍ବତନ ପାନିହାଟି ପୌରାଧ୍ୟକ୍ଷ ସୋମନାଥ ଦେ ଏବେ ବି ଫେରାର ଥିବା ପୋଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।